ପ୍ରାୟ ୪ଘଣ୍ଟାର ଥିଲା ଫିଲ୍ମ, ୩ଘଣ୍ଟା କରିବା ପାଇଁ ବହୁତ କଷ୍ଟ କରିଛନ୍ତି ନିର୍ଦ୍ଦେଶକ: ରଣବୀର

ମୁମ୍ବାଇ: ଟିଜର ରିଲିଜ୍ ପରେ ଚଳଚ୍ଚିତ୍ର ‘ଆନିମଲ’କୁ ନେଇ ଜବରଦସ୍ତ ଆଲୋଚନା ହେଉଛି। ନିକଟରେ ବଲିଉଡ ଅଭିନେତା ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’ର ଟ୍ରେଲର ସାମ୍ନାକୁ ଆସିଥିଲା। ଏହି ଟ୍ରେଲରରେ ରଣବୀର କପୁରଙ୍କ ଭିନ୍ନ ଲୁକ୍ ନଜର ଆସିଥିଲା। ଟ୍ରେଲରରେ ରଣବୀର ସିଗାରେଟ ଟାଣୁଥିବା ସହ ତାଙ୍କର ଆକ୍ସନ ଅବତାର ଦେଖିବାକୁ ପାଇଥିଲେ ଦର୍ଶକ। ହେଲେ ଫିଲ୍ମର ରନଟାଇମ୍ ଅଧିକ ଥିବା ଦେଖି ଦର୍ଶକ ଟିକିଏ ନିରାଶ ଥିବା ଚର୍ଚ୍ଚା ହେଉଛି।

ଏନେଇ ଅନେକ ଦିନରୁ ଚର୍ଚ୍ଚା ହେଉଥିବା ବେଳେ ରଣବୀର ଏହା ପଛର କାରଣ ଜଣାଇଛନ୍ତି। ଫିଲ୍ମର ପ୍ରଚାର ସମୟରେ ରଣବୀର କହିଛନ୍ତି, “ପ୍ରଥମେ ଫିଲ୍ମର ରନଟାଇମ୍ ୩ଘଣ୍ଟା ୪୯ମିନିଟ୍ ଥିଲା। ହେଲେ ଏହା ବହୁତ ଅଧିକ ହେଉଥିବାରୁ ନିର୍ଦ୍ଦେଶକ ସନ୍ଦୀ ରେଡ୍ଡୀ ବଙ୍ଗା ଏହାକୁ କମ କରିବା ପାଇଁ ବହୁତ କଷ୍ଟ କରିଥିଲେ। ଏବେ ଫିଲ୍ମର ରନଟାଇମ୍ ୩ଘଣ୍ଟା ୨୧ମିନିଟ୍ ରହିଛି। ଫିଲ୍ମର କାହାଣୀକୁ ଭଲ ଭାବରେ ଦର୍ଶକଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା କରାଯାଇଥିବାରୁ ଫିଲ୍ମର ରନଟାଇମ୍ ଅଧିକ ରହିଛି। ସମୟ ଅଧିକ ଥିବା କଥା ଚିନ୍ତା ନକରି ପ୍ରେକ୍ଷାଳୟକୁ ଆସି ଫିଲ୍ମକୁ ଉପଭୋଗ କରନ୍ତୁ।”

ତେବେ ଟି-ସିରିଜ୍ ୟୁଟ୍ୟୁବ ଚ୍ୟାନେଲରେ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଥିବା ବେଳେ ଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲେ ରଣବୀର। ଏତେ ଦିନର ବ୍ୟବଧାନ ପରେ ରଣବୀର ଏକ ଭିନ୍ନ ଓ ଲୋମଟାଙ୍କୁରି ଦେବା ଭଳି ଚରିତ୍ର କରିଥିବା ଲୋକେ କମେଣ୍ଟ କରି ଜଣାଇଥିଲେ।

ଉଲ୍ଲେଖଯୋଗ୍ୟ, ଏହି ଚଳଚ୍ଚିତ୍ରଟି ଡିସେମ୍ବର ୧ରେ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ୍ ସମେତ ଅନେକ ଭାଷାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ଯେଉଁଥିରେ ରଣବୀର, ରଶ୍ମିକା ମନ୍ଦନା, ବବି ଦେଓଲ୍, ଅନିଲ କପୁର ଏବଂ ତ୍ରୁପ୍ତି ଡିମ୍ରି ପ୍ରମୁଖ ଭୂମିକାରେ ନଜର ଆସିବେ।

ସମ୍ବନ୍ଧିତ ଖବର