ବିଦ୍ୟାଳୟ ଫାଟକଳେ ତାଲା ପକାଇଲେ ଗ୍ରାମବାସୀ

ପାଣିକୋଇଲି: କୋରେଇ ବ୍ଲକ୍‌ ଅନ୍ତର୍ଗତ ଅମୃତିଆ ପଞ୍ଚାୟତ ରଙ୍ଗରଙ୍ଗା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବିଭିନ୍ନ ଅବ୍ୟବସ୍ଥା ବିରୋଧରେ ଗ୍ରାମବାସୀ ଆଜି ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଶ୍ରେଣୀଗୃହ, ଶୌଚାଳୟ, ପାଚେରି, ରାସ୍ତା ନିର୍ମାଣ ଇତ୍ୟାଦି ଦାବିରେ ଅଭିଭାବକମାନେ ପିଲାମାନଙ୍କୁ ଧରି ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଥିଲେ। ୧୯୫୫ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟର ୭ଟି ଶ୍ରେଣୀରେ ମୋଟ ୧୨୬ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ସେମାନଙ୍କ ପାଇଁ ଥିବା ୪ଟି ଶ୍ରେଣୀଗୃହରୁ ୨ ସମ୍ପୂର୍ଣ୍ଣ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହି ଶ୍ରେଣୀଗୃହ ଦୁଇଟିର କାନ୍ଥ ଦବିଯାଇ ବର୍ଷାଦିନରେ ଛାତରୁ ପାଣି ଗଳୁଛି। ଏବିଷୟରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ।

ଗ୍ରୀଷ୍ମ ଛୁଟି ପରେ ଏବେ ପାଠପଢ଼ା ଆରମ୍ଭ ହୋଇଛି। ହେଲେ ଦୁଇଟି ଶ୍ରେଣୀଗୃହରେ ୭ଟି ଶ୍ରେଣୀର ପିଲାଙ୍କୁ ଶିକ୍ଷାଦାନ କରିବା ଅସମ୍ଭବ ହୋଇପଡ଼ିଛି। ଫଳରେ ଆଜି ଶତାଧିକ ଗ୍ରାମବାସୀ ବିଦ୍ୟାଳୟ ସମ୍ମୁଖରେ ପିଲାଙ୍କୁ ଧରି ଧାରଣାରେ ବସିଥିଲେ। ଏହାର ସ୍ଥାୟୀ ସମାଧାନ ନହେଲେ ପିଲାଙ୍କୁ ଆଉ ସ୍କୁଲ୍‌କୁ ଛାଡ଼ିବେ ନାହିଁ ବୋଲି ଚେତାବନୀ ଦେଇଥିଲେ। ୪ ଘଣ୍ଟା ଧରି ସ୍କୁଲ୍‌ ‌ଫାଟକରେ ତାଲା ପଡ଼ିଥିଲେ ମଧ୍ୟ ବିଭାଗୀୟ କୌଣସି ଅଧିକାରୀ ଘଟଣସ୍ଥଳରେ ପହଞ୍ଚିନଥିଲେ। ଫଳରେ ପ୍ରଧାନଶିକ୍ଷୟିତ୍ରୀ ସ୍ୱାଗତିକା ସାହୁଙ୍କ ଅନୁରୋଧରେ ଗ୍ରାମବାସୀ ଫାଟକରୁ ତାଲା ଖୋଲିଥିଲେ। ଏବିଷୟରେ କୋରେଇ ବିଇଓ ସୁଦର୍ଶନ ମଲ୍ଲିକଙ୍କୁ ପଚାରିବାରୁ ବିଦ୍ୟାଳୟ ଗୁଡ଼ିକର ନିର୍ମାଣ କାର୍ଯ୍ୟ ସରକାର ଏବେ ପଞ୍ଚାୟତିରାଜ ବିଭାଗକୁ ଦେଇଛନ୍ତି। ତେଣୁ ଏହି ସମସ୍ୟାର ସମାଧାନ ପାଇଁ ସେ ବିଡିଓଙ୍କୁ ଅବଗତ କରାଇଛନ୍ତି ବୋଲି କହିଥିଲେ। ବିଦ୍ୟାଳୟ ସମ୍ମୁଖ ଧାରଣାରେ ସନ୍ତୋଷ କୁମାର ସାହୁ, ରାଜକିଶୋର ମହାପାତ୍ର, ରଙ୍ଗାଧର ସ୍ୱାଇଁ, ଅର୍ଜୁନ ସ୍ୱାଇଁ, ବିଭୁଦତ୍ତ ସାହୁ, ମଳୟ କୁମାର ପତ୍ରୀ, ରାମଚନ୍ଦ୍ର ବାରିକ, ଅନୟ ଧଳଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର