ସ୍ବାମୀ-ସ୍ତ୍ରୀଙ୍କ ସମେତ ପଞ୍ଜାବ ଓ ହରିୟାନା ହାଇକୋର୍ଟ‌ର ନୂତନ ବିଚାରପତି ରୂପେ ୬ ଜଣଙ୍କୁ ନିଯୁକ୍ତି ମିଳିଲା

ନୂଆଦିଲ୍ଲୀ: ପଞ୍ଜାବ ଓ ହରିୟାନା ହାଇକୋର୍ଟ‌ର ନୂତନ ଅତିରିକ୍ତ ବିଚାରପତି ଭାବେ କେନ୍ଦ୍ର ସରକାର ଆଜି ୬ ଜଣ ବିଚାର ବିଭାଗୀୟ ଅଧିକାରୀଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ନୂତନ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ପାଇଥିବା ଏହି ୬ ଜଣ ବିଚାର ବିଭାଗୀୟ ଅଧିକାରୀ ହେଉଛନ୍ତି; ଅଶୋକ କୁମାର ବର୍ମା, ସନ୍ତ ପ୍ରକାଶ, ମିନାକ୍ଷୀ ମେହେଟ୍ଟା, କରମଜିତ୍‌ ସିଂହ, ବିବେକ ପୁରୀ ଓ ଅର୍ଚ୍ଚନା ପୁରୀ।

ତେବେ, ଉଲ୍ଲେଖନୀୟ ବିଷୟ ହେଲା ନୂୂତନ ଅତିରିକ୍ତ ବିଚାରପତି ରୂପେ ନିଯୁକ୍ତି ପାଇଥିବା ବିବେକ ପୁରୀ ଓ ଅର୍ଚ୍ଚନା ପୁରୀ ଯେଉଁଦିନ ପଞ୍ଜାବ ଓ ହରିୟାନା ହାଇକୋର୍ଟ‌ର ବିଚାରପତି ଭାବେ ଶପଥ ଗ୍ରହଣ କରିବେ, ସେଦିନ ଏକ ବିରଳ ଦୃଶ୍ୟ ଦେଖିବା ପାଇଁ ମିଳିବ। କାରଣ, ବିବେକ ପୁରୀ ଓ ଅର୍ଚ୍ଚନା ପୁରୀ ହେଉଛନ୍ତି ସଂପର୍କରେ ସ୍ବାମୀ ଓ ସ୍ତ୍ରୀ। ସ୍ବାମୀ ଓ ସ୍ତ୍ରୀ ଏକାଠି ଗୋଟିଏ ନ୍ୟାୟାଳୟରେ ବିଚାରପତି ଭାବେ ନିଯୁକ୍ତି ପାଇବା କ୍ଷେତ୍ରରେ ବିବେକ ପୁରୀ ଓ ଅର୍ଚ୍ଚନା ପୁରୀ ହେବେ ଦେଶର ଦ୍ବିତୀୟ ଦମ୍ପତି।

କାରଣ, ଏହା ପୂର୍ବରୁ ୨୦୦୯ରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିବା ଏ କେ ପାଠକ ଓ ଇନ୍ଦ୍ରମିତ୍‌ କୌର ମଧ୍ୟ ସଂପର୍କରେ ଥିଲେ ସ୍ବାମୀ ଓ ସ୍ତ୍ରୀ ଓ ସେମାନେ ମଧ୍ୟ ଗୋଟିଏ ଦିନ ଏକାଠି ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର