ସମୁଦ୍ର ଆଁକୁ ଯିବ ଆମେରିକା ! ବୁଡ଼ିଯିବ ନ୍ୟୁୟର୍କ ସମେତ ୩୨ ସହର

ୱାଶିଂଟନ: ଆସନ୍ତା ୨୬ ବର୍ଷ ମଧ୍ୟରେ ଆମେରିକାର ବହୁ ସହର ସମୁଦ୍ର ଆଁକୁ ଯିବ। ଦେଶର ନ୍ୟୁୟର୍କ ଏବଂ ସାନ ଫ୍ରାନସିସ୍କୋ ସମେତ ୩୨ ସହର ଉପରେ ଏବେ ଏନେଇ ସଙ୍କଟ ସୃଷ୍ଟି ହୋଇଛି। ଏକ ରିପୋର୍ଟରେ ଏନେଇ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରକାଶ ପାଇଛି। ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କରାଗଲେ ୨୦୫୦ ସୁଦ୍ଧା ‌ବନ୍ୟା ସ୍ଥିତି ଯୋଗୁ ଦେଶର ୧୦୭ ଶହ କୋଟି ଡଲାର କ୍ଷତି ହେବାର ଆଶଙ୍କା ରହିଛି। ଦେଶର ୩୦ ପ୍ରତିଶତ ଜନସଂଖ୍ୟା ଉପକୂଳବର୍ତ୍ତୀ ଅଞ୍ଚଳରେ ବାସ କରନ୍ତି। ବିଶ୍ବ ତାପନ ଯୋଗୁ ୨୦୫୦ ସୁଦ୍ଧା ସମୁଦ୍ରରେ ଜଳସ୍ତର ୧ ଫୁଟ ଅର୍ଥାତ୍ ୦.୩ ମିଟର ବୃଦ୍ଧି ପାଇବାର ଆଶଙ୍କା ରହିଛି।
ନେଚର ପତ୍ରିକାରେ ପ୍ରକାଶିତ ଏହି ରିପୋର୍ଟରେ ଆମେରିକାରେ ଦେଖା ଦେଇଥିବା ବନ୍ୟା ସ୍ଥିତି ଅନୁସାରେ ପୂର୍ବାନୁମାନ କରାଯାଇଛି।
ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ବ ତାପନରେ ବୃଦ୍ଧି ଯୋଗୁ ମେରୁରେ ଥିବା ବରଫ ତରଳିବାରେ ଲାଗିଛି ଏବଂ ସମୁଦ୍ର ଜଳ ଉତ୍ତପ୍ତ ହେଉଛି। ଏହା ଯୋଗୁ ଗତ ତିନି ଦଶକରେ ସମୁଦ୍ରର ଜଳସ୍ତର ପ୍ରତିବର୍ଷ ପ୍ରାୟ ୦.୧୩ ଇଞ୍ଚ ଅର୍ଥାତ୍ ୩.୪ ମିଲିମିଟର ହାରରେ ବଢୁଛି। ଫଳରେ ଉପକୂଳବର୍ତ୍ତୀ ଅଞ୍ଚଳର ଜମି ସମୁଦ୍ର ଗର୍ଭକୁ ଯାଉଛି ବୋଲି ରିପୋର୍ଟ ଉଲ୍ଲେଖ କରାଯାଇଛି।

ଏହି ସଙ୍କଟ ଜାରି ରହିଲେ ଆଗାମୀ ଦିନରେ ଆମେରିକାର ବହୁ ଉପକୂଳ ସହର ସମୁଦ୍ରରେ ବୁଡ଼ି ଯିବାର ଆଶଙ୍କା ରହିଥିବା ରିପୋର୍ଟରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର