ନିମ୍ନମାନର ନଦୀବନ୍ଧ କାର୍ଯ୍ୟକୁ ବିରୋଧ

କବାଟବନ୍ଧ : ଧର୍ମଶାଳା ବ୍ଲକ୍‌ ରାଇଛନ୍ଦା ପଞ୍ଚାୟତ ବ୍ରାହ୍ମଣୀ ନଦୀବନ୍ଧର ବ୍ରାହ୍ମଣୀ ସେତୁ ଠାରୁ ବାଲିକୁଦିଆ ପର୍ଯ୍ୟନ୍ତ ୩ କି.ମି. ରାସ୍ତାର ଉନ୍ନତୀକରଣ ଓ ପ୍ରଶସ୍ତୀକରଣ କାର୍ଯ୍ୟ ଚାଲିଛି। ପୂର୍ତ୍ତ ବିଭାଗ ପକ୍ଷରୁ ସାଇକ୍ରିଷ୍ଣା କନ୍‌ଷ୍ଟ୍ରକ୍ସନକୁ ଦାୟିତ୍ବ ଅର୍ପଣ କରାଯାଇଛି। ବିଳମ୍ବ ଓ ନିମ୍ନମାନର କାମ ପାଇଁ ରାଇଛନ୍ଦା ପଞ୍ଚାୟତବାସୀ ରାସ୍ତାକାମକୁ ବିରୋଧ କରିବା ସହ ଏହାର ତଦନ୍ତ ପାଇଁ ଦାବି କରିଛନ୍ତି। ସୂଚନା ମୁତାବକ, ଏହି ନଦୀବନ୍ଧ ରାସ୍ତାର ଉନ୍ନତୀକରଣ ଓ ପ୍ରଶସ୍ତୀକରଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୩କୋଟି ୬୧ଲକ୍ଷ ୨୯ ହଜାର ୮୭୫ ଟଙ୍କା ମଞ୍ଜୁର ହୋଇଛି।

୨୫ ଜୁଲାଇ ୨୦୨୩ ରୁ କାର୍ଯ୍ୟ ଆରମ୍ଭ ହୋଇ ୨୪ ଡିସେମ୍ବର ୨୦୨୪ରେ କାର୍ଯ୍ୟ ସରିବା ପାଇଁ ସୂଚନା ଫଳକରେ ଉଲ୍ଲେଖ ରହିଛି। ହେଲେ ଠିକାସଂସ୍ଥାର ମନମାନି ଯୋଗୁଁ ଏଯାଏ ଅଧା କାମବି ହୋଇପାରିନାହିଁ। ଫଳରେ ଯାଜପୁର ଜିଲ୍ଲାରୁ ଢେଙ୍କାନାଳ ଜିଲ୍ଲାକୁ ସଂଯୋଗ କରୁଥିବା ଏହିରାସ୍ତା ଦେଇ ପ୍ରତିଦିନ ଯାତାୟାତ କରୁଥିବା ଲୋକମାନେ ନାନା ଅସୁବିଧା ସମ୍ମୁଖୀନ ହେଉଛନ୍ତି। ସେହିପରି ବିଭାଗୀୟ ଅଧିକାରୀ କାର୍ଯ୍ୟସ୍ଥଳରେ ଅନୁପସ୍ଥିତ ରହୁନଥିବାରୁ ଠିକାସଂସ୍ଥା କର୍ମଚାରୀ ନିମ୍ନମାନର କାର୍ଯ୍ୟ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଦୁଇଦିନ ତଳେ ଏପରି ଅଭିଯୋଗକୁ ନେଇ ରାଇଛନ୍ଦା ପଞ୍ଚାୟତର ଲୋକମାନେ କାର୍ଯ୍ୟବନ୍ଦ କରିଥିଲେ। ବିଲମାଟି ପକାଇ ଠିକାଦାର କାମ କରୁଥିବାରୁ ଅସରାଏ ବର୍ଷାରେ ବାଇକ୍‌ ତ ଦୂରର କଥା ସାଇକଲ୍‌ ମଧ୍ୟ ଯିବା କଷ୍ଟକର ହୋଇପଡ଼ୁଛି। ୨୦୨୨ ଅଗଷ୍ଟ ୨୯ ତାରିଖରେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏହି ରାସ୍ତାର ଶିଳାନ୍ୟାସ କରିଥିଲେ। ତୁରନ୍ତ କାର୍ଯ୍ୟ ନସାରିଲେ ରାଇଛନ୍ଦା ପଞ୍ଚାୟତବାସୀଙ୍କ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର