ସରଳ ବିଚାର/ ବିରୋଧୀଙ୍କ ଆଇନଗତ ମେଣ୍ଟ ଜରୁରୀ

ସରଳ କୁମାର ଦାସ

ରାୟପୁର ଠାରେ ଅନୁଷ୍ଠିତ କଂଗ୍ରେସର ମହାଧିବେଶନରେ ବିଶିଷ୍ଟ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭି ଦେଶର ରାଜନୈତିକ ବାତାବରଣକୁ ଦୃଷ୍ଟିରେ ରଖି ବିରୋଧୀ ଦଳଙ୍କ ମଧ୍ୟରେ ରାଜନୈତିକ ମେଣ୍ଟ ଗଠନ ପୂର୍ବରୁ ପ୍ରଥମେ ଏକ ଆଇନଗତ ମେଣ୍ଟ ଗଠନର ଆବଶ୍ୟକତା ନେଇ ପ୍ରଖର ଯୁକ୍ତି ବାଢ଼ିଥିଲେ। କଂଗ୍ରେସର ସଦସ୍ୟ ନ ଥିବା ଅନ୍ୟତମ ବିଶିଷ୍ଟ ଆଇନଜ୍ଞ କପିଳ ଶିବଲ ମଧ୍ୟ ବିରୋଧୀ ଦଳଗୁଡ଼ିକୁ ଅନୁରୂପ ଭାବେ ଏକ ଆଇନଗତ ମେଣ୍ଟରେ ବାନ୍ଧି ରଖିବା ଲାଗି ‘ଇନସାଫ କେ ସିପାହି’ ନାମକ ଏକ ମଞ୍ଚର ଗଠନ କରିଛନ୍ତି। ଠିକ୍ ଏତିକି ବେଳେ ଅଦାଲତଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ଯେଉଁ ତତ୍ପରତାର ସହିତ ରାହୁଳ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ କରାଗଲା, ତାହା ସ୍ୱାଭାବିକ ଭାବେ ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରି ଉପରୋକ୍ତ ଆଇନଗତ ମେଣ୍ଟର ପରିକଳ୍ପନାକୁ ବାସ୍ତବ ରୂପ ଦେବାର ସମ୍ଭାବନା ସୃଷ୍ଟି କରିଛି।
ଏକ ବିଡ଼ମ୍ବନା ସ୍ବରୂପ ମାତ୍ର ଏକ-ତୃତୀୟାଂଶରୁ ସାମାନ୍ୟ ଅଧିକ ଭୋଟ ପାଇ ବିଜେପି ୩୦୩ ଆସନ ସହ କ୍ଷମତା ଦଖଲ କରିବାକୁ ସମର୍ଥ ହୋଇଥିବା ବେଳେ ବିରୋଧୀ ଦଳଗୁଡ଼ିକ ଯଥେଷ୍ଟ ଅଧିକ ଭୋଟ ପାଇ ସୁଦ୍ଧା ମେଣ୍ଟ ବା ସମନ୍ୱୟ ଅଭାବରୁ ବିଜେପିର ମୁକାବିଲା କରିବାକୁ ଅସମର୍ଥ ହେଉଛନ୍ତି। ଏଭଳି ସ୍ଥଳେ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ମେଣ୍ଟ ଗଠନ ଉପରେ ଗୁରୁତ୍ୱ ଦିଆଯାଉଛି। କିନ୍ତୁ କିଛି ଦଳ କଂଗ୍ରେସରୁ ବାହାରି ତିଆରି ହୋଇଥିଲା ବେଳେ ଆଉ କିଛି ମୂଳରୁ କଂଗ୍ରେସ ବିରୋଧୀ ରାଜନୀତି କରି ଆସିଥିବାରୁ ସେମାନଙ୍କ ପକ୍ଷେ କଂଗ୍ରେସ ସହ ମେଣ୍ଟ ଗଠନ ଅସହଜ ହେଉଛି। ଅବଶ୍ୟ, କିଛି ଦଳ ପରବର୍ତ୍ତୀ ସମୟରେ କଂଗ୍ରେସର ନିକଟତର ହୋଇଛନ୍ତି ମଧ୍ୟ। ଅଧିକନ୍ତୁ, ଆପ୍ ଦଳର ଅଭିବୃଦ୍ଧିର କାରଣ ଅନେକ ଦୃଷ୍ଟିରୁ କଂଗ୍ରେସର ବିଫଳତା ବୋଲି ମନେ କରାଯାଏ। ତା’ ଛଡ଼ା ବିଭିନ୍ନ ପ୍ରସଙ୍ଗରେ ପ୍ରତିଟି ଦଳର ଭିନ୍ନ ଭିନ୍ନ ମତ ରହିବା ବି କିଛି ବିଚିତ୍ର ନୁହେଁ। ତେଣୁ ନିଜ ନିଜ ଅଞ୍ଚଳରେ ନିଜ ପତିଆରାକୁ ଅତୁଟ ରଖିବା ସହ ଭବିଷ୍ୟତରେ ବିସ୍ତାର ପାଇଁ ଆଶାୟୀ ଦଳଗୁଡ଼ିକ ପରସ୍ପରକୁ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ରୂପେ ଦେଖନ୍ତି। ତେଣୁ, ବିରୋଧୀ ଦଳଙ୍କୁ ନେଇ ରାଜନୈତିକ ମେଣ୍ଟ ଗଠନ ସହଜ ନୁହେଁ। ଏହା ସତ୍ତ୍ୱେ କଂଗ୍ରେସକୁ ବାଦ୍ ଦେଇ ଦେଶବ୍ୟାପୀ କୌଣସି ମେଣ୍ଟର ପରିକଳ୍ପନା କରାଯାଇପାରିବ ନାହିଁ ବୋଲି ସମସ୍ତେ ହୃଦ୍‌ବୋଧ କରୁଛନ୍ତି। ଏପରି ସ୍ଥଳେ ଗତ କିଛି ମାସ ଧରି ଏକ ସୁନିୟୋଜିତ ଢଙ୍ଗରେ କେନ୍ଦ୍ରୀୟ ସଂସ୍ଥାଙ୍କ ଦୁରୁପଯୋଗ କରି ବିଭିନ୍ନ ବିରୋଧୀ ଦଳର ନେତାମାନଙ୍କୁ ଜେଲ୍‌ରେ ପୂରାଇ ସେଗୁଡ଼ିକୁ ଦୁର୍ବଳ କରି ଦିଆଯିବାର ଯିବାର ପ୍ରୟାସ ହେଉଥିବାର ଅଭିଯୋଗ ହେଉଛି। ଏପରି କି କେନ୍ଦ୍ରୀୟ ସଂସ୍ଥାଙ୍କ ମାଧ୍ୟମରେ ଦଳ ବିଭାଜନ, କ୍ଷମତା ଦଖଲ ଭଳି ଅଗଣତାନ୍ତ୍ରିକ କାର୍ଯ୍ୟଗୁଡ଼ିକୁ ରୂପ ଦିଆଯାଉଥିବାର ଅଭିଯୋଗ ମଧ୍ୟ ହେଉଛି। ଯେନତେନ ପ୍ରକାରେଣ ବିଜେପି କ୍ଷମତାରେ ରହିବାକୁ ଚାହୁଁଥିବା କଥା ଏବେ ବିରୋଧୀ ଦଳଙ୍କ ନିକଟରେ ସ୍ପଷ୍ଟତର ହୋଇ ଉଠିଲାଣି। ସେହି ଦଳଗୁଡ଼ିକର କିଛି ନେତା ଲାଭ ଓ ଲୋଭରେ ଦଳ ଛାଡୁଥିବା ବେଳେ ସେଭଳି କରୁ ନ ଥିବା କିଛି ନେତାଙ୍କୁ କେନ୍ଦ୍ରୀୟ ସଂସ୍ଥାଙ୍କ କ୍ଷମତାର ଦୁରୁପଯୋଗରେ ହଇରାଣ କରାଯାଉଛି। ଦୁର୍ନୀତିଗ୍ରସ୍ତ ନେତା ଶାସକ ଦଳର ହୋଇଗଲେ ତଦନ୍ତ ବାଟ ହୁଡୁଛି। ‘କଂଗ୍ରେସ ମୁକ୍ତ ଭାରତ’ର କଥା କହୁଥିବା ଶାସକ ଦଳ ପ୍ରକୃତରେ ଏକ ‘ବିରୋଧୀ ମୁକ୍ତ ଭାରତ’ର ସ୍ୱପ୍ନ ଦେଖୁଛି ବୋଲି ଏକ ଅସ୍ବସ୍ତିକର ଭୟ ମୁଣ୍ଡ ଟେକିଲାଣି। ତେଣୁ ରାଜନୈତିକ ବିସ୍ତାରର ସ୍ୱପ୍ନ ଦେଖିବା ପୂର୍ବରୁ ନିଜ ଅସ୍ତିତ୍ୱର ଲଢ଼େଇ ପାଇଁ ଏକ ଆଇନଗତ ମେଣ୍ଟର ଆବଶ୍ୟକତା ରହିଛି, ଯଦ୍ଦ୍ବାରା କେନ୍ଦ୍ରୀୟ ସଂସ୍ଥାଙ୍କ କ୍ଷମତାର ଦୁରୁପଯୋଗ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିହେବ। ଗତ ଦୁଇ ଦଶନ୍ଧି ମଧ୍ୟରେ ହଠାତ୍‌ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇ.ଡି. ‘ମନି ଲଣ୍ଡରିଂ ଆକ୍ଟ’କୁ ଅସ୍ତ୍ର କରି ବଳୀୟାନ ହୋଇ ଉଠିଥିବା ଦେଖାଯାଉଛି। ୨୦୦୨ରେ ଏନ୍‌ଡିଏ ସରକାର ଅମଳରେ ପ୍ରଣୀତ ଏହି ଆଇନଟି ୨୦୦୫ରେ ଉପା ସରକାର ଅମଳରେ ପ୍ରଥମେ କାର୍ଯ୍ୟକାରୀ ହୋଇଥିଲା। ଇତି ମଧ୍ୟରେ ଏହି ଆଇନରେ ଏକାଧିକ ସଂଶୋଧନ ଆଣି ଇ.ଡି.କୁ ଅଧିକ କ୍ଷମତାଶାଳୀ କରାଯାଇଛି। ଏବେ ଇ.ଡି.ର କ୍ଷମତା ବୃଦ୍ଧିର କାରଣଗୁଡ଼ିକୁ ଅନୁଧ୍ୟାନ କରାଯାଉ। ସାଧାରଣତଃ ଆପରାଧିକ ପ୍ରକ୍ରିୟା ଅନୁଯାୟୀ ପୁଲିସ କାହାକୁ ଗିରଫ କଲେ ଅଭିଯୁକ୍ତକୁ ଏଫ.ଆଇ.ଆର.ର ପ୍ରତିଲିପି ଦିଆଯାଇଥାଏ, ଯେଉଁଥିରେ ତା’ ବିରୋଧରେ ଥିବା ଅଭିଯୋଗଗୁଡ଼ିକର ଉଲ୍ଲେଖ ଥାଏ, ଯାହାକୁ ଭିତ୍ତି କରି ଅଭିଯୁକ୍ତ ଜଣକ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବାର ପ୍ରୟାସ କରିଥାଏ। ମାତ୍ର, ‘ମନି ଲଣ୍ଡରିଂ’ ଆଇନ ଅନୁଯାୟୀ ଇ.ଡି. ଯେ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିପାରିବେ, ହେଲେ ଗିରଫ ସମୟରେ ଅଭିଯୁକ୍ତଙ୍କୁ ଇଡି ଦ୍ୱାରା ପ୍ରସ୍ତୁତ ‘ପ୍ରବର୍ତ୍ତନ ମାମଲା ସୂଚନା ରିପୋର୍ଟ’ (ଏଫ୍ଆଇଆର ଭଳିର ପ୍ରତିଲିପି) ଦେବା ବାଧ୍ୟତାମୂଳକ ନୁହେଁ; ଅର୍ଥାତ୍ ଅଭିଯୁକ୍ତଙ୍କୁ କେବଳ ଗିରଫର କାରଣ ଜଣାଇ ଦେଲେ ହିଁ ଯଥେଷ୍ଟ। ତେଣୁ ଇ.ଡି. ଦ୍ୱାରା ଗିରଫ ହେଲେ ସହଜରେ ଜାମିନ ମିଳି ନଥାଏ। ବିରୋଧୀ ଦଳଗୁଡ଼ିକର ଅଭିଯୋଗ ଯେ ଏହାକୁ ବିରୋଧର ସ୍ବରକୁ ଚାପି ଦେବା ଉଦ୍ଦେଶ୍ୟରେ ପ୍ରୟୋଗ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ସାକ୍ଷ୍ୟ ଅଧିନିୟମ, ୧୯୭୨ ଅନୁଯାୟୀ ଅଭିଯୁକ୍ତ ଦ୍ୱାରା ପୁଲିସ ସମ୍ମୁଖରେ ପ୍ରଦାନ କରାଯାଇଥିବା ସ୍ୱୀକାରୋକ୍ତି ଅଦାଲତରେ ପ୍ରମାଣ ରୂପେ ଗ୍ରହଣୀୟ ନୁହେଁ। ହେଲେ ‘ମନି ଲଣ୍ଡରିଂ’ ଆଇନ ଅନୁଯାୟୀ ଇ.ଡି. ଅଧିକାରୀଙ୍କ ସମ୍ମୁଖରେ ପ୍ରଦତ୍ତ ବିବୃତିକୁ ଅଭିଯୁକ୍ତ ବିରୋଧରେ ପ୍ରମାଣ ରୂପେ ବ୍ୟବହାର କରିହୁଏ। ଇ.ଡି. ଦ୍ବାରା ଏଭଳି ଅଧିକାରର ଦୁରୁପଯୋଗ ହେଉଥିବାର ଅଭିଯୋଗ ହୋଇଥାଏ। ରାଜ୍ୟସଭାରେ ପ୍ରଦତ୍ତ ତଥ୍ୟ ଅନୁଯାୟୀ ୨୦୧୪ରୁ ୨୦୨୨ ମଧ୍ୟରେ ଇ.ଡି. ଦ୍ୱାରା ୩୦୧୦ଟି ଚଢ଼ଉ କରାଯାଇଛି। ୨୦୧୪ ପର୍ଯ୍ୟନ୍ତ ମାତ୍ର ୧୧୨ଟି ଚଢ଼ଉ ହୋଇଥିଲା ବେଳେ ଗତ ୮ ବର୍ଷ ମଧ୍ୟରେ ତାହା ପ୍ରାୟ ୨୭ ଗୁଣ ବୃଦ୍ଧି ପାଇଛି। ୨୦୧୪ ପୂର୍ବରୁ ୫୪ ପ୍ରତିଶତ ବିରୋଧୀ ଦଳ ନେତାଙ୍କ ବିରୋଧରେ ତଦନ୍ତ ହୋଇଥିବା ବେଳେ ୨୦୧୪ ପରେ ତାହା ୯୫ ପ୍ରତିଶତରେ ପହଞ୍ଚିସାରିଛି।
ସେହିପରି ୨୦୦୪ରୁ ୨୦୧୪ ମଧ୍ୟରେ ସମୁଦାୟ ୭୨ ଜଣ ରାଜନୈତିକ ନେତାଙ୍କ ବିରୋଧରେ ସି.ବି.ଆଇ. କାର୍ଯ୍ୟାନୁଷ୍ଠାନ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରେ ୪୩ ଜଣ ବା ପ୍ରାୟ ୬୦ ପ୍ରତିଶତ ବିରୋଧୀ ଦଳର ଥିଲେ। ୨୦୧୪ରୁ ସେପ୍‌ଟେମ୍ୱର ୨୦୨୨ ମଧ୍ୟରେ ଏଭଳି କାର୍ଯ୍ୟାନୁଷ୍ଠାନରେ ବୃଦ୍ଧି ଘଟି ତାହା ୧୨୪ରେ ପହଞ୍ଚିଛି, ଯହିଁରୁ ବିରୋଧୀ ଦଳର ନେତାଙ୍କ ସଂଖ୍ୟା ୧୧୮ ବା ୯୫ ପ୍ରତିଶତ ହୋଇଯାଇଛି। ୨୦୧୮ରେ ଦୁର୍ନୀତି ନିବାରଣ ଆଇନରେ ସଂଶୋଧନ କରାଯାଇ ସେଥିରେ ଧାରା ୧୭ (କ) ଯୋଗ ହେବା ପରେ ଦୁର୍ନୀତି ମାମଲା ରୁଜୁ ହେବାର ସଂଖ୍ୟା ପ୍ରାୟ ୪୦ ପ୍ରତିଶତ ହ୍ରାସ ପାଇଥିଲେ ବି ବିରୋଧୀଙ୍କ ବିରୋଧରେ ମାମଲା ବୃଦ୍ଧି ପାଇଛି। ଏହାର ଏକ ବଡ଼ କାରଣ ହେଉଛି ଏହି ଧାରା ୧୭ (କ) ଅନୁଯାୟୀ ସରକାରଙ୍କ ବିନା ଅନୁମୋଦନରେ ସି.ବି.ଆଇ. ନିଜ ଆଡୁ କୌଣସି ତଦନ୍ତ ବା ଅନୁସନ୍ଧାନ କରିପାରିବ ନାହିଁ। ଥରେ ଭାବନ୍ତୁ ତ କେଉଁ ଦଳ ନିଜ ଦଳର ନେତାଙ୍କ ବିରୋଧରେ ତଦନ୍ତ ପାଇଁ ଅନୁମତି ଦେବ!
ନିଜ ନିଜ ଦଳର ରାଜନୈତିକ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ପରସ୍ପର ଠାରୁ ନିରାପଦ ଦୂରତା ରକ୍ଷା କରି ଆସୁଥିବା କିଛି ବିରୋଧୀ ଦଳ ଏବେ ଆଇନଗତ ମେଣ୍ଟ ଗଠନ କରି ସେହି ଦୂରତାକୁ କମାଇବାକୁ ଚାହିଁଲେଣି। ରାହୁଳ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେବା ପରେ ତୃଣମୂଳ କଂଗ୍ରେସ, ବିଆରଏସ, ଆପ୍ ପରି ଦଳଗୁଡ଼ିକ ଅସୁରକ୍ଷିତ ଏବଂ ଆତଙ୍କିତ ହୋଇ ଏବେ କଂଗ୍ରେସ ସହ ଏକ ଆଇନଗତ ମେଣ୍ଟରେ ଆବଦ୍ଧ ହୋଇ ସାରିଛନ୍ତି। ମାର୍ଚ୍ଚ ୨୪, ୨୦୨୩ ରାହୁଳ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବା ଦିନ ହିଁ ଜାତୀୟ କଂଗ୍ରେସ, ଡିଏମକେ, ଆରଜେଡି, ବିଆରଏସ, ତୃଣମୂଳ କଂଗ୍ରେସ, ଆପ୍, ଏନସିପି, ଶିବସେନା (ଉଦ୍ଧବ ଗୋଷ୍ଠୀ), ସିପିଏମ, ସିପିଆଇ, ସମାଜବାଦୀ ପାର୍ଟି ଓ ନ୍ୟାସନାଲ କନଫରେନ୍‌ସ ପରି ୧୪ଟି ରାଜନୈତିକ ଦଳ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଦୁରୁପଯୋଗ ପ୍ରତିବାଦରେ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହେଲେ। ଉଲ୍ଲେଖଯୋଗ୍ୟ ଯେ ଏହି ଦଳଗୁଡ଼ିକ ୨୦୧୯ର ସାଧାରଣ ନିର୍ବାଚନ ଆଧାରରେ ୪୨.୫ ପ୍ରତିଶତ ଭୋଟରଙ୍କ ପ୍ରତିନିଧିତ୍ୱ କରୁଥିବା ବେଳେ ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କ୍ଷମତାରେ ଅଛନ୍ତି। ବିରୋଧୀ ଦଳଗୁଡ଼ିକ ସୁପ୍ରିମ୍‌ କୋର୍ଟଙ୍କ ନିକଟରେ ସେମାନଙ୍କ ଆବେଦନରେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ କଣ୍ଠରୋଧ କରିବା ଉଦ୍ଦେଶ୍ୟରେ ସି.ବି.ଆଇ. ଓ ଇ.ଡି. ପରି ସଂସ୍ଥାଗୁଡ଼ିକର ଦୁରୁପଯୋଗ କରାଯାଉଛି। ଦୁର୍ନୀତି ନିବାରଣ ନୁହେଁ ବରଂ ବିରୋଧୀ ଦଳର ନେତାମାନଙ୍କୁ ହଇରାଣ ହରକତ କରିବା ଯେପରି ଏକମାତ୍ର ଉଦ୍ଦେଶ୍ୟ ହୋଇପଡ଼ିଛି। ଅଦାଲତ ନିକଟରେ ସେମାନଙ୍କ ଦ୍ୱାରା ଉପସ୍ଥାପିତ ତଥ୍ୟରେ ଦର୍ଶାଯାଇଛି ଯେ ୨୦୦୫-୧୪ ମଧ୍ୟରେ ଏହି ସଂସ୍ଥାଗୁଡ଼ିକ ଦ୍ୱାରା ହୋଇଥିବା ଚଢ଼ଉ ପରେ ୯୩ ପ୍ରତିଶତ ମାମଲାରେ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା ବେଳେ ୨୦୧୪-୨୨ ମଧ୍ୟରେ ତାହା ମାତ୍ର ୨୨ ପ୍ରତିଶତକୁ ଖସିଆସିଛି। ଅନ୍ୟ ପକ୍ଷରେ ମାମଲା ସଂଖ୍ୟାରେ ବୃଦ୍ଧି ଘଟି ୨୦୨୧-୨୨ ସୁଦ୍ଧା ୧୧୮୦ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇ ସାରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ‘ମନି ଲଣ୍ଡରିଂ’ ଆଇନରେ ମାତ୍ର ୨୩ ଜଣ ଦୋଷୀ ସାବ୍ୟସ୍ତ ହେବା ଉଦ୍‌ବେଗଜନକ। ତେଣୁ ଗିରଫ ଓ ରିମାଣ୍ଡ କ୍ଷେତ୍ରରେ ଏହି ଅନୁଷ୍ଠାନଗୁଡ଼ିକୁ ଅବାଧ ସ୍ୱାଧୀନତା ପ୍ରଦାନ ନ କରି ସୁପ୍ରିମ୍‌ କୋର୍ଟ ଏକ ମାର୍ଗଦର୍ଶିକା ଜାରି କରିବାକୁ ଆବେଦନ କରାଯାଇଛି। ତଦନୁଯାୟୀ ଜ୍ଞାତସାରରେ ହେଉଥିବା (କଗ୍‌ନିଜେବଲ) ଅପରାଧ କ୍ଷେତ୍ରରେ ପୁଲିସ, ଇ.ଡି. ଅଧିକାରୀ ଓ ଅଦାଲତଗୁଡ଼ିକ ଗିରଫ ଓ ରିମାଣ୍ଡ ପୂର୍ବରୁ ବ୍ୟକ୍ତି ଜଣକର ପଳାତକ ହେବାର ଆଶଙ୍କା, ପ୍ରମାଣ ନଷ୍ଟ କରିବାର ଆଶଙ୍କା ଓ ସାକ୍ଷୀଙ୍କୁ ପ୍ରଭାବିତ ବା ଭୟଭୀତ କରିବାର ଆଶଙ୍କା ଭଳି ସମ୍ଭବାନକୁ ବିବେଚନାକୁ ନେବା ଆବଶ୍ୟକ। ସେଭଳି ଆଶଙ୍କା ନଥିଲେ ନିର୍ଦ୍ଦିଷ୍ଟ ସମୟରେ ପଚରାଉଚୁରା ବା ଗୃହବନ୍ଦୀ ଭଳି ବିକଳ୍ପ ବ୍ୟବସ୍ଥା ମାଧ୍ୟମରେ ଅନୁସନ୍ଧାନ କରାଯାଇପାରେ। ଏହି ମାମଲାରେ ସୁପ୍ରିମ୍‌ କୋର୍ଟଙ୍କ ରାୟ ଗୁରୁତ୍ୱପୂର୍ଣ୍ଣ ହେବ। ତେଣୁ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ରାହୁଳ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ କରିବାରେ ଲୋକସଭା ସଚିବାଳୟ ଯେଉଁ ତତ୍ପରତା ପ୍ରଦର୍ଶନ କଲେ, ତା’ର ପ୍ରତିକ୍ରିୟା ଉଭୟ ଦେଶ ଭିତରେ ଓ ବିଦେଶରେ ଦେଖିବାକୁ ମିଳିଲାଣି। ଏଥି ପୂର୍ବରୁ ବିରୋଧୀ ଦଳର କୌଣସି ନେତା ଅନ୍ୟାୟର ଶିକାର ହେଲେ ସବୁ ଦଳ ଏକାଠି ହୋଇ ତା’ର ବିରୋଧ କରୁ ନ ଥିଲେ। ହେଲେ, ଏବେ ସବୁ ବିରୋଧୀ ଦଳ ଆଇନଗତ ଭାବେ ହେଉ ପଛେ ପ୍ରଥମ ଥର ଲାଗି ଏକଜୁଟ ହୋଇଛନ୍ତି, ଯାହା ନୂତନ ଆଶା ଉଦ୍ରେକ କରିଛି। ଏକ ବୃହତ୍ତର ରାଜନୈତିକ ଲକ୍ଷ୍ୟ ହାସଲ କରିବା ପାଇଁ ଏହା ଗୁରୁତ୍ବପୂର୍ଣ୍ଣ। ଏକ ବୃହତ୍ତର ରାଜନୈତିକ ଲକ୍ଷ୍ୟ ହାସଲ କରିବା ଲାଗି ବିରୋଧୀ ଦଳଗୁଡ଼ିକ ମତାନୈକ୍ୟ ବା ବିରୋଧକୁ ସାମୟିକ ଭାବେ ଅଣଦେଖା କରିବା ଉଚିତ। ତେବେ, ଆଇନଗତ ମେଣ୍ଟ ଯଦି ରାଜନୈତିକ ମେଣ୍ଟରେ ପରିବର୍ତ୍ତିତ ହୁଏ, ତେବେ ତାହା ଭାରତୀୟ ରାଜନୀତିକୁ ଗଭୀର ଭାବେ ପ୍ରଭାଭିତ କରିବ।
ମୋ: ୯୪୩୭୦୩୮୦୧୫

ସମ୍ବନ୍ଧିତ ଖବର