ଚା’ ବିସ୍କୁଟ ନମିଳିବାରୁ ଅସ୍ତ୍ରୋପଚାର ରୁମରେ ମହିଳାଙ୍କୁ ଅଚେତ ଅବସ୍ଥାରେ ଛାଡ଼ି ଚାଲିଗଲେ ଡାକ୍ତର

ନାଗପୁର: ମହାରାଷ୍ଟ୍ରର ନାଗପୁରରୁ ଡାକ୍ତରଙ୍କ ଅବହେଳାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ସରକାରୀ ଡାକ୍ତରଖାନାରେ ଡାକ୍ତର ପରିବାର ନିୟୋଜନ (ଭାସେକ୍ଟୋମି) ଅସ୍ତ୍ରୋପଚାର ପାଇଁ ମହିଳାଙ୍କୁ ଚେତାଶୂନ୍ୟ କରିଥିବା ବେଳେ ରାଗିକି ଅସ୍ତ୍ରୋପଚାର ବିଭାଗରୁ ବାହାରି ଚାଲିଯାଇଥିଲେ।

ଏହି ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲା ପରିଷଦର ସିଇଓ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଏକ କମିଟି ଗଠନ କରାଯାଇଛି। ତଦନ୍ତ ରିପୋର୍ଟ ଆସିବା ପରେ ଉକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଇଓ ସୂଚନା ଦେଇ କହିଛନ୍ତି।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି କି, ଅସ୍ତ୍ରୋପଚାର ଥିଏଟରରେ ପ୍ରବେଶ କରିବା ପୂର୍ବରୁ ଡାକ୍ତର କର୍ମଚାରୀଙ୍କୁ ଚା’ ଓ ବିସ୍କୁଟ  ମାଗିଥିଲେ। ଏହାପରେ ସେ ମହିଳାଙ୍କ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ତେବେ କିଛି ସମୟ ବିତି ଯାଇଥି‌ଲେ ହେଁ ଡାକ୍ତରଙ୍କୁ ଚା’ କି ବିସ୍କୁଟ ନମିଳିବାରୁ ସେ ମହିଳାଙ୍କୁ ସେଭଳି ଅଚେତ ଅବସ୍ଥାରେ ଅସ୍ତ୍ରୋପଚାର ବିଭାଗରେ ଛାଡ଼ି ରାଗିକି ଚାଲିଯାଇଥିଲେ।

ଜିଲ୍ଲା ପରିଷଦର ଉପ-ସଭାପତି କୁଣ୍ଡା ରାଉତ ଡାକ୍ତରଙ୍କ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି,‘ ଯଦି ଯାଞ୍ଚ କମିଟି ଡାକ୍ତରଙ୍କୁ ଦୋଷୀ ସାବ୍ୟସ୍ତ କରନ୍ତି, ତେବେ ଜିଲ୍ଲା ପରିଷଦ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।  ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୦୪ ଅନୁଯାୟୀ ଉକ୍ତ ଡାକ୍ତରଙ୍କ ବିରୋଧରେ ହତ୍ୟା ଅଭିଯୋଗ ରୁଜୁ କରିବାକୁ ମଧ୍ୟ ଦାବି କରାଯାଇଛି। ଏହି ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଉଛି।

ସମ୍ବନ୍ଧିତ ଖବର