ଚାଷୀ ଜିତିଲେ, ସରକାର ହାରିଲେ

କ୍ଷମା ମାଗିଲେ ମୋଦୀ, କୃଷି ଆଇନ ପ୍ରତ୍ୟାହାର ଘୋଷଣା

ଘରକୁ ଫେରିଯିବାକୁ ଚାଷୀଙ୍କୁ ନିବେଦନ
ଆସନ୍ତା ଅଧିବେଶନରେ ଉଚ୍ଛେଦ ପ୍ରକ୍ରିୟା ସରିବ
କୃଷି ସମସ୍ୟା ଅନୁଧ୍ୟାନ ପାଇଁ କମିଟି ଗଠନ ହେବ
ସଂସଦରେ ଆଇନ ଉଚ୍ଛେଦ ହେଲେ ହିଁ ଆନ୍ଦୋଳନ ବନ୍ଦ କରିବୁ: ଟିକା‌ୟତ
ମୋଦୀଙ୍କ ଉପରେ ମୋର ବିଶ୍ବାସ ନାହିଁ

ନୂଆଦିଲ୍ଲୀ : ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ବର୍ଷେ ହେଲା ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଥିବା କୃଷକଙ୍କ ନିକଟରେ ଶେଷରେ ଆଜି ମୁଣ୍ଡ ନୁଆଁଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଟେଲିଭିଜନ ମାଧ୍ୟମରେ ଦେଶବାସୀଙ୍କୁ କ୍ଷମା ମାଗିବା ସହିତ ୩ କୃଷି ଆଇନକୁ ପ୍ରତ୍ୟାହାର ଘୋଷଣା କରିଛନ୍ତି। ଫଳରେ କୃଷି ଆଇନକୁ ଲାଗୁ କରିବା ନେଇ ଜିଦ୍‌ରେ ଅଟଳ ଥିବା ସରକାର ୟୁ-ଟର୍ଣ୍ଣ ନେଇଛନ୍ତି। ପଞ୍ଜାବ ଏବଂ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ମୋଦୀଙ୍କ ଏହି ଘୋଷଣା ରାଜନୀତିକୁ ଆହୁରି ଚଳଚଞ୍ଚଳ କରିଦେଇଛି।

ନୂଆ କୃଷି ଆଇନର ଉଦ୍ଦେଶ୍ୟ ସଂପର୍କରେ କେତେକ କୃଷକ ଭାଇଙ୍କୁ ବୁଝାଇବାରେ ଅସମର୍ଥ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଦେଶ ନିକଟରେ କ୍ଷମା ମାଗିଛନ୍ତି। ଆନ୍ଦୋଳନରତ କୃଷକମାନଙ୍କୁ ଏହା ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଯେ ସଂସଦର ଆସନ୍ତା ଅଧିବେଶନରେ ଏହି ଆଇନ ଉଚ୍ଛେଦ ପ୍ରକ୍ରିୟା ସଂପୂର୍ଣ୍ଣ ହେବ। ଏଥିସହିତ କୃଷି ସଂପର୍କିତ ବିଭିନ୍ନ ପ୍ରସଙ୍ଗ ଯଥା ଜିରୋ ବଜେଟ୍ ଫାର୍ମିଂ, ସାର, ଫସଲ ପଦ୍ଧତିରେ ପରିବର୍ତ୍ତନ, ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣରେ ସ୍ବଚ୍ଛତା ରକ୍ଷା ଆଦିର ଅନୁଧ୍ୟାନ ପାଇଁ ଏକ କମିଟି ଗଠନ ନିମନ୍ତେ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଉକ୍ତ କମିଟିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିନିଧିମାନେ ରହିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଦେଶବାସୀଙ୍କୁ ଦୂରଦର୍ଶନ ମାଧ୍ୟମରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ନୂଆ ଆଇନ ପ୍ରସ୍ତୁତ କରିବାର ଲକ୍ଷ୍ୟ ଥିଲା କ୍ଷୁଦ୍ର ଚାଷୀମାନଙ୍କୁ ବିକଳ୍ପ ସୁବିଧା ଯୋଗାଇ ଦେବା। ଭାରତରେ ମୋଟ ଚାଷୀଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ କ୍ଷୁଦ୍ର ଚାଷୀ। ସେମାନଙ୍କୁ ବଜାର ସୁବିଧା ଏବଂ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଭଲ ଦାମ୍‌ ପ୍ରଦାନ କରିବା ସରକାରଙ୍କର ଲକ୍ଷ୍ୟ ରହିଥିଲା। କୃଷି କ୍ଷେତ୍ରର ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ମୋଦୀ ଏହି ଅବସରରେ ଅବତାରଣା କରିଛନ୍ତି। ସେ କହିଛନ୍ତି ଦେଶରେ କୃଷକମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ଲାଗି ସରକାର ନିରନ୍ତର ଉଦ୍ୟମ ଚଳାଇଛନ୍ତି। କୃଷି କ୍ଷେତ୍ରର ଆବଣ୍ଟନରେ ୫ ଗୁଣା ବୃଦ୍ଧି ହୋଇଛି। କ୍ଷୁଦ୍ର ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ବିହନ, ବୀମା, ବଜାର ଏବଂ ସଂଚୟ ଆଦି କ୍ଷେତ୍ରରେ ଆମେ ଏକାଧିକ ପଦକ୍ଷେପ ନେଇଛୁ। କୃଷକମାନେ ବର୍ତ୍ତମାନ ସେମାନଙ୍କ କ୍ଷତିପୂରଣ ସହଜରେ ଦାବି କରି ପାରୁଛନ୍ତି। ୨୨ କୋଟି ମୃତ୍ତିକା ସ୍ବାସ୍ଥ୍ୟକାର୍ଡ ବଣ୍ଟନ କରାଯାଇଛି। କୃଷକମାନଙ୍କୁ ଅଣୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସରକାରଙ୍କ ଭଲ ଉଦ୍ଦେଶ୍ୟ ସତ୍ତ୍ବେ ତପସ୍ୟାରେ କିଛିଟା କମ୍ ରହିଛି ଯାହାଦ୍ବାରା ଆମେ ଆ‌ମର କିଛି ଚାଷୀଭାଇମାନଙ୍କୁ କୃଷି ଆଇନର ଉଦ୍ଦେଶ୍ୟ ସଂପର୍କରେ ବୁଝାଇ ପାରିଲୁନାହିଁ। ଏହି ଆଇନ ଲ୍ୟାମ୍ପର ଆଲୋକ ଭଳି ଶୁଦ୍ଧ ବୋଲି ପ୍ରଧାନମନ୍ତ୍ରୀ ଏହି ଆଇନ ଉଚ୍ଛେଦ ଘୋଷଣା ଅବସରରେ କହିଛନ୍ତି।

ସରକାର କେଉଁ ପୃଷ୍ଠଭୂମିରେ ଏହି ଆଇନକୁ ଉଚ୍ଛେଦ କରୁଛନ୍ତି ସେ ସଂପର୍କରେ ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଉକ୍ତ ଆଇନ ପ୍ରସ୍ତୁତ କରିବା ପୂର୍ବରୁ ଅନେକ ଅଂଶୀଦାର ଏବଂ ବିଶେଷଜ୍ଞଙ୍କ ମତ ନିଆଯାଇଛି। କୃଷି କ୍ଷେତ୍ରର ସଂସ୍କାର ପାଇଁ ଆଇନରେ ହୋଇଥିବା ପରିବର୍ତ୍ତନରେ ଅନେକ କୃଷକ ଖୁସି ଥିଲେ। ସେମାନଙ୍କ ନିକଟରେ ଆମେ କୃତଜ୍ଞ। ଏସବୁ ଉଦ୍ୟମ ସତ୍ତ୍ବେ କିଛି କୃଷକଙ୍କୁ ଆମେ ବୁଝାଇ ପାରିଲୁନାହିଁ। କୃଷି ବୈଜ୍ଞାନିକ, ବୈଜ୍ଞାନିକ ଏବଂ ପ୍ରଗତିଶୀଳ ଚାଷୀମାନେ ମଧ୍ୟ ‌ସେମାନଙ୍କୁ ବୁଝାଇବା ପାଇଁ ଯଥାସାଧ୍ୟ ଉଦ୍ୟମ କରିଛନ୍ତି। ଏମାନଙ୍କ ସଂଖ୍ୟା ମୋଟ କୃଷକଙ୍କ ମଧ୍ୟରେ ସେତେଟା ଅଧିକ ହୋଇ ନଥିବାରୁ ସେମାନଙ୍କୁ ବୁଝାଇବା ଆମପାଇଁ ଗୁରୁତ୍ବପୂର୍ଣ୍ଣ ବିଷୟ ଥିଲା। ସେମାନଙ୍କ ସହିତ ଆଲୋଚନା କରିଛୁ। ସେମାନଙ୍କ ଯୁକ୍ତି ଓ ତର୍କକୁ ଶୁଣିଛୁ। ଦୁଇ ବର୍ଷ ପାଇଁ ଆମେ ଏହି ଆଇନକୁ ସ୍ଥଗିତ ରଖିବା ପାଇଁ ରାଜି ହୋଇଛୁ। ବର୍ତ୍ତମାନ ଏହି ପ୍ରସଙ୍ଗ ସୁପ୍ରିମ କୋର୍ଟରେ ରହିଛି। କୃଷକମାନେ ଯେଉଁ ନିର୍ଦ୍ଦିଷ୍ଟ ଧାରାକୁ ବିରୋଧ କରୁଥିଲେ, ତାହାକୁ ମଧ୍ୟ ବାଦ୍ ଦିଆଯାଇଛି। ଏହାସତ୍ତ୍ବେ କିଛିର ଅଭାବ ରହିଛି, ଯାହାଦ୍ବାରା ଏହି ବର୍ଗର କୃଷକମାନଙ୍କୁ ବୁଝାଇବାରେ ଆମେ ସମର୍ଥ ହୋଇ ପାରିନାହୁଁ ବୋଲି ମୋଦୀ କହିଛନ୍ତି।

ଆଜିର ପବିତ୍ର ଦିନ ଗୁରୁ ପରବ ( ଗୁରୁ ନାନକଙ୍କ ଜୟନ୍ତୀ)ରେ ଆନ୍ଦୋଳନରତ ସବୁ କୃଷକମାନେ ଘରକୁ ଭଲ ମନରେ ଫେରିଯିବା ପାଇଁ ପ୍ରଧାମନ୍ତ୍ରୀ ନିବେଦନ କରିଛନ୍ତି। ଏଥିସହିତ ତାଙ୍କ ସରକାରଙ୍କ ଦ୍ବାରା କୃଷକମାନଙ୍କ ପାଇଁ ନିଆଯାଇଥିବା ସମସ୍ତ ଅନୁକୂଳ ପଦକ୍ଷେପ ସଂପର୍କରେ ଉଲ୍ଲେଖ କରିଛନ୍ତି। ସେଥିରେ ଫସଲ ବୀମା, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଏବଂ ନିମ କୋଟିଂ ଥିବା ୟୁରିଆ ଆଦି ବିଷୟ ରହିଛି। ଶେଷରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁ ନାନକଙ୍କ ପ୍ରାର୍ଥନାକୁ ଉଲ୍ଲେଖ କରି କହିଛନ୍ତି ଠିକ୍ କାମ କରିବାକୁ କଦାପି ଭୟ କରିବା ଅନୁଚିତ। ମୁଁ ଯାହା କରିଛି ତାହା କୃଷକମାନଙ୍କ ହିତ ପାଇଁ ଉଦ୍ଦିଷ୍ଟ ଥିଲା ଏବଂ ତାହା ମୁଁ ଜାରି ରଖିବି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ, କୃଷକଙ୍କ ଉତ୍ପାଦର ବାଣିଜ୍ୟ (ପ୍ରୋତ୍ସାହନ ଏବଂ ସୁବିଧା) ଆଇନ ୨୦୨୦, ମୂଲ୍ୟ ପ୍ରତିଶ୍ରୁତି ଏବଂ କୃଷି ସେବା ସଂପର୍କରେ କୃଷକ (ସଶକ୍ତୀକରଣ ଏବଂ ସୁରକ୍ଷା) ରାଜିନାମା ଆଇନ ୨୦୨୦ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ୨୦୨୦ର ଉଚ୍ଛେଦ ଦାବିରେ ଦିଲ୍ଲୀ ସୀମାରେ ଗତବର୍ଷ ନଭେମ୍ବର ୨୬ ତାରିଖରୁ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସ୍ବାଗତ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ କୃଷି ଆଇନ ଉଚ୍ଛେଦ ଦେଇ ଘୋଷଣା କରିବା ପରେ ଏହାକୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟ୍ବିଟ୍ ଜରିଆରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୃଷକ ଓ ଦେଶର ସ୍ବାର୍ଥ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ କୃଷି ଆଇନକୁ ଉଚ୍ଛେଦ କରିବା ସ୍ବାଗତଯୋଗ୍ୟ। କୃଷି କ୍ଷେତ୍ର, କୃଷକଙ୍କ ପରିବାର ଦୀର୍ଘଦିନ ହେବ ସେମାନଙ୍କୁ ସ୍ବାଗତ କରିବାକୁ ଅପେକ୍ଷା କରି ରହିଛନ୍ତି। ବିଜେଡି କୃଷକମାନଙ୍କ ପାଇଁ ସବୁବେଳେ ଛିଡ଼ା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର