ମହିଳା ଯେଉଁ ହସ୍ପିଟାଲରେ ପୁତ୍ର ସନ୍ତାନକୁ ଜନ୍ମ ଦେଲେ ସେଠି ପହଞ୍ଚିଲା ସ୍ବାମୀଙ୍କ ମୃତଦେହ

ନୂଆଦିଲ୍ଲୀ: ଲକ୍ଷ୍ମୌରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଯେଉଁ ହସ୍ପିଟାଲ‌ରେ ସ୍ତ୍ରୀ ପୁତ୍ର ସନ୍ତାନକୁ ‌ଜନ୍ମ ଦେଲେ ସେଠାରେ ସ୍ବାମୀଙ୍କ ମୃତଦେହ ପହଞ୍ଚିବା ଘଟଣା ସମସ୍ତଙ୍କୁ ଦୁଃଖୀ କରି ଦେଇଛି।

ଏହି ଘଟଣାଟି ଲକ୍ଷ୍ମୌର ବିକେଟି ଥାନା ଅଞ୍ଚଳର ମହିଙ୍ଗବା ଅତରୋରାରେ ଘଟିଛି। ଏଠାରେ ବସବାସ କରୁଥିବା ସର୍ବେଶ ତାଙ୍କ ସ୍ତ୍ରୀ ସରୋଜିନୀଙ୍କୁ ପ୍ରସବ ପାଇଁ ବିକେଟିର ରାମ ସାଗର ମିଶ୍ର ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ଗତବୁଧବାର ରାତିରେ ସରୋଜିନୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ପୁତ୍ରସନ୍ତାନ ଆଗମନରେ ପରିବାରରେ ଖୁସିରଲହରି ଖେଳି ଯାଇଥିଲା। ରାତିରେ ପୁଅକୁ ଆଖି ଭରି ଦେଖିବା ପରେ ସର୍ବେଶ ବିଶ୍ରାମ ପାଇଁ ଘରକୁ ଯାଉଥିଲେ। ଏହି ସମୟରେ ସୀତାପୁର ଜାତୀୟ ରାଜପଥରେ ଦ୍ରୁତଗତିରେ ଆସୁଥିବା ଏକ ବାଇକ ତାଙ୍କ ବାଇକୁ ଧକ୍କା ଦେଇଥିଲା।

ଏହି  ଧକ୍ବ‌ାକାରେ ବାଇକରୁ ଝିଟିକି ପଡ଼ିବାରୁ ସର୍ବେଶଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲ। ପୁଲିସ ସର୍ବେଶଙ୍କ ମୃତଦେହକୁ ଜବତ କରି ରାମସାଗର ମିଶ୍ର ହସ୍ପିଟାଲର ଶବଗୃହରେ ରଖିଥିଲା।

ବିଡ଼ମ୍ବନାର ବିଷୟ ଯେ ଏହି ହସ୍ପିଟାଲରେ ସର୍ବେଶଙ୍କ ସ୍ତ୍ରୀ ଓ ନବଜାତ ବି ଭର୍ତ୍ତି ରହିଛନ୍ତି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସରୋଜିନୀ ଅଚେତ ହୋଇ ପଡ଼ୁଛନ୍ତି। ପାଗଳିପ୍ରାୟ ହୋଇ ପୁଅକୁ ଧରି ସ୍ବାମୀଙ୍କୁ ବାହୁନି ହେଉଛନ୍ତି। ପରିବାରଲୋକ ତାଙ୍କୁ ସମ୍ଭାଳିବା ପାଇଁ ଚେଷ୍ଟା କରୁଛନ୍ତି।

ସମ୍ବନ୍ଧିତ ଖବର