ଭୁବନେଶ୍ୱରରୁ ଗଡ଼ିଲା ଦେଶର ପ୍ରଥମ ଆଲୁମିନିୟମ ୱାଗନ, କମ ଓଜନରେ ଚାଲିବ ବହୁତ ଦିନ

ଭୁବନେଶ୍ୱର: ଦେଶରେ ପ୍ରଥମ ଥର ପାଇଁ ମାଲବାହୀ ୱାଗନ ଲୁହା ବଦଳରେ ଆଲୁମିନିୟମରୁ ନିର୍ମିତ ହୋଇଛି | ଆଉ ଆଜି ଭୁବନେଶ୍ୱର ରେଳ ଷ୍ଟେସନରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଆରଡ଼ିଏସଓ, ବିଏସସିଓ ଓ ହିଣ୍ଡାଲକୋ ସହାୟତାରେ ଏହି ୱାଗନ ପ୍ରସ୍ତୁତ କରାଯାଇଛି | ମେକ୍ ଇନ୍ ଇଣ୍ଡିଆ ଅଧୀନରେ ଏହି ୱାଗନକୁ ପ୍ରସ୍ତୁତ କରାଯାଇଥିବାବେଳେ ଏହି ୱାଗନ ପୂର୍ବ ଅପେକ୍ଷା ହାଲୁକା କିନ୍ତୁ ଅଧିକ ମାଲ ପରିବହନ କରିବାର କ୍ଷମତା ରଖିଛି ।

ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଏହି ଆଲୁମିନିୟମ ୱାଗନ ବର୍ତ୍ତମାନର ଷ୍ଟିଲ୍ ୱାଗନ ତୁଳନାରେ ୩.୨୫ ଟନ୍ ହାଲୁକା ହୋଇଥିବାବେଳେ ସମାନ ଦୂରତା ପାଇଁ ଟ୍ରେନର ଗତି ବଢ଼ାଇଥାଏ ଏବଂ କମ୍ ବିଦ୍ୟୁତ୍ ବ୍ୟବହାର ହୋଇଥାଏ | ସେହିପରି ବଡ କଥା ହେଉଛି ଯେ ଏହି ୱାଗନ ୧୮୦ ଟନ୍ ଅତିରିକ୍ତ ପେଲୋଡ୍ ବହନ କରିପାରିବ ଏବଂ ଏହାର ରକ୍ଷଣାବେକ୍ଷଣ ମୂଲ୍ୟ କମ୍ ରହିବ | ରେଳବାଇ କହିଛି ଯେ ନୂତନ ୱାଗନର ୮୦ ପ୍ରତିଶତ ପୁନଃ ବିକ୍ରୟ ମୂଲ୍ୟ ରହିଛି ଏବଂ ସାଧାରଣ ୱାଗନଠାରୁ ୧୦ ବର୍ଷ ଅଧିକ ସମୟ ଏହା ସୁରକ୍ଷିତ ରହିପାରିବ କାରଣ ଏଥିରେ କଳଙ୍କି ଲାଗିବ ନାହିଁ | ତଥାପି ଏହାର ନିର୍ମାଣ ମୂଲ୍ୟ ୩୫ ପ୍ରତିଶତ ଅଧିକ ରହିଛି |

ଆଲୁମିନିୟମ ୱାଗନର ବିଶେଷତ୍ୱ
ସାଧାରଣ ଷ୍ଟିଲ୍ ୱାଗନ ଅପେକ୍ଷା ଏଗୁଡ଼ିକ ୩.୨୫ ଟନ୍ ହାଲୁକା |
୧୮୦ ଟନ୍ ଅତିରିକ୍ତ ଭାର ବହନ କରିପାରିବ |
ଆଲୁମିନିୟମ୍ ୱାଗନ ଇନ୍ଧନ ସଞ୍ଚୟ କରିବ |
ଏହାଦ୍ୱାରା ଅଙ୍ଗାରକାମ୍ଳ ନିର୍ଗମନ ମଧ୍ୟ ହ୍ରାସ ପାଇବ |
ଆଲୁମିନିୟମ୍ ୱାଗନର ପୁନଃ ବିକ୍ରୟ ମୂଲ୍ୟ ହେଉଛି ୮୦ ପ୍ରତିଶତ |
ସାଧାରଣ ୱାଗନଠାରୁ ଆଲୁମିନିୟମ୍ ୱାଗନର ଜୀବନକାଳ ମଧ୍ୟ ୧୦ ବର୍ଷ ଅଧିକ, ଯାହାର ରକ୍ଷଣାବେକ୍ଷଣ ମୂଲ୍ୟ ମଧ୍ୟ କମ୍ | କାରଣ ଏଥିରେ କଳଙ୍କି ଲାଗିବାର ଭୟ ନଥାଏ |

ସମ୍ବନ୍ଧିତ ଖବର