ଅନଶନ କରିଥିବା ତେଲେଙ୍ଗାନାର ୱାଇ.ଏସ୍‌. ଶର୍ମିଲାଙ୍କୁ ଜବରଦସ୍ତି ଡାକ୍ତରଖାନାରେ ଭର୍ତ୍ତି କଲା ପୁଲିସ

ହାଇଦ୍ରାବାଦ: ଶନିବାର ରାତିରେ ପୁଲିସ ଆମରଣ ଅନଶନ କରିଥିବା ‘ୱାଇଏସ୍‌ଆର୍‌ ତେଲେଙ୍ଗାନା ପାର୍ଟି’ର ଅଧ୍ୟକ୍ଷା ୱାଇ. ଏସ୍‌. ଶର୍ମିଲାଙ୍କ ଅନଶନ ଭାଙ୍ଗିବା ସହିତ ତାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛି।

ରାଜ୍ୟବ୍ୟାପୀ ‘ପଦଯାତ୍ରା’ ଜାରି ରଖିବାକୁ ଅନୁମତି ନ ମିଳିବାରୁ ଶୁକ୍ରବାରଠାରୁ ଦଳର ମୁଖ୍ୟାଳୟରେ ଆମରଣ ଅନଶନରେ ବସିଥିବା ଶର୍ମିଲାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା।

ଶର୍ମିଳାଙ୍କ ଅନଶନ ଭାଙ୍ଗିବା ଲାଗି ପୁଲିସ ଗତରାତିରେ ଗଣମାଧ୍ୟମ ପ୍ରତିନିଧି, ଦଳୀୟ ନେତା ଓ କର୍ମୀମାନଙ୍କୁ ଘଟଣା ସ୍ଥଳରୁ ହଟାଇ ଦେଇଥିଲା। ପରେ ରାତି ପ୍ରାୟ ୧ଟା ବେ‌ଳେ ପୁଲିସ ଶର୍ମିଲାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲା।

ଅନଶନରେ ବସିଥିବା ବ‌େଳେ ଶର୍ମିଳା ଜଳ ମଧ୍ୟ ସ୍ପର୍ଶ କରି ନ ଥିଲେ। ଫଳରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ଘଟିଥିଲା।

Image Courtesy of Telugu 360

ଦଳ ତରୁଫରୁ ରିଲିଜ୍‌ କରାଯାଇଥିବା ବିବୃତିରେ ଉଲ୍ଲେଖ ଅଛି: ଶର୍ମିଲାଙ୍କ ଚିକିତ୍ସା ଦାୟିତ୍ବରେ ଥିବା ଡାକ୍ତରମାନେ କହିଛନ୍ତି ଯେ, ତାଙ୍କ ରକ୍ତଚାପ ଏବଂ ଶର୍କରା ସ୍ତର ଉଦ୍‌ବେଗଜନକ ସ୍ତରକୁ ହ୍ରାସ ପାଇଛି। ଜଳ ଶୁଷ୍କତା ଯୋଗୁଁ ଶରୀରରେ ଇଲେକ୍ଟ୍ରୋଲାଇଟ୍‌ ଅସନ୍ତୁଳନ ହୋଇ ତାଙ୍କ ବୃକ୍କ ପ୍ରତି ବିପଦ ସୃଷ୍ଟି କରିପାରେ।

‘ପଦଯାତ୍ରା’ ପାଇଁ ଅନୁମତି ନ ମିଳିବାରୁ ଅଭିଭକ୍ତ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇ. ଏସ୍‌. ରାଜଶେଖର ରେଡ୍ଡୀଙ୍କ ଝିଅ ଶର୍ମିଲା ଶୁକ୍ରବାର ଦିନ ହୁସେନ୍‌ ସାଗର ହ୍ରଦ ନିକଟରେ ଥିବା ଆମ୍ବେଦକର ପ୍ରତିମୂର୍ତ୍ତି ନିକଟରେ ସ୍ମାରକ ପତ୍ର ଦାଖଲ କରି ଅନଶନ ଆରମ୍ଭ କରିଥିଲେ।

କିନ୍ତୁ, ସାଧାରଣତଃ ମାଲ୍ୟାର୍ପଣ ଓ ସ୍ମାରକ ପତ୍ର ଆଦି ଦାଖଲ କରାଯାଉଥିବାରୁ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟରେ ଅନଶନ ପାଇଁ ଅନୁମତି ମିଳେ ନାହିଁ। ସେଥିପାଇଁ ଶର୍ମିଲାଙ୍କୁ ଲୋଟସ୍‌ ପଣ୍ଡ୍‌ ଅଞ୍ଚଳର ଦଳୀୟ କାର୍ଯ୍ୟାଳୟକୁ ନିଆଯାଇଥିଲା ବୋଲି ‌ପୁଲିସ କହିଛି।

ସମ୍ବନ୍ଧିତ ଖବର