ଶିକ୍ଷକ ବଦଳି ପ୍ରତିବାଦରେ ଧାରଣା

ଚଣ୍ଡିଖୋଲ : ଦୁଇଜଣ ଶିକ୍ଷକଙ୍କ ବଦଳି ଆଦେଶ ପ୍ରତିବାଦରେ ବଡ଼ଚଣା ବ୍ଲକ୍‌ ସୁଙ୍ଗୁଡ଼ା ପଞ୍ଚାୟତ ନିଶିମଳା ନୋଡାଲ ଉପ୍ରା ବିଦ୍ୟାଳୟରେ ଆଜି ଗ୍ରାମବାସୀ, ଅଭିଭାବକ ଓ ଛାତ୍ରଛାତ୍ରୀ ଧାରଣା ଦେଇଥିଲେ। ସୂଚନା ମୁତାବକ, ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ଏଠାରେ ୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ଜଣେ ଶିକ୍ଷକ କୃଷ୍ଣଚନ୍ଦ୍ର ସାହୁ ଓ ଶିକ୍ଷୟିତ୍ରୀ ମଞ୍ଜୁଲତା ବିଶ୍ୱାଳଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ଖବର ପାଇ ଗ୍ରାମବାସୀ ଓ ଅଭିଭାବକ ଏହାର ପ୍ରତିବାଦ କରିଥିଲେ।

ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣା ଦେଇଥିଲେ। ଏନେଇ ପ୍ରଧାନଶିକ୍ଷକ ପ୍ରଭାତ କୁମାର ଜେନା ବିଇଓ ସବିତା ସାହୁଙ୍କୁ ଅବଗତ କରାଇଥିଲେ। ବିଇଓଙ୍କ ନିର୍ଦ୍ଦେଶରେ ଏବିଇଓ ଏବଂ ସିଆରସିସି ପହଞ୍ଚି ଧରଣାରତ ଗ୍ରାମବାସୀ ଓ ଅଭିଭାବକଙ୍କୁ ବୁଝାସୁଝା କରିଥିଲେ। ଉଚ୍ଚ ଅଧିକାରୀଙ୍କ ସହିତ ଆଲୋଚନା କରାଯାଇ ଆବଶ୍ୟକ ସ୍ଥଳେ ଦୁଇ ଶିକ୍ଷକଙ୍କ ବଦଳି ଆଦେଶ ବାତିଲ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହାର ହୋଇଥିଲା।

ସମ୍ବନ୍ଧିତ ଖବର