ଗ୍ରାହକ ନିଜ ପସନ୍ଦର ପେମେଣ୍ଟ ବ୍ୟାଙ୍କ କରିପାରିବେ ଚୟନ: କ୍ରେଡିଟ କାର୍ଡ ନେଇ ଆରବିଆଇର ବଡ଼ ଅପଡେଟ୍

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭବ୍ୟାଙ୍କ(ଆରବିଆଇ) ପକ୍ଷରୁ କ୍ରେଡିଟ କାର୍ଡ ନେଇ ଏକ ବଡ଼ ଅପଡେଟ୍ ସମ୍ପର୍କରେ ଘୋଷଣା କରାଯାଇଛି। ଆରବିଆଇ ଗ୍ରାହକଙ୍କୁ ନିଜ ପସନ୍ଦର ପେମେଣ୍ଟ ବ୍ୟାଙ୍କ ଚୟନ କରିପାରିବାର ବିକଳ୍ପ ଦେବାକୁ ନିର୍ଦ୍ଦେଶ ଦେଇଛି। ଫଳରେ ଏଣିକି ବ୍ୟାଙ୍କ ଅବା ଅଣ-ବ୍ୟାଙ୍କ ସଂସ୍ଥାଙ୍କୁ କ୍ରେଡିଟ କାର୍ଡ ଜାରି କରିବା ସମୟରେ ଗ୍ରାହକଙ୍କୁ କାର୍ଡ ନେଟୱାର୍କ ଚୟନ କରିବାର ବିକଳ୍ପ ଦେବାକୁ ପଡ଼ିବ।
ଆରବିଆଇ ନିର୍ଦ୍ଦେଶ ଦେଇଛି କାର୍ଡ ନେଟୱାର୍କ ସହିତ ଏଭଳି କ‌ୌଣସି ବୁଝାମଣା କରା ନ ଯାଉ ଯାହା ଅନ୍ୟ ସେବାର ଲାଭ ନେବାରେ ବାଧା ସୃଷ୍ଟି କରିବ। ଏନେଇ ଆରବିଆଇ ଅଧିକୃତ କାର୍ଡ ନେଟୱାର୍କଙ୍କ ନାମ ତାଲିକାଭୁକ୍ତ କରିଛି। ଏହି ତାଲିକାରେ ଆମେରିକାନ ଏକ୍ସପ୍ରେସ୍ ବ୍ୟଙ୍କିଙ୍ଗ୍ କର୍ପ, ଡାଇନର୍ସ କ୍ଲବ ଇଣ୍ଟରନ୍ୟାସନାଲ ଲିମିଟେଡ, ମାଷ୍ଟରକାର୍ଡ ଏସିଆ/ ପ୍ୟାସିଫିକ ପିଟିଇ, ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ, ରୁପେ ଏବଂ ଭିଜା ୱାର୍ଲ୍ଡୱାଇଡ୍ ପିଟିଇ ରହିଛି।

ନିର୍ଦ୍ଦେଶରେ ଆରବିଆଇ କାର୍ଡ ଜାରିକର୍ତ୍ତାଙ୍କୁ ଗ୍ରାହକଙ୍କୁ ଅନ୍ୟ ସେବାର ଲାଭ ନେବାରେ ବାଧା ନ ଦେବାକୁ କୁହାଯାଇଛି। କାର୍ଡ ନେବା ସମୟରେ ଗ୍ରାହକଙ୍କୁ କାର୍ଡ ଜାରୀ କରୁଥିବା ସଂସ୍ଥାଙ୍କୁ ବିଭିନ୍ନ କାର୍ଡ ନେଟୱାର୍କର ବିକଳ୍ପ ମଧ୍ୟରୁ ଚୟନ କରିବାକୁ କୁହାଯିବ। କାର୍ଡ ନବୀକରଣ ସମୟରେ ମଧ୍ୟ ଏଭଳି ବିକଳ୍ପ ପ୍ରଦାନ କରାଯିବ। କାର୍ଡ ନେଟୱାର୍କ ଏବଂ କାର୍ଡ ଜାରିକର୍ତ୍ତାଙ୍କ ମଧ୍ୟରେ ସୃଷ୍ଟି ହେଉଥିବା କେତେକ ସମସ୍ୟାକୁ ଦୃଷ୍ଟିରେ ରଖି ଆରବିଆଇ ଏହି ପଦକ୍ଷେପ ଗ୍ରହଣ କରିଛି।

ସମ୍ବନ୍ଧିତ ଖବର