କ୍ଷମତାକୁ ଆସିଲେ ସମ୍ପତ୍ତି ପୁନର୍ବଣ୍ଟନ ପାଇଁ ସର୍ଭେ କରିବୁ: ରାହୁଲ

ହାଇଦ୍ରାବାଦ: କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଦଳ କ୍ଷମତାକୁ ଆସିଲେ ଦେଶର ଲୋକଙ୍କ ମଧ୍ୟରେ ସମ୍ପତ୍ତି ବଣ୍ଟନ ବିଷୟରେ ଜାଣିବା ପାଇଁ ଏକ ଆର୍ଥିକ ଏବଂ ସଂସ୍ଥାଗତ ସର୍ଭେ କରାଯିବ। ହାଇଦ୍ରାବାଦରେ ଏକ ଜନସଭାକୁ ସମ୍ବୋଧିତ କରି ରାହୁଲ କହିଛନ୍ତି ଯେ ଦଳ କ୍ଷମତାକୁ ଆସିଲେ ଦେଶବ୍ୟାପୀ ଜାତିଗତ ଜନଗଣନା ବ୍ୟତୀତ ଏହି ସର୍ଭେ ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ। ଦେଶରେ ବିଷମ ଆର୍ଥିକ ସ୍ଥିତି ଉପରେ କଂଗ୍ରେସ ନଜର ରଖିଛି ଏବଂ ଲୋକଙ୍କୁ ଆର୍ଥିକ ନ୍ୟାୟ ପ୍ରଦାନ କରିବା ପାଇଁ ଦଳ ପ୍ରତିଶ୍ରୁତିବଦ୍ଧ।

‘ଦେଶରେ ଅନ୍ୟ ପଛୁଆ ବର୍ଗ (ଓବିସି), ଅନୁସୂଚିତ ଜାତି (ଏସ୍‌ସି), ଅନୁସୂଚିତ ଜନଜାତି (ଏସ୍‌ଟି) ଏବଂ ସଂଖ୍ୟାଲଘୁ ବର୍ଗର କେତେ ଲୋକ ଅଛନ୍ତି ତାହା ନିର୍ଦ୍ଧାରଣ କରିବା ପାଇଁ ଆମେ ପ୍ରଥମେ ଦେଶବ୍ୟାପୀ ଜାତିଗତ ଜନଗଣନା କରିବୁ। ଏହାପରେ ସମ୍ପତ୍ତିବଣ୍ଟନ ନେଇ ଐତିହାସିକ ପଦକ୍ଷେପ ନିମନ୍ତେ ଆର୍ଥିକ ଓ ସଂସ୍ଥାଗତ ସର୍ଭେ କରାଯିବ’ ବୋଲି ରାହୁଲ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ହାତଗଣତି ଲୋକଙ୍କୁ ନେଇ ଶାସନ ଚଳାଇଛନ୍ତି ଏବଂ ଦେଶରେ କେବଳ ମୁଷ୍ଟିମେୟ ପୁଂଜିପତିଙ୍କ ସ୍ବାର୍ଥ ରକ୍ଷା ପାଇଁ ସରକାର କାମ କରୁଛି। ଏଭଳି ସ୍ଥିତିର ପରିବର୍ତ୍ତନ ପାଇଁ ବ୍ୟାପକ ଜନସଚେତନତା ଆବଶ୍ୟକ ଏବଂ କଂଗ୍ରେସ ଦଳ ଏଥିପାଇଁ ଅହରହ କାମ କରୁଛି ବୋଲି ରାହୁଲ କହିଛନ୍ତି। ଦଳ ସବୁ କ୍ଷେତ୍ରରେ ସମସ୍ତ ସମ୍ପ୍ରଦାୟର ପ୍ରତିନିଧିତ୍ୱ ସୁନିଶ୍ଚିତ କରିବ ବୋଲି ଗୁରୁତ୍ୱାରୋପ କରି ରାହୁଲ କହିଛନ୍ତି ଯେ କଂଗ୍ରେସ ଦେଶର ସମ୍ପତ୍ତି ବଣ୍ଟନରେ କିଭଳି ଭାରସାମ୍ୟ ରହିବ ତାହା ଆମ ପାଇଁ ଏବେ ପ୍ରମୁଖ ପ୍ରସଙ୍ଗ । ଦେଶରେ ଓବିସିଙ୍କ ପ୍ରତିନିଧିତ୍ୱକୁ ସୁଦୃଢ଼ କରିବା ପାଇଁ ଦଳ ଜାତିଗତ ଜନଗଣନା ଏବଂ ଅନ୍ୟାନ୍ୟ ପଦକ୍ଷେପ ଉପରେ ଗୁରୁତ୍ୱ ଦେଇ ନୂଆ ରଣନୀତିରେ କାମ କରିବ ବୋଲି ରାହୁଲ କହିଛନ୍ତି।

ସମ୍ବନ୍ଧିତ ଖବର