କଳାକାର ଦମ୍ପତି ବିଜୟ-ହରପ୍ରିୟାଙ୍କ ଅନ୍ତର କଥା : ସଙ୍ଗୀତ ଆମକୁ ଏକାଠି କରିଛି

ଉଭୟ ଆକାଶବାଣୀ ଓ ଦୂରଦର୍ଶନର ସ୍ବୀକୃତିପ୍ରାପ୍ତ କଣ୍ଠଶିଳ୍ପୀ। ଏ ଦୁହେଁ ଓଡ଼ିଶୀ, ହିନ୍ଦୁସ୍ତାନୀ, ଗଜଲ, ଲୋକଗୀତ ଓ ଭକ୍ତିସଙ୍ଗୀତରେ ପାରଦର୍ଶୀ। ବିଜୟ ଜେନା ବୃତ୍ତି ଓ ପ୍ରବୃତ୍ତିରେ ନିରୋଳା ସଙ୍ଗୀତ ଶିଳ୍ପୀ। ପତ୍ନୀ ହରପ୍ରିୟା ଗୃହିଣୀ ହେଲେ ମଧ୍ୟ ତାଙ୍କର ପ୍ରବୃତ୍ତି ହେଉଛି ଗୀତ ଗାଇବା। ସଂଯୋଗବଶତଃ ଉଭୟଙ୍କ ମଧ୍ୟରେ ସଙ୍ଗୀତକୁ ନେଇ ପ୍ରେମ ଏବଂ ପରବର୍ତ୍ତୀ ସମୟରେ ପରସ୍ପରର ଜୀବନସାଥୀ ହେଲେ। ଘର, ପରିବାର ଓ ସଙ୍ଗୀତ ସଂସାରରେ ଉଭୟ ଅନେକଙ୍କ ପାଇଁ ଆଦରଣୀୟ। ଏଥର ଯୁଗଳବନ୍ଦୀରେ ବିଜୟ-ହରପ୍ରିୟାଙ୍କ ଅନ୍ତର କଥା।

ବିଜୟ କୁମାର ଜେନା। ସେ ପୁରୀ ଜିଲ୍ଲା ବ୍ରହ୍ମଗିରି କାଣ୍ଡଗଦା ଗ୍ରାମର ଯୋଗୀ ଜେନା ଓ ସବିତାଙ୍କ ପୁଅ। ମା’ ଚାଲିଗଲା ପରେ ପିଲାବେଳୁ ସେ ବାପା, ଭାଇ ଓ ଭାଉଜଙ୍କ ପାଖ‌େର ବଢ଼ିଛନ୍ତି। ଗାଁ ଲୋକେ କହନ୍ତି ତାଙ୍କ ମଥାରେ ମା’ଙ୍କ ଆଶୀର୍ବାଦ ରହିଛି, ସେ ଦିନେ ସଙ୍ଗୀତ କ୍ଷେତ୍ରରେ ଶୀର୍ଷକୁ ଯିବ। ସତକୁ ସତ ବିଜୟ ଆଜି ଓଡ଼ିଶା ସଙ୍ଗୀତ ଜଗତର ଶୀର୍ଷରେ ପହଞ୍ଚିଛନ୍ତି।

ବିଜୟ ଜେନା କହନ୍ତି, ବିଦ୍ୟାଳୟରେ ଗୀତ ଗାଇବା ବେଳେ ସାଙ୍ଗମାନେ ଟେବୁଲ ବାଡ଼େଇ ମୋ ଗୀତରେ ତାଳ ଦେଉଥିଲେ। ସେମାନେ କହିଲେ ତୁ ପ୍ରତିଦିନ ପାଣି ଭିତରେ ଘଣ୍ଟାଏ ଛିଡ଼ାହୁଅ, ତୋର କଣ୍ଠ ଭଲ ରହିବ। ମୁଁ ପ୍ରତିଦିନ ସକାଳୁ ଯାଇ ପେଟେ ପାଣିରେ ଛିଡ଼ାହୁଏ। ପୁରୀ ଏସ୍‌ସିଏସ୍ କଲେଜ୍‌ରେ ପଢ଼ିବା ବେଳେ ଦୁଇ ମାସ ବଳଭଦ୍ର ପ୍ରତିହାରୀଙ୍କଠାରୁ ସୁରଭାରତୀ ଅନୁଷ୍ଠାନରୁ ଗୀତ ଶିଖିଲି। ପ‌େର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟକୁ ଆସିଲି। ଭିକାରୀ ବଳ, ଗୋପାଳଚନ୍ଦ୍ର ପଣ୍ଡା, ଭୁବନେଶ୍ବର ମିଶ୍ର, ରାମହରି ଦାସ, ରଘୁନାଥ ପାଣିଗ୍ରାହୀଙ୍କଠାରୁ ସଙ୍ଗୀତ ଶିଖିଲି। ଦିନକୁ ୮ଘଣ୍ଟା ସାଧନା କରୁଥିଲି। ଗୁରୁ ଗଙ୍ଗାଧର ପ୍ରଧାନ ମଧ୍ୟ ମୋତେ ବହୁତ ଗାଇଡ୍‌ କରୁଥିଲେ। ଗେ‌ାପାଳ ସାର ଯାହା ତାଳ ବୁଝାଉଥିଲେ ମୁଁ ବୁଝି ପାରୁ ନ ଥିଲି, ସେତେବେଳେ ମୁଁ ବୁଝିଲି ସତରେ ମୁଁ ତାଙ୍କଠାରୁ ସଙ୍ଗୀତର ଅମୃତ ପାଇଗଲି। ସେତେବେଳେ ମୁଁ ସୋଲ ଗାୟକ ଭା‌େବ ଠିଆହେବାକୁ ଚାହୁଥିଲି। ରାମହରି ସାରଙ୍କ ଟେକ୍‌ନିକ୍, ଭିକାରି ଚରଣ ବଳଙ୍କ ଭାବ, ରଘୁନାଥ ପାଣିଗ୍ରାହୀଙ୍କ ମୂର୍ଚ୍ଛନା ଓ ଶୈଳୀ, ଭୁବନେଶ୍ବର ମିଶ୍ରଙ୍କ ସ୍ବର ସାଧନା ମୋତେ ପ୍ରଭାବିତ କଲା। ଗୀତରେ କିଛି ଜ୍ଞାନ ଆସିଯିବା ପରେ ମୁଁ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା, ରାଜାରାଣୀ ଉତ୍ସବ, ବାଳକୃଷ୍ଣ ଦାଶ ଫାଉଣ୍ଡେସନ୍‌ରେ ଗାଇବାର ସୁଯୋଗ ପାଇଲି।

୨୦୦୨ ଡିସେମ୍ବର ୨୬ ତାରିଖରେ ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ। ଗୁରୁ କେଳୁଚରଣ ମହାପାତ୍ର, ପଙ୍କଜ ଚରଣ ଦାସ, ଗୁରୁ ଗଙ୍ଗାଧର ପ୍ରଧାନ, ଅରୁଣା ମହାନ୍ତିଙ୍କ ସହ ଓଡ଼ିଶୀ ନୃତ୍ୟରେ ଗୀତ ସଙ୍ଗତ କଲେ। ଏହା ବ୍ୟତୀତ ସେ ଗାଇଥିବା ‘ଗୀତଗୋବିନ୍ଦ’ ସିଡିଟିଏ ମଧ୍ୟ ପ୍ରସ୍ତୁତ ହେଇଛି। ଗୀତ ସହିତ ସହବନ୍ଧିତ ହେଇ ସେ ମଧ୍ୟ ଦୁଇଟି ବହି ଲେଖିଛନ୍ତି- ଗୋଟିଏ ‘ଓଡ଼ିଶୀ ସଙ୍ଗୀତ ଗାୟନ ପଦ୍ଧତି (କ୍ରିୟାତ୍ମକ)’ ଏବଂ ଅନ୍ୟଟି ‘ସଙ୍ଗୀତ ଚନ୍ଦ୍ରିକା’ (ତଥ୍ୟାତ୍ମକ)। ଏହା ବ୍ୟତୀତ ତାଙ୍କୁ କ ସଙ୍ଗୀତ ସମ୍ମାନ, ଚିନ୍ତା ଓ ଚେତନା ରାଷ୍ଟ୍ରୀୟ ସମ୍ମାନ, ଉତ୍କଳ ବିଶ୍ବବିଦ୍ୟାଳୟରୁ ଡକ୍ଟରେଟ୍, ଏବଂ ୨୦୨୧ କେନ୍ଦ୍ରୀୟ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ମିଳିଛି। ଦୁଇ ବର୍ଷ ପାଇଁ ବିଜୟ ଜେନା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଥି‌ଲେ।ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ମହାବିଦ୍ୟାଳୟରେ ତାଙ୍କ ଉଦ୍ୟମରେ ଏକ ମ୍ୟୁଜିୟମ୍ ହେଉଛି, ଯେଉଁଠି କ୍ଲାସିକାଲ ଓ ଲୋକସଙ୍ଗୀତ ବାଦ୍ୟଯନ୍ତ୍ର ସ୍ଥାନୀତ ହେବ। ଏହା ସହିତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେବା ଆଣିବା ପାଇଁ ଗୋଟିଏ ବସ୍‌ର ବ୍ୟବସ୍ଥା ବି ହୋଇଛି। ମହାବିଦ୍ୟାଳୟରେ ବହୁତ ବଡ଼ ଷ୍ଟୁଡିଓ ହେବାକୁ ଯାଉଛି। ସହକର୍ମୀଙ୍କ ସହଯୋଗ ଓ ପ୍ରଶାସକଙ୍କୁ ବଦାନ୍ୟତାକୁ ସେ କୃତଜ୍ଞତା ଜଣାଉଛି।

ବିଜୟ କହନ୍ତି, ମୋର ଇଚ୍ଛା ହେଉଥିଲା ମୁଁ ଟିକେ ଭଜନ ଗାଆନ୍ତି। ବୁଲୁ ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏବଂ ଗୁରୁ ଶତପଥୀଙ୍କ ରଚିତ ୮ଟି ଗୀତରେ ମୁଁ କଣ୍ଠଦାନ କଲି। ଗୀତଗୁଡ଼ିକ ଥିଲା- ‘ତୁମେ ଅନୁଭବର ଠାକୁର’, ‘କେଡ଼େ ମଧୁର ତୁମ ନାମରସ, ‘ନାଟକର ଶେଷଦୃଶ୍ୟ’, ‘ମୁଁ ଉତ୍ତର କବାଟ ହେବି’, ପୁତ୍ରରେ କାଳିଆ’। ଏହାପରେ ପ୍ରାର୍ଥନା ଚ୍ୟାନେଲ୍ ଓ ଦୂରଦର୍ଶନରେ ଗୀତ ଗାଇ ମୁଁ ପରିଚିତ ହେଲି।

ହରପ୍ରିୟା ଯେତେବେଳେ ଓଡ଼ିଶା ଡ୍ୟାନ୍ସ ଏକାଡେମୀରେ ମୋ ସହ ଦେଖାହେଲେ, ସେତେବେଳେ ଆମ ଦୁହିଙ୍କ ଭିତରେ ସଙ୍ଗୀତକୁ ନେଇ ସମ୍ପର୍କ ହେଲା। ପରେ ଆରେଞ୍ଜ ମ୍ୟାରେଜ୍ ହେଲା। ଆଜିଯାଏ ମୋ ବଡ଼ଭାଇ ହାଡ଼ିବନ୍ଧୁ ଜେନା ମୋତେ ପୁତ୍ର ଭଳି ପାଳି ଆସିଛନ୍ତି। ମୋ ପୁତୁରା ଓ ବୋହୂ ସାରା ପରିବାର ସଦସ୍ୟ ଆମେ ସମସ୍ତେ ଏକାଠି ରହୁଛୁ। ଆ‌ମର ଯୌଥ ପରିବାର। ମୁଁ ମୋ ସହଧର୍ମିିଣୀଙ୍କ ପାଖରେ କୃତଜ୍ଞ ରହିବି, କାରଣ ସେ ମୋତେ ପରିବାର ପୋଷଣରେ ବହୁତ ସହଯୋଗ କରିଛନ୍ତି। ମହାପ୍ରଭୁଙ୍କ ନିକଟରେ ଓଡ଼ିଶୀ ସଙ୍ଗୀତକୁ ସାରାଜୀବନ ଉତ୍ସର୍ଗ କରିବାକୁ ମୁଁ କୃପାଭିକ୍ଷା କରୁଛି।

ହରପ୍ରିୟା କହନ୍ତି, ରେଡିଓରୁ ମୁଁ ସଙ୍ଗୀତ ଶୁଣିଥିଲି। ମୁଁ ମଧ୍ୟ ଗୀତ ଗାଉଥିଲି, ମୋ ଅଜା ଓ ମା’ ମୋ ସଙ୍ଗୀତର ପ୍ରେରଣା। ଅଜା ଯାତ୍ରାର ସଙ୍ଗୀତ ନିର୍ଦ୍ଦେଶକ ଥିଲେ। ପଞ୍ଚମ ଶ୍ରେଣୀରୁ ମୁଁ ଗୀତ ଶିଖିବା ଆରମ୍ଭ କଲି। ଭୁବନେଶ୍ବରର ୟୁନିଟ୍-୯ରେ ଥିବା ଏକ ସଙ୍ଗୀତ ଅନୁଷ୍ଠାନରୁ ସଙ୍ଗୀତ ଶିଖିଲି। କାଳକ୍ରମେ ସଙ୍ଗୀତ ସୁଧାକର ଗୁରୁ ବାଳକୃଷ୍ଣ ଦାଶ, ଅକ୍ରୁର ମହାରଣା ଓ ହରମୋହନ ଖୁଣ୍ଟିଆଙ୍କଠାରୁ ସଙ୍ଗୀତ ଶିକ୍ଷା କଲି। ମୋର ଉଚ୍ଚ ଶିକ୍ଷା ଥିଲା ରମାଦେବୀ କଲେଜରେ। ପାଠପଢ଼ା ସହିତ ସଙ୍ଗୀତରେ ମୁଁ ଜୁନିୟର ସ୍କଲାରସିପ୍ ପାଇଲି। ସପ୍ତମ ଶ୍ରେଣୀରୁ ଶିଶୁ ସଂସାର, ଯୁବବାଣୀ, ଦୂରଦର୍ଶନରେ ମୁଁ ହାଇ ବି-ଗ୍ରେଡ୍ ଆର୍ଟିଷ୍ଟ ହେଇଛି। ଦେଶ ବିଦେଶରେ ବହୁତ ସଙ୍ଗୀତ କାର୍ଯ୍ୟକ୍ରମରେ ଗୀତ ଗାଇଛି। କୋଲକାତା, ଦିଲ୍ଲୀ, ମୁମ୍ବାଇ, କୋଏମ୍ବାଟୁର, ବାଙ୍ଗାଲୋର, ଚେନ୍ନା‌ଇ, ବ୍ୟତୀତ କୋରିଆ, ମରକ୍‌କୋ ଆମେରିକା, ଚାଇନା, ଦୁବାଇ, ଜାପାନରେ ମଧ୍ୟ ପ୍ରତିଷ୍ଠିତ ଉତ୍ସବରେ ଗୀତ ଗାଇଛି। ଛାନ୍ଦ, ଓଡ଼ିଶୀ, ଭଜନ, ଗଜଲ, ସୁଗମ ସଙ୍ଗୀତ, ଆଧୁନିକ, ଗୀତ ଗୋବିନ୍ଦ ଏବଂ ଓଡ଼ିଶୀ ନୃତ୍ୟରେ ମୁଁ ଗୀତ ଗାଏ। ମୋ ସ୍ବାମୀ ବିଜୟ କୁମାର ଜେନା ମୋତେ ସଙ୍ଗୀତ କ୍ଷେତ୍ରରେ ଯଥେଷ୍ଟ ଉତ୍ସାହିତ କରିଛନ୍ତି। ଆମେ ମଧ୍ୟ ଉଭୟ ଯୁଗଳବନ୍ଦୀରେ କିଛି ସଙ୍ଗୀତ ପରିବେଷଣ କରିଛୁ। କହିବାକୁ ଗଲେ ସଙ୍ଗୀତ ଆମକୁ ଏକାଠି କରିଛି।

ପ୍ରସ୍ତୁତି: ସତ୍ୟ ପାଣିଗ୍ରାହୀ

ସମ୍ବନ୍ଧିତ ଖବର