ଐଶ୍ବର୍ଯ୍ୟାଙ୍କ ନାମ ନେଇ ଦେଇଥିବା ବିବାଦୀୟ ବୟାନ ପାକିସ୍ତାନୀ କ୍ରିକେଟରଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ କ୍ରିକେଟର ଅବଦୁଲ ରଜାକ ଗତମଙ୍ଗଳବାର ପାକିସ୍ତାନ କ୍ରିକେଟ ବୋର୍ଡର ନିୟମକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହି ସମୟରେ ସେ ବିୟୁଟି କୁଇନ ତଥା ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାଏଙ୍କ ନାମକୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ। ଏହି ବୟାନ ସୋସିଆଲ ମିଡିଆରେ ଘୁରି ବୁଲିଥିଲା। ଏହାପରେ ଲୋ‌କେ ଅବଦୁଲ ରଜାକଙ୍କୁ ଘେରି ଯାଇଥିଲେ।

ତେବେ ଲୋକଙ୍କ ଆକ୍ରୋଶକୁ ସାମ୍ନା କରିବା ପରେ ରଜାକ ଐଶ୍ବର୍ଯ୍ୟାଙ୍କୁ  ନେଇ ଦେଇଥିବ‌ା ବୟ‌ାନ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ। ଆଉ କହିଥିଲେ, ‘କହୁକହୁ ମୋ ପାଟିରୁ ‌ସେମିତି କିଛି ଶବ୍ଦ ବାହାରି ଯାଇଥିଲା। ମୋର କାହାକୁ ଅପମାନିତ କି କଷ୍ଟ ଦେବାର କୌଣସି ଉଦ୍ଦେଶ୍ୟ ନଥିଲା। ଯଦି ମୋର କଥାକୁ କଷ୍ଟ ଦେଇଛି ତେବେ ମୋତେ କ୍ଷମା କରି ଦେବେ।’

ନିକଟରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଅବଦୁଲ ରଜାକଙ୍କ ସହ ସାହିଦ ଆଫ୍ରିଦି ଏବଂ ଉମର ଗୁଲ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ରଜାକ କହିଥିଲେ, ‘ଏଠାରେ, ମୁଁ ପାକିସ୍ତାନ କ୍ରିକେଟ ବୋର୍ଡର ଉଦ୍ଦେଶ୍ୟ ବିଷୟରେ କହୁଛି। ଯେତେବେଳେ ମୁଁ ଖେଳୁଥିଲି, ମୋତେ ମୋର ଅଧିନାୟକ ୟୁନିସ୍ ଖାନଙ୍କ ଉତ୍ତମ ଉଦ୍ଦେଶ୍ୟ ବିଷୟରେ ଜଣାଥିଲା। ଏହା ମୋତେ ଶକ୍ତି ଏବଂ ଆତ୍ମବିଶ୍ୱାସ ଦେଇଥିଲା ଏବଂ ଆଲ୍ଲାଙ୍କ ଆର୍ଶୀବାଦରୁ ମୁଁ ପାକିସ୍ତାନ କ୍ରିକେଟ୍ ପାଇଁ ଭଲ ପ୍ରଦର୍ଶନ କରିପାରିଥିଲି ।

ମୋ ଅନୁଯାୟୀ ଖେଳାଳିମାନଙ୍କୁ ସୁଧ‌ାରିବା ଓ ଆଗକୁ ବଢ଼ାଇବା ପାଇଁ ଆମର ପ୍ରକୃତ ଉଦ୍ଦେଶ୍ୟ ନୁହେଁ। ଯଦି ଆପଣଙ୍କ ଭାବନା ରହିଛି କି ଐଶ୍ବର୍ଯ୍ୟା ରାୟଙ୍କୁ ବିବାହ କରିବେ ଏବଂ ତା’ପରେ ଏକ ଭଲ ସନ୍ତାନ ଜନ୍ମ କରିବେ, ତେବେ ଏହା କେବେ ହୋଇପାରିବ ନାହିଁ । ତେଣୁ ଆପଣଙ୍କୁ ପ୍ରଥମେ ଆପଣଙ୍କ ଉଦ୍ଦେଶ୍ୟ କ’ଣ ତାହା  ସ୍ଥିର କରିବାକୁ ହେବ।’

 

ସମ୍ବନ୍ଧିତ ଖବର