ବିଦେଶରେ ଅଟକଥିବା ୧୪,୮୦୦ ଭାରତୀୟଙ୍କୁ ୬୪ଟି ବିମାନରେ ସ୍ୱଦେଶ ଫେରାଇ ଆଣବା ପାଇଁ ମେ ୭ରୁ ଆରମ୍ଭ ହେବ ପ୍ରକ୍ରିୟା

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ କାରଣରୁ ଭାରତ ବାହାରେ ବିଦେଶ ଭୂଇଁରେ ଅଟକ ରହି ଯାଇଥିବା ୧୪,୮୦୦ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣବା ପାଇଁ ଭାରତ ସରକାର ଆସନ୍ତା ମେ ୭ ତାରିଖରୁ ବିଭିନ୍ନ ବିଦେଶୀ ରାଷ୍ଟ୍ରକୁ ବିମାନ ପଠାଇବେ ବୋଲି କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରାଳୟର ଜନୈକ ବରିଷ୍ଠ ଅଧିକାରୀ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଏହି କାର୍ଯ୍ୟ ମେ ୭ ତାରିଖରୁ ଆରମ୍ଭ ହୋଇ ପର୍ଯ୍ୟାୟ କ୍ରମେ ମେ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ଏୟାର ଇଣ୍ଡିଆ ଓ ଏହାର ସହଯୋଗୀ ସଂସ୍ଥା ଏୟାର ଇଣ୍ଡିଆ ଏକ୍ସପ୍ରେସର ୬୪ ବିମାନଟି ବିମାନ ବିଭିନ୍ନ ବିଦେଶୀ ରାଷ୍ଟ୍ରମାନଙ୍କୁ ଉଡାଣ ଭରିବା ସହ ସେଠାରେ ଅଟକ ପଡ଼ିଥିବା ୧୪,୮୦୦ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣବ।

The Print

୧୨ଟି ବିଦେଶୀ ରାଷ୍ଟ୍ର ସଂଯୁକ୍ତ ଆରବ ଏମିରେଟସ୍‌ (ୟୁଏଇ), ୟୁନାଇଟେଡ୍‌ କିଙ୍ଗଡମ୍‌ (ୟୁକେ), ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌), କତାର, ସାଉଦି ଆରବ, ସିଙ୍ଗାପୁର, ମାଲେସିଆ, ଫିଲିପିନ୍ସ, ବାଂଲାଦେଶ, ବାହାରିନ୍‌, କୁଏତ୍‌ ଓ ଓମାନରେ ଲକ୍‌ଡାଉନ୍‌ କାରଣରୁ ଅଟକ ରହିଯାଇଥିବା ୧୪, ୮୦୦ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପ୍ରୟାସ ଆରମ୍ଭ ହେବ। ଉଲ୍ଲେଖଯୋଗ୍ୟ, ଦେଶରେ କରୋନା ଭାଇରସର ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ କେନ୍ଦ୍ର ସରକାର ମାର୍ଚ୍ଚ ୨୫ ତାରିଖ ଠାରୁ ଦେଶରେ ଲକ୍‌ଡାଉନ ଜାର କରିଦେବା ପରେ ଏହି ଭାରତୀୟମାନେ ବିଦେଶ ଭୂଇଁରେ ଅଟକ ପଡ଼ିଥିଲେ। କାରଣ, ଲକ୍‌ଡାଉନ ପାଇଁ ସମସ୍ତ ଅନ୍ତର୍ଜାତୀୟ ଓ ଘରୋଇ ବିମାନ ସେବା ବନ୍ଦ ରହିଥିଲା।
ତେବେ, ଆସନ୍ତା ମେ ୭ ତାରିଖରୁ ଭାରତ ସରକାର ପର୍ଯ୍ୟାୟ କ୍ରମେ ମେ ୧୩ ତାରିଖ ମଧ୍ୟରେ ୟୁଏଇକୁ ୧୦ଟି ବିମାନ, ୟୁଏସ୍‌ ଓ ୟୁକେକୁ ୭ଟି ଲେଖାଁଏ ବିମାନ, ସାଉଦି ଆରବକୁ ୫ଟି ବିମାନ, ସିଙ୍ଗାପୁରକୁ ୫ଟି ବିମାନ ଓ କତାରକୁ ୨ଟି ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନ ଉଡ଼ାଣ ଭରି ବିଦେଶ ଭୂଇଁରେ ଅଟକ ରହିଯାଇଥିବା ସମସ୍ତ ୧୪, ୮୦୦ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣବେ।

ସମ୍ବନ୍ଧିତ ଖବର