ଜାନୁଆରି ୨୩ ସୁଦ୍ଧା ଓଡ଼ିଶା ହାଇକୋର୍ଟରେ ବିଚାରାଧୀନ ଅଛି ୧,୪୫,୮୮୨ ମାମଲା

ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟରେ ଜାନୁଆରି ୨୩,୨୦୨୪ ସୁଦ୍ଧା ୧,୪୫,୮୮୨ ମାମଲା ବିଚାରାଧୀନ ରହିଛି। ଆଜି ଲୋକସଭାରେ ବିଜେଡି ସାଂସଦ ମହେଶ ସାହୁଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ। କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁସାରେ ଦେଶର ୨୫ଟି ହାଇକୋର୍ଟରେ ଜାନୁଆରି ୨୩, ୨୦୨୪ ସୁଦ୍ଧା ମୋଟ ୬୨,୧୧,୪୭୧ ମାମଲା ବିଚାରାଧୀନ ଥିବାବେଳେ ସର୍ବାଧିକ ୧୦,୭୪,୭୮୯ ମାମଲା ଆହ୍ଲାବାଦ ହାଇକୋର୍ଟରେ ରହିଛି। ମନ୍ତ୍ରୀଙ୍କ ଉତ୍ତର ଅନୁସାରେ ବିଚାରାଧୀନ ମାମଲା କେବଳ ବିଚାରପତିଙ୍କ ଅଭାବ ନୁହେଁ,ଏକାଧିକ ରିଭିଜନ/ଅପିଲ, ନିୟମିତ ସ୍ଥଗିତ, ମାମଲାଗୁଡ଼ିକର ତଦାରଖ ଓ ଟ୍ରାକିଂ ପାଇଁ ପର୍ଯ୍ୟାପ୍ତ ପରିଚାଳନାର ଅଭାବ ଭଳି କାରଣରୁ ଏହା ହୋଇଛି। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ହାଇକୋର୍ଟଗୁଡ଼ିକରେ ବିଚାରପତିମାନଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ବିଚାରାଧୀନ ନାହିଁ। ଅଗଷ୍ଟ ୯,୨୦୧୯ରୁ ସୁପ୍ରିମକୋର୍ଟର ବିଚାରପତିଙ୍କ ସଂଖ୍ୟା ୩୧ ରୁ ୩୪କୁ ବୃଦ୍ଧି କରାଯାଇଥିବାବେଳେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୦୧୪ରୁ ୯୦୬ ରୁ ୧୧୧୪କୁ ବୃଦ୍ଧି କରାଯାଇଛି। ଦେଶର ୨୫ଟି ହାଇକୋର୍ଟରେ ମଂଜୁରିପ୍ରାପ୍ତ ୧୧୧୪ ବିଚାରପତିଙ୍କ ସଂଖ୍ୟାରୁ ୭୮୩ ଜଣ ବିଚାରପତି ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି ଏବଂ ୩୩୧ ବିଚାରପତି ପଦ ବର୍ତ୍ତମାନ ଖାଲି ରହିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି। ଓଡ଼ିଶା ହାଇକୋର୍ଟରେ ଜାନୁଆରି ୨୯,୨୦୨୪ ସୁଦ୍ଧା ୨୦ ଜଣ ସ୍ଥାୟୀ ବିଚାରପତି କାର୍ଯ୍ୟ କରୁଛନ୍ତି। ୪ ଜଣ ସ୍ଥାୟୀ ଓ ୯ ଜଣ ଅତିରିକ୍ତ ବିଚାରପତିଙ୍କ ପଦ ଓଡ଼ିଶା ହାଇକୋର୍ଟରେ ଖ‌ାଲି ରହିଥିବା ମନ୍ତ୍ରୀ ଉତ୍ତରରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର