ପୁଲିସଙ୍କ କାର୍‌ ଧକ୍କାରେ ଦମ୍ପତି ଆହତ; ଜନତାଙ୍କ ମାଡ଼ରେ ପୁଲିସର ମୁଣ୍ଡ ଫାଟିଲା, ଲୋକେ ଉତ୍ତେଜିତ

ରାଉରକେଲା: ଜେଲ୍‌ରୋଡରେ ରିଜର୍ଭ ପୁଲିସଙ୍କ କାର୍‌ ଧକ୍କାରେ ଦମ୍ପତି ଓ ତାଙ୍କ ଛୋଟ ଝିଅ ଆହତ ହୋଇଛନ୍ତି। ସେମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାକୁ କେନ୍ଦ୍ରକରି ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଧକ୍କା ଦେଇଥିବା ପୁଲିସ କର୍ମଚାରୀଙ୍କୁ ଉତ୍ତେଜିତ ଜନତା ମାଡ଼ ମାରିଥିଲେ। ଲୋକଙ୍କ ମାଡ଼ରେ ପୁଲିସ କର୍ମଚାରୀଙ୍କ ମୁଣ୍ଡ ଫାଟିଥିଲା। ଖବର ପାଇ ରଘୁନାଥପାଲୀ ପୁଲିସ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ସହ ଆହତ ପୁଲିସ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ। ପରେ ପୁଲିସ ଦୁର୍ଘଟଣାଗ୍ରସ୍ତ ଦୁଇଟି ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ମିଳିଥିବା ସୂଚନା ମୁତାବକ ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଏକ ସ୍କୁଟିରେ ଦମ୍ପତି ଓ ତାଙ୍କ ଛୋଟ ଝିଅ ଜେଲ୍‌ରୋଡ ଦେଇ ଆଇଟିଆଇ ନିକଟସ୍ଥ ଶାନ୍ତିନଗର ଅଞ୍ଚଳକୁ ଯାଉଥିଲେ। ଜେଲ୍‌ ପଛପାର୍ଶ୍ବ ଗେଟ୍‌ ନିକଟରେ ରିଜର୍ଭ ପୁଲିସର କାର୍‌ ସ୍କୁଟିକୁ ପଛରୁ ଧକ୍କା ଦେଇଥିଲା। ଦମ୍ପତି ଓ ତାଙ୍କ ଝିଅ ସ୍କୁଟି ସହ ରାସ୍ତା ଉପରେ ପଡ଼ିଥିଲେ। ‌ଦୁର୍ଘଟଣା ପରେ ସେଠାରୁ ରିଭର୍ଭ ପୁଲିସ କାର୍‌ ଛାଡି ଖସିଯିବାକୁ ଚେଷ୍ଟା କରୁଥିବାବେଳେ ସାଧାରଣ ଲୋକଙ୍କ ହାବୁଡରେ ପଡିଯାଇଥିଲେ।

ସମ୍ବନ୍ଧିତ ଖବର