ଠିକ୍‌ ସମୟରେ ଖୋଲାହେଲାନି ସ୍କୁଲ ଫାଟକ, ଖରାରେ ସିଝିଲେ ପିଲା

ବାଲିକୁଦା: ବଡ଼ଚଣା ବ୍ଲକ୍‌ ରଇପୁର ସାଧନକେନ୍ଦ୍ର ଅନ୍ତର୍ଗତ ରଇପୁର ସରକାରୀ ଉଚ୍ଚବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ନିର୍ଦ୍ଧାରିତ ସମୟରେ ବିଦ୍ୟାଳୟ ଫାଟକ ତାଲା ନ ଖୋଲିବାରୁ ବାହାରେ ୪୫ ମିନିଟ ଧରି ଖରାରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଅପେକ୍ଷା କରିଥିବା ଅଭିଯୋଗ ହୋଇଛି। ଖବରପାଇ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ କିଛି ବରିଷ୍ଠ ବ୍ୟକ୍ତି ପହଞ୍ଚିବା ପରେ ତାଲା ଖୋଲା ଯାଇଥିଲା ଏବଂ ସମସ୍ତେ ବିଦ୍ୟାଳୟ ପରିସରକୁ ପ୍ରବେଶ କରିଥିଲେ। ସୂଚନାନୁସାରେ, ବିଦ୍ୟାଳୟର ଜଣେ କର୍ମଚାରୀ ଆଜି ବିଦ୍ୟାଳୟକୁ ଆସିନଥିଲେ।

ବିଦ୍ୟାଳୟ ଫାଟକର ଚାବି ତାଙ୍କ ନିକଟରେ ରହିଥିଲା। ଆଉ ଗୋଟିଏ ଚାବି ମଧ୍ୟ ଅନ୍ୟଜଣେ ଶିକ୍ଷକଙ୍କ ନିକଟରେ ରହିଥିଲା। କର୍ମଚାରୀ ଜଣକ ଆସିନଥିବା ବ‌େଳେ ଅନ୍ୟ ଶିକ୍ଷକ ଜଣକ ମଧ୍ୟ ଆସିନଥିଲେ। ଫଳରେ ଫାଟକ ବାହାରେ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ହନ୍ତସନ୍ତ ହୋଇଥିଲେ। ନିୟମାନୁସାରେ ସକାଳ ଘ୯.୩୦ ମିନିଟରେ ବିଦ୍ୟାଳୟ ଫାଟକ ଖୋଲାଯିବା ପରେ ୧୦ଟାରେ ପ୍ରାର୍ଥନା କରାଯିବା କଥା। ହେଲେ ଏଥିପ୍ରତି ଆଜି ଗୁରୁତ୍ବ ଦିଆଯାଇନଥିଲା। ନିର୍ଦ୍ଧାରିତ ସମୟ ପୂର୍ବରୁ ଛାତ୍ରଛାତ୍ରୀ ଫାଟକ ନିକଟରେ ରୁଣ୍ଡ ହୋଇଥିଲେ। ଛାତ୍ରଛାତ୍ରୀ ଖରାରେ ଛିଡ଼ା ହୋଇଥିବା ଦେଖି ସ୍ଥାନୀୟ ସରପଞ୍ଚ ବିଭୁପ୍ରସାଦ ଦାସ, ସମିତିସଭ୍ୟ ବିଚିତ୍ରାନନ୍ଦ ଜେନା, ଗ୍ରାମର ବରିଷ୍ଠ ବ୍ୟକ୍ତି ଶିବପ୍ରସାଦ ପଟ୍ଟନାୟକ, ବାଇଧର ସେନାପତି ପ୍ରମୁଖ ସେଠାରେ ପହଞ୍ଚିଥିଲେ। ପରେ ୧୦ଟା ୧୦ ମିନିଟ୍‌ରେ ତାଲା ଖୋଲା ହୋଇଥିଲା। ପ୍ରଧାନ ଶିକ୍ଷୟିତ୍ରୀ ପହଞ୍ଚି ଆଗକୁ ଆଉ ଏଭଳି ତ୍ରୁଟି ହେବନାହିଁ ବୋଲି କହିଥିଲେ।

ସମ୍ବନ୍ଧିତ ଖବର