ଥାନାରେ ଅଭିଯୁକ୍ତକୁ ପିଟିପିଟି ହତ୍ୟା ଅଭିଯୋଗ: ସିବିଆଇ ତଦନ୍ତ ଦାବି କଲା ବିଜେପି

କୋଲକାତା: ଚୋରି ମୋବାଇଲ କିଣା ମାମଲାରେ ବୁଧବାର ସନ୍ଧ୍ୟାରେ ଉତ୍ତର କୋଲକାତାର ଥାନାରେ ଜଣେ ୪୨ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କୁ ପିଟିପିଟି ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଭାରତୀୟ ଜନତା ପାର୍ଟି ଦାବି କରିଛି ଯେ ମୃତ ଅଶୋକ ଶ’ ଜଣେ ବିଜେପି କର୍ମୀଙ୍କ ସମ୍ପର୍କୀୟ ଥିଲେ। ତେଣୁ ତାଙ୍କୁ ଥାନା ଭିତରେ ନିର୍ଯାତନା ଦେଇ ହତ୍ୟା କରାଯାଇଛି। ବିଜେପି କାଉନସିଲର ସଜଲ ଘୋଷ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି।

ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ଅପରାହ୍ଣରେ ଶ’ଙ୍କୁ ସ୍ଥାନୀୟ ଥାନାରୁ ଫୋନ୍ ଆସିଥିଲା ଯେ ସେ ନିକଟରେ ୨୦୦ ଟଙ୍କାରେ କିଣିଥିବା ସେକେଣ୍ଡହ୍ୟାଣ୍ଡ ମୋବାଇଲ୍ ଫୋନ୍ ଏକ ଚୋରି ହୋଇଥିବା ଫୋନ୍। ତେଣୁ ତାଙ୍କୁ ଆମହର୍ଷ୍ଟ ଷ୍ଟ୍ରିଟ୍ ଥାନାକୁ ଡକାଯାଇଥିଲା। କଲ୍ ପାଇବା ମାତ୍ରେ ସେ ଥାନାକୁ ମୋବାଇଲ୍ ଫୋନ୍ ଦାଖଲ କରିବାକୁ ଯାଇଥିଲେ। ପୁତୁରାଙ୍କ ଗର୍ଭବତୀ ପତ୍ନୀ ତାଙ୍କ ସହ ଯାଇଥିଲେ। ଶ’ ଥାନା ଭିତରକୁ ଯାଇଥିବା ବେଳେ ତାଙ୍କ ପୁତୁରାଙ୍କ ପତ୍ନୀ ବାହାରେ ଅପେକ୍ଷା କରିଥିଲେ। ୧୦ ମିନିଟ୍ ଭିତରେ ତାଙ୍କ ପୁତୁରା ଥାନାରେ ପହଞ୍ଚିଥିଲେ। ଥାନା ଭିତରକୁ ପଶିବା ପରେ ସେମାନେ ଦେଖିଲେ ଯେ ଶ’ ତଳେ ପଡ଼ିରହିଛନ୍ତି। ତାଙ୍କ ପାଟିରୁ ଲାଳ ଓ ନାକରୁ ରକ୍ତ ବାହାରୁଥିଲା। ତାଙ୍କୁ ପିଟିପିଟି ହତ୍ୟା କରାଯାଇଛି ବୋଲି ଜଣେ ସମ୍ପର୍କୀୟ ଦିନେଶ ଶ’ ଗଣମାଧ୍ୟମକୁ କହିଛନ୍ତି। ଏହାପରେ ମୃତକଙ୍କ ପରିବାର ଲୋକ ଓ ସ୍ଥାନୀୟ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ହସ୍ପିଟାଲ ବାହାରେ ରାସ୍ତା ଅବରୋଧ କରିଥିଲେ। ପରେ ନ୍ୟାୟ ଦାବିରେ ଥାନା ବାହାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିଜେପି ନେତା ଘୋଷ ଦାବି କରିଛନ୍ତି ଯେ ଶବ ବ୍ୟବଚ୍ଛେଦ ରେଳବାଇ ହସ୍ପିଟାଲ କିମ୍ବା କମାଣ୍ଡ ହସ୍ପିଟାଲରେ କରାଯାଉ। ପରିବାର ଲୋକେ ମଧ୍ୟ ସିବିଆଇ ତଦନ୍ତ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର