ପୁଣି ଥରେ ଝୁଣ୍ଟିଲେ ଅନୀଲ ବିଜ୍: ମୁଖ୍ୟମନ୍ତ୍ରୀ ହେବା ସ୍ବପ୍ନ ରହିଲା ଅଧୁରା

ଚଣ୍ଡିଗଡ଼: ହରିୟାଣାର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ଗୃହମନ୍ତ୍ରୀ ଅନୀଲ ବିଜ୍ ପୁଣି ଥରେ ଝୁଣ୍ଟିଛନ୍ତି। ତାଙ୍କର ମୁଖ୍ୟମନ୍ତ୍ରୀ ହେବା ସ୍ବପ୍ନ ଏଥରକ ମଧ୍ୟ ଅଧୁରା ରହି ଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ନାଟକୀୟ ଇସ୍ତଫା ପରେ ଅନୀଲଙ୍କ ରାସ୍ତା ସଫା ବୋଲି ମନେ ହେଉଥିଲା। କିନ୍ତୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ) ସହ ଜଡ଼ିତ ଥିବା ନାୟବ ସିହ ସୈନି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ଫଳରେ ଅନୀଲ ପୁଣି ଥରେ ରାଜନୈତିକ ରଣନୀତିରେ ପଛୁଆ ପଡ଼ିଯାଇଥିବା ରାଜନୈତିକ ସମୀକ୍ଷକ ମତକୋଷଣ କରିଛନ୍ତି। ନୂଆ ସରକାରରେ ତାଙ୍କ ପାଖରେ ଗୃହ ମନ୍ତ୍ରଣାଳୟ ମଧ୍ୟ ରହିବ ନାହିଁ ବୋଲି ଚର୍ଚ୍ଚା ହେଉଛି। ଏବେ ଅନୀଲ ବିଦ୍ରୋହ କରିବେ ନା ନୀରବ ରହିବେ ସେ ନେଇ ଚର୍ଚ୍ଚା ଜାରି ରହିଛି। ଅନୀଲ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇ ନାହାନ୍ତି। ଫଳରେ ରାଜ୍ୟର ପୁଣି ରାଜନୈତିକ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି।

 

ଗତ ବର୍ଷ ଅନୀଲ ବିଜ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ବିରୋଧରେ ବିଦ୍ରୋହ କରିଥିଲେ। ସେ ହରିୟାଣାର ଗୃହ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ ଏବଂ ତାଙ୍କର ସିଏଓ ସହିତ ବିବାଦ ଦେଖାଦେଇଥିଲା । ଅନୀଲଙ୍କ କ୍ରୋଧକୁ ଶାନ୍ତ କରିବା ପାଇଁ ମନୋହର ଲାଲଙ୍କୁ ୬୪ ଦିନ ଲାଗିଥିଲା ଏବଂ ତାଙ୍କୁ ଅନୀଲଙ୍କ ସମସ୍ତ ସର୍ତ୍ତ ଗ୍ରହଣ କରିବାକୁ ପଡିଥିଲା । ଏହି ପ୍ରସଙ୍ଗରେ ବିରୋଧୀମାନେ ମଧ୍ୟ ସରକାରଙ୍କୁ କଡ଼ା ନିନ୍ଦା କରିଥିଲେ। ଏହି ମାମଲା ଦିଲ୍ଲୀରେ ପହଞ୍ଚିଥିଲା। ୧୫ ନଭେମ୍ବରରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, କିନ୍ତୁ ସେ ଶାନ୍ତି ହୋଇ ନ ଥିଲେ। ୭ ଡିସେମ୍ବରରେ ପୁନର୍ବାର ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସମସ୍ୟାର ସମାଧାନ ପାଇଁ ତିନି ଦିନ ଲାଗିଥିଲା।

 

ଅନୀଲ ଦୀର୍ଘ ଦିନ ଧରି ହରିୟାଣାର ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଥିଲେ ମଧ୍ୟ ସେ ଏହି ଚେୟାରଠାରୁ ଦୂରରେ ରହିଥିଲେ। ୨୦୧୪ ମସିହାରେ, ସେ ହରିୟାଣା ଠାରୁ ଜିତିଥିବା ପ୍ରଥମ ବିଧାୟକ ହୋଇଥିଲେ | ଏହା ପରେ ସେ ଏକ ସାକ୍ଷାତକାରରେ କହିଥିଲେ ଯେ ଯଦି ମତେ ସିଏମ୍ ଦାୟିତ୍ୱ ଦିଆଯାଏ, ତେବେ ମୁଁ ଯଥାସମ୍ଭବ ଭଲ କରିବାକୁ ଚେଷ୍ଟା କରିବି।

ସେ କହିଥିଲେ ଯେ ସେ ୫ ଥର ବିଧାୟକ ଭାବେ ଜିତିଛନ୍ତି ଏବଂ ବିଧାନସଭାରେ ଦଳର ନେତା ମଧ୍ୟ ରହିଛନ୍ତି। କେବଳ ଏତିକି ନୁହେଁ ତାଙ୍କ ସମର୍ଥକମାନେ ମଧ୍ୟ ସମୟ ସମୟରେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରିଛନ୍ତି। ବିଧାୟକ ବଲରାଜ କୁଣ୍ଡୁ ବିଜେପି ଛାଡି ଖୋଲାଖୋଲି ଭାବେ କହିଥିଲେ ଯେ ଯଦି ଅନୀଲଙ୍କୁ ମୁଖ୍ୟମନ୍ତ୍ରୀ କରାଯାଏ ତେବେ ସେ ଦଳକୁ ଫେରିବେ।

ସମ୍ବନ୍ଧିତ ଖବର