ବିଆରଏସ୍ ଏମପି ଧରିଲେ ପଦ୍ମ

ହାଇଦ୍ରାବାଦ: ଲୋକସଭା ନିର୍ବାଚନ ପୂର୍ବରୁ ରାଜନୈତିକସ୍ତରରେ ଭଙ୍ଗାଗଢ଼ା ରାଜନୀତି ଜାରି ରହିଛି। ଏପରିସ୍ଥଳେ ଲେଙ୍ଗାନାରେ ଭାରତ ରାଷ୍ଟ୍ର ସମିତି(ବିଆରଏସ)କୁ ବଡ଼ ଝଟକା ଲାଗିଛି। ଦଳର ଏମପି ଭୀମରାଓ ବସନ୍ତରାଓ ପାଟିଲ(ବିବି ପାଟିଲ) ବାଡ଼ ଡେଇଁ ପଦ୍ମ ଶିବିରରେ ଯୋଗ ଦେଇଛନ୍ତି। ରାଜ୍ୟରେ ବିଜେପିର ଅପରେସନ ଲୋଟସ ସଫଳ ହୋଇଛି। ବିଆରଏସରେ ଫାଟ ବଢ଼ିବା ସହିତ ଜଣକ ପରେ ଜଣେ ନେତା ଦଳ ଛାଡୁଛନ୍ତି। ଏହା ଦ୍ବାରା ରାଜ୍ୟରେ ବିଆରଏସର ଶକ୍ତି କମିବାରେ ଲାଗିଛି। କିନ୍ତୁ ବିଜେପି ଶକ୍ତିଶାଳୀ ହେବାରେ ଲାଗିଛି। ଏହାର ଫାଇଦା ଲୋକସଭା ନିର୍ବାଚନରେ ବିଜେପିକୁ ଯିବ ବୋଲି କୂହାଯାଉଛି।

ସେ ‌ରାଜ୍ୟର ଜହିରାବାଦ ଲୋକସଭା ଆସନର ଏମପି। ସେ ତେଲେଙ୍ଗାନାର କାମାରେଡ୍ଡିର ସିରପୁରରେ ଜନ୍ମ ଗ୍ରହଣ କରିଥିଲେ। ସେ ମହାରାଷ୍ଟ୍ରର ମରାଠାୱାଡ଼ା କୃଷି ବିଶ୍ବବିଦ୍ୟାଳୟରୁ ବିଏସସି(କୃଷି) ଡିଗ୍ରୀ ହାସଲ କରିଛନ୍ତି। ଦିଲ୍ଲୀରେ ବିବି ପାଟିଲ ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ‌ଦଳରେ ଯୋଗଦେଇଛନ୍ତି।

 

୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ପାଟିଲ ବିଜୟୀ ହୋଇଥିଲେ। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟପ୍ରତି ସେ ଆକର୍ଷିତ ହୋଇ ବିଜେପିରେ ଯୋଗ ଦେଇଛନ୍ତି।
ଗୋଟିଏ ଦିନ ତଳେ ଗୁରୁବାର ବିଆରଏସର ଏମପି ପି.ରାମୁଲୁ ଇସ୍ତଫା ଦେଇଥିଲେ। ଏହାପରେ ସେ ବିଜେପିରେ ଯୋଗଦେଇଥିଲେ।

ବିଆରଏସ ଏମପି ବିଜେପିରେ ଯୋଗଦେବା ଦ୍ବାରା ୨୦୨୪ ଲୋକସଭା ନିର୍ବାଚନରେ ରାଜ୍ୟରେ ଦଳ ବେଶ୍ ସୁଦୃଢ଼ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ରାମୁଲୁ ଏବଂ ପାଟିଲ ବିଜେପି ଟିକେଟରେ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର