ଖରାପ ବାତାବରଣ ଥିଲେ ସୋ’ ୧୪ ବର୍ଷ ଚାଲିନଥାନ୍ତା: ଜେନିଫର ମିସ୍ତ୍ରିଙ୍କ ସଙ୍ଗୀନ ଅଭିଯୋଗକୁ ନେଇ କହିଲେ ମନ୍ଦାର ଚନ୍ଦୱାକର୍‌

ମୁମ୍ବାଇ: ଟିଭିର ଲୋକପ୍ରିୟ ଧାରାବାହିକ ‘ତାରକ ମେହେତା କା ଉଲଟା ଚଷମା’ ପୁଣି ଥରେ ଚର୍ଚ୍ଚାରେ। କୌଣସି ଭଲ କାରଣ ପାଇଁ ନୁହେଁ ବରଂ ଏକ ସଙ୍ଗୀନ ଅଭିଯୋଗକୁ ନେଇ ଏହି ଧାରାବାହିକ ଏବେ ଚର୍ଚ୍ଚାକୁ ଆସିଛି। ଧାରାବାହିକରେ ରୋଶନ ସିଂ ସୋଡିଙ୍କ ପତ୍ନୀ ଭୂମିକାରେ ଅଭିନୟ କରୁଥିବା ଜେନିଫର ମିସ୍ତ୍ରି ଧାରାବାହିକର ପ୍ରଯୋଜକ ଅସିତ ମୋଦୀଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। ଏବେ ‌ଏହି ଅଭିଯୋଗ ଉପରେ ନିଜର ମତ ରଖିଛନ୍ତି ସୋ’ରେ ଭିଡ଼େ ଚରିତ୍ର ନିଭାଇଥିବା କଳାକାର ମନ୍ଦାର ଚନ୍ଦୱାକର୍‌। ସେ ଏହାକୁ ପ୍ରତିବାଦ କରି କହିଛନ୍ତି ଯେ ଯଦି ଖରାପ ବାତାବରଣ ଥାଆନ୍ତ‌ା ତ ସୋ’ ୧୪ ବର୍ଷ ଚାଲିନଥାନ୍ତା।

ସେ ପିଙ୍କ୍‌ଭିଲାକୁ ତାଙ୍କର ସାକ୍ଷାତ୍‌କାର ଦେଇ କହିଛନ୍ତି ଯେ ‘ମୋତେ ଆଶ୍ଚର୍ଯ୍ୟ ଲାଗୁଛି ସେ ଏପରି କାହିଁକି କରିଛନ୍ତି। ମୋତେ ଆଦୌ ବି ଜଣାନାହିଁ ଯେ ଦୁଇ ଜଣଙ୍କ ମଧ୍ୟରେ କ’ଣ କଥା ହୋଇଛି ଓ କ’ଣ ଅସୁବିଧା ହୋଇଛି। ଆମ ସେଟ୍‌ର ବାତାବରଣ ଖୁବ୍ ଭଲ। ମୋର ମତ ହେଉଛି ଯଦି ଉତ୍ତମ ବାତାବରଣ ନଥାନ୍ତା ତ ସୋ’ଟି ୧୪ ବର୍ଷ ଧରି ଚାଲିନଥାନ୍ତା।’

ଉଲ୍ଲେଖଯୋଗ୍ୟ, ଅସିତ କୁମାର ମୋଦୀଙ୍କ ବ୍ୟତୀତ ଏହି ଅଭିନେତ୍ରୀ ପ୍ରୋଜେକ୍ଟ ମୁଖ୍ୟ ସୋହେଲ ରମାନି ଏବଂ କାର୍ଯ୍ୟନିର୍ବାହୀ ନିର୍ମାତା ଜତିନ୍ ବଜାଜଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି। ତାଙ୍କ ଅଭିଯୋଗ ମୁତାବକ, ପ୍ରଥମେ ପ୍ରଥମେ ଅସିତଜୀ ମୋତେ ପ୍ରଶଂସା କରୁଥିଲେ। ମୁଁ ବହୁତ ସୁନ୍ଦର ଦେଖାଯାଉଛି ବୋଲି କହୁଥିଲେ। ଏହା ପରେ ଦିନେ କ’ଣ ପିଇବାକୁ ପସନ୍ଦ କର ବୋଲି ସେ ମୋତେ ପଚାରିବାରୁ ମୁଁ ହ୍ବିସ୍କି ପିଇବାକୁ ପସନ୍ଦ କରୁଥିବା କହିଥିଲି। ୨୦୧୯ରେ ପୂରା ଟିମ୍ ସିଙ୍ଗାପୁର ଯାଇଥିବା ବେଳେ ସେ ମୋତେ ତାଙ୍କ ‌ହୋଟେଲ ରୁମକୁ ହ୍ବିସ୍କି ପିଇବାକୁ ଡାକିଥିଲେ। ମୁଁ ମନା କରିବାରୁ ପରଦିନ ସେ ମୋତେ କହିଥିଲେ, ଆଜି ତୁମେ ସୁନ୍ଦର ଲାଗୁଛ। ଇଚ୍ଛା ହେଉଛି ତୁମକୁ ଆଲିଙ୍ଗନ କରି ଚୁମ୍ବନ ଦେଇଦେବି। ଏହା ଶୁଣି ମୁଁ ଥରିବାକୁ ଲାଗିଥିଲି। ତାଙ୍କର ଏଭଳି ପ୍ରସ୍ତାବକୁ ମନା କରିବାରୁ ଧାରାବାହିକରେ ମୋର ସ୍କ୍ରିନସ୍ପେସ କମ କରିଦିଆଗଲା।

 

ସମ୍ବନ୍ଧିତ ଖବର