ସର୍ବଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବ

ଦେବଗଡ଼: ସ୍ଥାନୀୟ ଟାଉନ ହଲ୍‌ଠାରେ ଜାଗରଣ ଆର୍ଟ ଇଣ୍ଟରନ୍ୟାସନାଲ ପକ୍ଷରୁ ଚାଲିଥିବା ୧୮ତମ ସର୍ବଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବର ରବିବାର ତୃତୀୟ ସଂଧ୍ୟାରେ ଭୁବନେଶ୍ବରର ବିଦ୍ୟା କନକ ସୃଜନ ଅନୁଷ୍ଠାନର ନାଟକ ‘ଭିନ୍ନ ଦୃଷ୍ଟି’ ମଞ୍ଚସ୍ଥ ହୋଇଥିଲା। ଅନୁଷ୍ଠାନର ସଭାପତି ଅଶୋକ ନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଭଟଲି ବିଧାୟକ ସୁଶାନ୍ତ ସିଂ ମୁଖ୍ୟ ଅତିଥି, ଜିଲ୍ଲାପରିଷଦ ସଭାପତି କୌଶିକ ପ୍ରଧାନ, ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ବାଳ, ରିଆମାଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ, ଜିଲ୍ଲା କ୍ରିକେଟ୍‌ ସଂଘର ସଂପାଦକ ଇଂ ସୁଜିତ ପ୍ରଧାନ ଓ ସମାଜସେବୀ ଇଂ ଚିତ୍ତରଞ୍ଜନ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଅନୁଷ୍ଠାନର ସଂପାଦକ ସୁଜିତ ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜନ୍ମାଜୟ ନାୟକ ମଞ୍ଚ ପରିଚାଳନା କରିଥିଲେ। ଅନୁଷ୍ଠାନର ଉପସଭାପତି ପ୍ରକାଶ ଚନ୍ଦ୍ର ଦେବତା ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଭୁବନେଶ୍ବରର ଓଡ଼ିଶା ନାଟ୍ୟ ସଂଘର ସଂପାଦକ ଶୁଭକାନ୍ତ ପାଢୀଙ୍କୁ ୨୦୨୨ ‘ଜାଗରଣ ସମ୍ମାନ’ ପ୍ରଦାନ କରାଯାଇଥିଲା। ଏହାପରେ ଭୁବନେଶ୍ବରର ବିଦ୍ୟା କନକ ସୃଜନ ଅନୁଷ୍ଠାନର ମନୋଜ ମିଶ୍ରଙ୍କ ରଚିତ ଏବଂ ସୌନିକା ସାହୁଙ୍କ ନିର୍ଦ୍ଦେଶିତ ଓଡ଼ିଆ ନାଟକ ‘ଭିନ୍ନ ଦୃଷ୍ଟି’ ମଂଚସ୍ଥ ହୋଇଥିଲା। ନାଟକର କଥାବସ୍ତୁ ଅନୁସାରେ ଭିନ୍ନ ଦୃଷ୍ଟି ଏକ ଭିନ୍ନ କଥା କହେ, ବେଳେବେଳେ ଏତେ ଭିନ୍ନ କଥା ଯେ ବହୁ ପ୍ରତିଷ୍ଠିତ ତଥା ବହୁ ଅନୁମୋଦିତ ଅର୍ଥକୁ ମଧ୍ୟ ଭାଙ୍ଗି ଚୁରମାର କରିଦିଏ। ଏ ଭିନ୍ନ ଦୃଷ୍ଟିରେ ସୃଜନଶୀଳତା ବି ଥାଏ ତ ଆଉ ସଂହରାଲୀଳା ବି ଥାଏ, ଏହା ନିର୍ଭର କରେ ବ୍ୟକ୍ତିର ସଂସ୍କ‌ାର ଓ ସଂସ୍କୃତି ଉପରେ, ସେଇ ସଂସ୍କାର ଓ ସଂସ୍କୃତି ହିଁ ଅର୍ଥ ଦିଏ ଏଇ ଭିନ୍ନ ଦୃଷ୍ଟିକୁ ବ୍ୟକ୍ତିର ମସ୍ତକରେ ଆଉ ତା’ପରେ ବ୍ୟକ୍ତି ତିଆରି କରେ ନିଜ ପାଇଁ ଏକ ନୂଆ ରାସ୍ତା।

ଏ ରାସ୍ତା ସୃଜନଶୀଳତା ହୋଇପାରେ କିମ୍ବା ସଂହରାଲୀଳାର ହୋଇପାରେ। ଏହାପରେ ରାଉରକେଲାର କଳିକା ଡ୍ୟାନ୍ସ ଏକାଡେମୀର କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ। ରବିବାର ସକାଳେ ସ୍ଥାନୀୟ ଟାଉନ ହଲଠାରେ ନାଟକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଚିତ୍ତରଂଜନ ଦାସ, ବଂଶୀଧର ସାହୁ, ଶିବାଶିଷ ଝାଙ୍କର, ମଙ୍ଗଳ ମହାକୁଳ, ରାକେଶ ଶତପଥି, ଶ୍ରବଣ ନାଏକ ସମତେ ଅନୁଷ୍ଠାନର କର୍ମକର୍ତ୍ତାମ‌ାନେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର