ଅପରାଧୀଙ୍କ ଟାର୍ଗେଟରେ ଦୋକାନୀ; ରାତିସାରା ବୁଲୁଛନ୍ତି, ସୁଯୋଗ ଦେଖି ନିଆଁ ଲଗାଉଛନ୍ତି

ବଲାଙ୍ଗୀର: ବଲାଙ୍ଗୀର ସହରରେ ଏବେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ବଲାଙ୍ଗୀର ସହରରେ ମଦ ଓ କଫ୍‌ସିରପ ସେବନକାରୀଙ୍କ ସଂଖ୍ୟା ବହୁ ଅଧିକ ହୋଇଥିବା ବେଳେ ପ୍ରତି ଅପରାଧିକ କାଣ୍ଡ ପଛରେ ଏମାନଙ୍କ ହାତ ଥିବା ପୂର୍ବରୁ ପ୍ରମାଣ ମିଳିସାରିଛି। ଗତକାଲି ରାତି ପ୍ରାୟ ୩.୪୫ ସମୟରେ କେହି ଦୁର୍ବୃତ୍ତ ପାଟଣା ହୋଟେଲ ଛକରେ ଥିବା ଭେଣ୍ଡିଂ ଜୋନରେ ନିଆଁ ଲାଗାଇ ଦେଇଥିଲା। ଏହି ଅଗ୍ନିକାଣ୍ଡରେ ଏଠିକାର ତୁଳା ରେଜେଇ ଦୋକାନ ବାହାରେ ଥିବା ବହୁ ସାମଗ୍ରୀ ପୋଡ଼ି ଯାଇଥିଲା।

ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ସେହି ସମୟରେ ରାମଜୀପଡ଼ା ଛକରେ ଥିବା ଏକ ଠେଲାଗାଡ଼ିରେ ମଧ୍ୟ କେହି ନିଆଁ ଲଗାଇ ଦେଇଥିବା ଜଣାପଡ଼ିଥିଲା। ଅନ୍ୟ ଏକ ଦମକଳ ଟିମ୍‌ ଆସି ପୋଡ଼ି ଯାଉଥିବା ଠେଲାର ନିଆଁକୁ ଆୟତ୍ତ କରିଥିଲା। ପାଟଣା ହୋଟେଲ ଛକରେ ଥିବା ଭେଣ୍ଡିଂଜୋନଟି ଅନ୍ଧାରରେ ରହୁଥିବା ବେଳେ ଏଠାରେ ପ୍ରତିଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ୍ୟପମାନଙ୍କ ଆସର ଜମୁଛି। ପୁଲିସ ରାତି ପେଟ୍ରୋଲିଂ ବେଳେ ଏହି ସମ୍ବ‌େଦନଶୀଳ ସ୍ଥାନକୁ ଯାଞ୍ଚ କରିବା ସହିତ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଅଞ୍ଚଳରେ ବୁଲୁଥିବା ଯୁବକମାନଙ୍କୁ ସାବାଡ଼ କରିବାକୁ ଦାବି ହେଉଛି। ଗତକାଲି ରାତି‌ର ଅଗ୍ନିକାଣ୍ଡ ସମୟର ସିସିଟିଭି ଫୁଟେଜକୁ ପୁଲିସ ଯାଞ୍ଚ କରୁଥିବା ବେଳେ ଜଣେ ଯୁବକ ୩.୪୫ ସମୟରେ ସେଠାକୁ ଯାଉଥିବା ଦେଖାଯାଉଛି। ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର