‘ଏଗୋନୋମିକ୍ସ’କୁ ପାକ୍‌ରେ ସମାଲୋଚନା

ଇସ୍‌ଲାମାବାଦ: ଦାରିଦ୍ର୍ୟର ମୁକାବିଲା ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ‘ଏଗୋନୋମିକ୍ସ’ ଫର୍ମୁ‌ଲା ବାହାର କରିଛନ୍ତି। ଦାରିଦ୍ର୍ୟ ଦୂର ନିମନ୍ତେ କୁକୁଡ଼ା ଚାଷ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ବିଶେଷକରି ଗ୍ରାମାଞ୍ଚଳ ମହିଳାମାନେ କୁକୁଡ଼ା ଓ ଅଣ୍ଡା‌ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଇ ପାରିବେ ବୋଲି ଇମ୍ରାନ୍‌ କହିଛନ୍ତି। ଅରବପତି ବିଲ୍‌ ଗେଟ୍‌ସଙ୍କ ସୁପାରିସକୁ ଆଧାର କରି ଇମ୍ରାନ୍‌ ଏହି ‘ଏଗୋନୋମିକ୍ସ’ ଫର୍ମୁଲା କଥା କହିଛନ୍ତି। ଇମ୍ରାନ୍‌ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ପ୍ରସ୍ତାବ ଉଠିବା ପ‌ରେ ଏହାକୁ ପାକିସ୍ତାନରେ ତୀବ୍ର ସମାଲୋଚନା କରାଯାଇଛି। ଟ୍ବିଟ୍‌ କରି ଇମ୍ରାନ୍‌ କହିଛନ୍ତି, ‘‘ଦାରିଦ୍ର୍ୟ ଦୂର ପାଇଁ ଦେଶୀ ଲୋ‌େକ ଯେବେ କୁକୁଡ଼ା ଚାଷ କଥା ଉଠାଇବେ, ଉପନିବେଶବାଦ ମାନସିକତା ଥିବା ଲୋକେ ତାହାକୁ ଥଟ୍ଟା କରିବେ। କିନ୍ତୁ ‘ୱାଲାଇତି’ (ଧନୀକ ସମ୍ପ୍ରଦାୟ ଲୋକ)ମାନେ ଦେଶୀ ଚିକେନ୍‌ ଓ ଦାରିଦ୍ର୍ୟ କଥା କହିଲେ ଏହାକୁ ଚମତ୍କାର ବୋଲି କୁହାଯିବ।’’ ଏହି ଟ୍ବିଟ୍‌ରେ ସେ ବିଲ୍‌ ଗେଟ୍‌ସଙ୍କର ଫଟୋ ଯୋଡ଼ିଛନ୍ତି।

ସମ୍ବନ୍ଧିତ ଖବର