ଏୟାରଟେଲ ୟୁଜର୍ସଙ୍କ ଘରକୁ ଆସିବେ ୧୯ ହଜାର କର୍ମଚାରୀ: ପଚାରି ବୁଝିବେ ନେଟୱାର୍କ ସମସ୍ୟା

ନୂଆଦିଲ୍ଲୀ: ସାରା ଦେଶରେ କୋଟି କୋଟି ଏୟାରଟେଲ ୟୁଜର୍ସଙ୍କ ପାଇଁ ଖୁସି ଖବର ଆସିଛି। ଏବେ ନେଟୱାର୍କକୁ ନେଇ ଦେଖା ଦେଉଥିବା ସମସ୍ୟାର ସମାଧାନ ଶୀଘ୍ର ହେବ। ମୋବାଇଲ୍ ଏବଂ ବ୍ରଡବ୍ୟାଣ୍ଡ ୟୁଜର୍ସ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ତଥା ଏହା ଉପରେ ଗ୍ରାହକଙ୍କ ମତାମତ ସଂଗ୍ରହ କରିବା ପାଇଁ କମ୍ପାନୀ ଏହାର କର୍ମଚାରୀଙ୍କୁ ଦାୟିତ୍ବ ଦେଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଏୟାରଟେଲର ସିଇଓ ଗୋପାଳ ଭିଟ୍ଟଲ ଏ ସମ୍ପର୍କରେ ଏକ ମେଲ ଜାରି କରିଛନ୍ତି ଏବଂ ତାଙ୍କର ୧୯ ହଜାରରୁ ଅଧିକ କର୍ମଚାରୀଙ୍କୁ ମଙ୍ଗଳବାର ସମସ୍ତ ବୈଠକ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମେଲରେ କୁହାଯାଇଛି ସେବାରେ ୟୁଜର୍ସମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ କର୍ମଚାରୀମାନେ ମତାମତ ନେବା ଉଚିତ ଏବଂ ତୁରନ୍ତ ଏସବୁା ସମାଧାନ କରିବା ଜରୁରୀ।
ପରିସଂଖ୍ୟାନ ଅନୁଯାୟୀ ଏୟାରଟେଲ ହେଉଛି ସବୁଠାରୁ ବଡ ଟେଲିକମ୍ କମ୍ପାନୀ। ଏକ ରିପୋର୍ଟ ଅନୁଯାୟୀ, ଡିସେମ୍ବର ୨୦୨୩ ସୁଦ୍ଧା କମ୍ପାନୀର ମୋଟ ୬୫ ନିୟୁତ ୫ଜି ବ୍ୟବହାରକାରୀ ଅଛନ୍ତି। ସୂଚନାନୁସାରେ, କମ୍ପାନୀର କର୍ମଚାରୀମାନେ ଗ୍ରାହକଙ୍କ ଘର ପରିଦର୍ଶନ କରିବେ, ଫୋନରେ ସେମାନଙ୍କ ସହ କଥା ହେବେ ଏବଂ ବିଭିନ୍ନ ସହରର କମ୍ପାନୀର ଆଉଟଲେଟରେ ଥିବା ଲୋକଙ୍କଠାରୁ ମୋବାଇଲ୍ ଏବଂ ବ୍ରଡବ୍ୟାଣ୍ଡ ସେବା ବିଷୟରେ ମତାମତ ଗ୍ରହଣ କରିବେ। ମତାମତ ନେବା ପରେ, ସମାନ ସମସ୍ୟା ଯେପରି ପୁନରାବୃତ୍ତି ନ ହୁଏ ତାହା ନିଶ୍ଚିତ କରିବା ମଧ୍ୟ ସେମାନଙ୍କର ଦାୟିତ୍ବ ହେବ।

କମ୍ପାନୀ ନଜର ସେବାରେ ଉନ୍ନତି ଆଣିବା ପାଇଁ ଏହିପରି ପ୍ରତ୍ୟକ୍ଷ ବଜାର ମତାମତ ନେବ। ଏହାକୁ ‘କଷ୍ଟମର ଡେ ଡ୍ରିଲ’ ନାମ ରଖାଯାଇଛି । ମାର୍ଚ୍ଚ ୧୨ରେ ଏହି ଡ୍ରିଲ ଆରମ୍ଭ ହୋଇଛି । ଏୟାରଟେଲ ୨ଜି, ୩ଜି, ୫ଜି ମୋବାଇଲ୍ ସେବା ଏବଂ ବ୍ରଡବ୍ୟାଣ୍ଡ ସେବା ଯୋଗାଇଥାଏ। ଜାରି କରାଯାଇଥିବା ମେଲରେ ଏୟାରଟେଲର ସିଇଓ ଗୋପାଳ ଭିଟ୍ଟଲ ଏୟାରଟେଲର ସମସ୍ତ ସେବା ଉପରେ ଗ୍ରାହକଙ୍କ ମତାମତ ନେବାକୁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
୨୦୨୩ ମସିହାରେ, ଟେଲିକମ୍ ରେଗୁଲେଟରୀ ଅଥରିଟି ଅଫ୍ ଇଣ୍ଡିଆ ସମସ୍ତ ଟେଲିକମ୍ କମ୍ପାନୀମାନଙ୍କୁ ସେମାନଙ୍କର କଲ୍-ଡ୍ରପ୍ ଏବଂ ବ୍ରଡବ୍ୟାଣ୍ଡ ସେବାରେ ଉନ୍ନତି ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଫିଡବ୍ୟାକ୍ ଡ୍ରିଲ୍ ପରେ, କମ୍ପାନୀ ପ୍ରତି ୟୁଜର୍ସଙ୍କ ଉପରେ ନିଜର ହାରାହାରି ରାଜସ୍ୱ ବୃଦ୍ଧି କରିବାରେ ମଧ୍ୟ ସହାୟକ ହୋଇପାରିବ।

ସମ୍ବନ୍ଧିତ ଖବର