ଡୋକଲାମ ଅଞ୍ଚଳରେ ଚୀନ ହେଲିପ୍ୟାଡ୍‌ ନିର୍ମାଣ କରିଛି : ସୀତାରମଣ

ନୂଆଦିଲ୍ଲୀ : ବିବାଦୀୟ ଡୋକଲାମ ଅଂଚଳରେ ଚୀନ ଅନେକ ପ୍ରକାରର ନିର୍ମାଣ କାମ ଜାରି । ଏସବୁ ମଧ୍ୟ ରହିଛି ହେଲିପ୍ୟାଡ୍‌, ସେଣ୍ଟି୍ର ପୋଷ୍ଟ ଓ ଟ୍ରେଞ୍ଚ ଇତ୍ୟାଦି । ସେଠାରେ ଯେପରି ଚୀନ ସୈନ୍ୟ ଅଧିକ ଦିନ ଧରି ରହିପାରିବେ ତାହାକୁ ନଜରରେ ରଖି ଏସବୁ କାମ କରାଯାଉଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ ଗତ ବର୍ଷ ମୁହାଁମୁହିଁ ରହିବା ପରେ ଉଭୟ ଦେଶର ସେନା ପୁଣି ଠୁଳ ହୋଇଛନ୍ତି । ତେବେ ଉଭୟ ପକ୍ଷର ସେନା ଗତ ବର୍ଷର ଅବସ୍ଥାନଠାରୁ ଦୂରରେ ଅଛନ୍ତି ଓ ଉଭୟ ପକ୍ଷର ସଂଖ୍ୟା ମଧ୍ୟ କମ ରହିଛି । ତେବେ ପ୍ରବଳ ଶୀତରେ ଯେପରି ସେନା ଏ ଅଂଚଳରେ ରହିପାରିବେ, ସେଥିପାଇଁ ଚୀନ ବିଭିନ୍ନ ପ୍ରକାରର ଭିତ୍ତିଭୂମି ପ୍ରସ୍ତୁତ କରିଚାଲିଛି ।

ବିଗତ ଏକ ମାସ ମଧ୍ୟରେ ଡୋକଲାମ ସଂପର୍କରେ ଏହା ହେଉଛି ଭାରତ ପକ୍ଷରୁ ୩ୟ ବକ୍ତବ୍ୟ । ଗତ ସପ୍ତାହରେ କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ଭାମ୍ରେ କହିଥିଲେ ଯେ ଭାରତ ଓ ଚୀନ ମଧ୍ୟରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଉଭୟ ଦେଶର ସେନା ମୁହାଁମୁହିଁ ଅଛନ୍ତି । ପ୍ରତିଦିନ ପାଟ୍ରୋଲିଂ, ମୁହାଁମୁହିଁ , ଅନୁପ୍ରବେଶ ଆଦି ଘଟଣା ଘଟୁଛି । ଏହା ଯେକୌଣସି ସମୟରେ ବିସ୍ପୋରକ ରୂପ ନେଇପାରେ । ସେହିପରି ଗତ ଜାନୁୟାରୀ ମାସରେ ମଧ୍ୟ ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ଵତ କହିଥିଲେ ଯେ ଭାରତ ପାକିସ୍ତାନ ସୀମା ଅପେକ୍ଷା ଚୀନ ସୀମା ଉପରେ ଅଧିକ ଫୋକସ କରିବାର ସମୟ ଆସିଛି ।

ସମ୍ବନ୍ଧିତ ଖବର