ଜଣେ ରାଜା ଥିଲେ। ସେ ଥରେ ତାଙ୍କ ଦରବାରର ଜ୍ଞାନୀ ଲୋକମାନଙ୍କୁ କହିଲେ- ମୋତେ ଏମିତି ଗୋଟିଏ ମନ୍ତ୍ର ଦିଅ, ଯାହାକୁ ବ୍ୟବହାର କରି ମୁଁ ସବୁ ପ୍ରକାର ବିପଦରୁ ରକ୍ଷା ପାଇଯିବି।
Sambad is now on WhatsApp
Join and get latest news updates delivered to you via WhatsApp
ଜ୍ଞାନୀ ଲୋକମାନଙ୍କ ବୁଦ୍ଧି ହଜିଗଲା। ଏଇ ସମୟରେ ଜଣେ ସୁଫି ସନ୍ଥ ପହଞ୍ଚିଲେ। ରାଜାଙ୍କ କଥା ଶୁଣି ସେ ନିଜ ମୁଣାରୁ ଗୋଟିଏ ଛୋଟ ଚଉତା କାଗଜ ବାହାର କରି ରାଜାଙ୍କୁ କହିଲେ- ଏଇ କାଗଜରେ ମୁଁ ଲେଖିଛି ସେମିତି ଏକ ଅବ୍ୟର୍ଥ ମନ୍ତ୍ର। କିନ୍ତୁ ଯେତେବେଳେ ଆପଣ ଦେଖିବେ ଯେ ବିପଦରୁ ବର୍ତ୍ତିବା ଲାଗି କୌଣସି ବାଟ ନାହିଁ, ଶେଷ ଆଶା ବି ମରିଗଲା, ସେତିକି ବେଳେ ଏହାକୁ ଖୋଲି ମନ୍ତ୍ରଟି ପଢ଼ିବେ। କିନ୍ତୁ ବିନ୍ଦୁଏ ବି ଆଶା ଥିବା ବେଳେ ଯଦି ସେ କାଗଜ ଖୋଲି ମନ୍ତ୍ର ପଢ଼ିବେ, ତେବେ ତାହା କାମ କରିବ ନାହିଁ।
ରାଜା ଏହା ପାଇ ଆଶ୍ବସ୍ତ ଦେଖାଗଲେ। କାଗଜଟିକୁ ଭାଙ୍ଗି ଚଉତି ନିଜ ମୁଦିରେ ଲାଗିଥିବା ହୀରା ପଥର ତଳେ ରଖିଲେ।
ଏହା ପରେ ବିତିଗଲା ଅନେକ ବର୍ଷ। ରାଜାଙ୍କ ଜୀବନରେ ବହୁତ ବିପଦ ଆସିଲା। ରାଜା ସେସବୁର ମୁକାବିଲା କଲେ। ସେ ଅପେକ୍ଷା କଲେ କେତେବେଳେ ଏମିତି ସ୍ଥିତି ଆସିବ ଯେତେବେଳେ ତାଙ୍କୁ ମନ୍ତ୍ରର ସାହାଯ୍ୟ ନେବାକୁ ପଡ଼ିବ। କିନ୍ତୁ ସେମିତି ସ୍ଥିତି ଆସିଲା ନାହିଁ। ଯେତେ ବଡ଼ ବିପଦ ହେଉ, ତା’ର ମୁକାବିଲା କଲା ବେଳେ ଆଶା ଶୂନ୍ୟ ହୋଇଯାଇଥିବା ବେଳେ ବି ଅନ୍ୟ କେଉଁ ଦିଗରୁ ଆଶାର କିରଣ ଝଲସିବା ଭଳି ଲାଗୁଥିଲା। ଏମିତି ଭାବେ ରାଜା ସବୁ ପ୍ରକାର ବିପଦକୁ ଅତିକ୍ରମ କରିଗଲେ।
ଶେଷରେ ରାଜାଙ୍କ ଶେଷ ମୁହୂର୍ତ୍ତ ଆସି ଉପନୀତ ହେଲା। ବୃଦ୍ଧ ରାଜା ମୃତ୍ୟୁ ଶଯ୍ୟାରେ ଶୋଇଥିଲେ। ଏତିକି ବେଳେ ସେ ସୁଫି ସନ୍ଥ ଦେଇଥିବା ମନ୍ତ୍ରକୁ ଥରେ ପଢ଼ିବା ଲାଗି ଚାହିଁଲେ। ସେ କାଗଜ ଖୋଲି ଦେଖିଲେ ଯେ ତହିଁରେ କିଛି ଲେଖାନାହିଁ। କିନ୍ତୁ ରାଜା ଆଶ୍ଚର୍ଯ୍ୟ ହେଲେ ନାହିଁ। କାରଣ ବୃଦ୍ଧ ହେବା ସହିତ ସେ ପ୍ରବୁଦ୍ଧ ହୋଇସାରିଥିଲେ ଏବ˚ ସନ୍ଥଙ୍କ ଅସଲ ମର୍ମ ବୁଝିପାରିଥିଲେ। କାରଣ ଏମିତି କୌଣସି ସମସ୍ୟା ନ ଥିଲା ଯାହାର ସମାଧାନ ନିଜ ଚେଷ୍ଟାରେ ସମ୍ଭବ ନୁହେଁ।