ପୋକ୍ସୋ ଆଇନ: ’ସହମତିରେ ଯୌନ ସଂପର୍କ ବିଷୟ ଅନୁଧ୍ୟାନ କରୁ ସଂସଦ’

ନୂଆଦିଲ୍ଲୀ : ପୋକ୍ସୋ ଆଇନ ଅଧୀନରେ ମାମଲାର ବିଚାରବେଳେ କିଶୋର କିଶୋରୀଙ୍କ ମଧ୍ୟରେ ସହମତିରେ ସ୍ଥାପନ ହେଉଥିବା ଯୌନ ସଂପର୍କକୁ ନେଇ ବିଚାରପତିମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଉକ୍ତ ପ୍ରସଙ୍ଗର ଅନୁଧ୍ୟାନ ସଂସଦ କରୁ ବୋଲି ମତ ରଖିଛନ୍ତି ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼। ଶନିବାର ପୋକ୍ସୋ ଆଇନ ୨୦୧୨ର କାର୍ଯ୍ୟକାରିତା ପ୍ରସଙ୍ଗରେ ହୋଇଥିବା ଏକ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହରେ ଯୋଗଦେଇ ପ୍ରଧାନବିଚାରପତି ଏହା କହିଛନ୍ତି।

ପୋକ୍ସୋ ଆଇନରେ ନାବାଳକଙ୍କ ମଧ୍ୟରେ ସହମତିରେ ଯୌନ ସଂପର୍କ ସ୍ଥାପନ ହୋଇଥିଲେ ମଧ୍ୟ ତାହାକୁ ଅପରାଧ ଭାବେ ବିଚାର କରାଯାଉଛି। ଏଭଳି ମାମଲା ବିଚାରପତିଙ୍କ ପାଇଁ ଜଟିଳ ପ୍ରଶ୍ନ ଛିଡ଼ା କରୁଛି। ଉକ୍ତ ପ୍ରସଙ୍ଗକୁ ନେଇ ବିଭିନ୍ନ ମହଲରେ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ତେଣୁ କିଶୋରଙ୍କ ସ୍ବାସ୍ଥ୍ୟଯତ୍ନ ଉପରେ କାର୍ଯ୍ୟ କରୁଥିବା ବିଶେଷଜ୍ଞମାନଙ୍କ ବିଶ୍ବସନୀୟ ଗବେଷଣା ଆଧାରରେ ସଂସଦ ଉକ୍ତ ମାମଲାର ଅନୁଧ୍ୟାନ କରିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।

ପୋକ୍ସୋ ଆଇନ ସଂପର୍କରେ କହିବା‌ବେଳେ ବିଚାରପତି ଚନ୍ଦ୍ରଚୂଡ଼ ମତ ଦେଇଛନ୍ତି, ଲିଙ୍ଗଗତ ନିରପେକ୍ଷ ଆଇନ ୨୦୧୨ରେ ଆରମ୍ଭ କରାଯିବା ସମୟରେ ଭାରତରେ ଶିଶୁ ଅଧିକାର କ୍ଷେତ୍ରରେ ତାହା ଏକ ନିର୍ଣ୍ଣାୟକ ମୁହୂର୍ତ୍ତ ଥିଲା। କାରଣ ଶିଶୁମାନଙ୍କ ବିରୋଧରେ ହେଉଥିବା ଯୌନ ଅପରାଧର ବିଚାର ପାଇଁ ତାହା ସ୍ବତନ୍ତ୍ର ବ୍ୟବସ୍ଥା ଯୋଗାଇ ଦେଇଥିଲା। ତେବେ ଏହି ଦୀର୍ଘ ଯାତ୍ରାରେ ପୋକ୍ସୋ ଆଇନ ପ୍ରଣୟନ ପ୍ରଥମ ପଦକ୍ଷେପ ବୋଲି ସେ ମତ ଦେଇଛନ୍ତି। ପୁଲିସରେ ଅଭିଯୋଗ କରିବା ଲାଗି ପୀଡ଼ିତ ପରିବାର ଅନାଗ୍ରହ ଦେଖାଉଛନ୍ତି। ଆପରାଧିକ ବିଚାର ବ୍ୟବସ୍ଥାର ମନ୍ଥରତା ଗୋଟିଏ ପଟେ ସମସ୍ୟା ବଢ଼ାଉଥିବା ବେଳେ ଅନ୍ୟପଟେ ଶିଶୁଙ୍କ ଯୌନ ଶୋଷଣ ପ୍ରସଙ୍ଗ ପରିବାର ପାଇଁ ଏକ କଳଙ୍କ ଭାବେ ବିବେଚନା କରାଯାଉଛି। ଲଜ୍ଜା ଭୟରେ ମୁହଁ ଚୁପ୍ ରଖିବାର ସଂସ୍କୃତି ମଧ୍ୟ ଏହାର ଅନ୍ୟତମ କାରଣ।

ଶିଶୁଙ୍କ ଉପରେ ଯୌନ ନିର୍ଯାତନାର ପ୍ରଭାବ ଦୀର୍ଘଦିନ ଧରି ରହୁଥିବା କାରଣରୁ ସରକାର ଏବଂ ଅନ୍ୟମାନେ ଏହାକୁ କିପରି ରୋକାଯାଇ ପାରିବ ତାହା ଉପରେ ବ୍ୟାପକ ‌ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି। ଶିଶୁମାନଙ୍କୁ ଆପତ୍ତିଜନକ ସ୍ପର୍ଶ ଏବଂ ଅଣଆପତ୍ତିଜନକ ସ୍ପର୍ଶ ସଂପର୍କରେ ଶିକ୍ଷା ଦେବାର ଆବଶ୍ୟକତା ରହିଛି ବୋଲି ପ୍ରଧାନ ବିଚାରପତି କହିଛନ୍ତି।

ସମ୍ବନ୍ଧିତ ଖବର