କରୋନା ଟୀକା ନିକଟ ଭବିଷ୍ୟତରେ ପ୍ରସ୍ତୁତ ହେବାର ସମ୍ଭାବନା ନାହିଁ : ଡବ୍ଲୁଏଚଓ କୋଭିଡ୍ ୧୯ ଭୂତାଣୁ ଗବେଷଣା ମୁଖ୍ୟ

ଲଣ୍ଡନ: କରୋନା ଭୂତାଣୁ ମୁକାବିଲା ପାଇଁ ଟୀକାକୁ ସାରା ବିଶ୍ୱ ଅପେକ୍ଷା କରି ରହିଛି । ଏପରି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ – ଡବ୍ଲୁଏଚଓର କରୋନା ଭୂତାଣୁ ଗବେଷଣା ମୁଖ୍ୟ ଡକ୍ଟର ଡେଭିଡ୍ ନାବାରେ କହିଛନ୍ତି କରୋନା ଭୂତାଣୁ ମୁକାବିଲା ପାଇଁ କେବେ ବି କୋଭିଡ୍ ୧୯ ଭାକସିନ୍ ବା ଟୀକା ପ୍ରସ୍ତୁତ ହୋଇ ନପାରେ  । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏହି ନିର୍ଦ୍ଦିଷ୍ଟ ଭୂତାଣୁର ଗବେଷଣା ଟିମର ମୁଖ୍ୟଙ୍କ ମତରେ କୋଭିଡ୍ ୧୯ ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି କୌଣସି ଟୀକା ବା  ଭାକସିନ୍ ବାହାରି ନ ପାରେ । ଏବେ ସାରାବିଶ୍ୱରେ ୧୦୦ରୁ ଅଧିକ ଟୀକା ବିଭିନ୍ନ ପରୀକ୍ଷାଗାରରେ ପରୀକ୍ଷାମୂଳକ ଅବସ୍ଥାରେ ରହିଛି । କିଛି ଟୀକାକୁ ମନୁଷ୍ୟ ଶରୀରରେ ପରୀକ୍ଷା ବି କରାଯାଇଛି, ମାତ୍ର ଚୂଡ଼ାନ୍ତ ପ୍ରତିଷେଧକ ଟୀକା ବାହାରି ପାରିନାହିଁ।

ଏପରି ଅବସ୍ଥାରେ ବିଶ୍ୱର ଶୀର୍ଷ ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ରଖି କହିଛନ୍ତି, ଯେପରି ଏଚଆଇଭି ଓ ଡେଙ୍ଗୁ ନିରାକରଣ ଲାଗି  ବର୍ଷ ବର୍ଷ ଧରି ଗବେଷଣା ପରେ ବି କୌଣସି ନିର୍ଦ୍ଦିଷ୍ଟ ଟୀକା ବାହାରି ପାରିନି, ସେହିପରି କୋଭିଡ୍ ୧୯ ଭୂତାଣୁ ଉପଚାର ପାଇଁ ବି କୌଣସି ଟୀକା ବାହାରି ନ ପାରେ । କିଛି ଭୂତାଣୁର ପ୍ରତିରୋଧ ଲାଗି  ବିଶ୍ୱରେ ଏବେ ବି ଟୀକା ବାହାରି ପାରିନି । ଏହାର ପ୍ରତିରୋଧକ ଭାବେ  ଆଗକୁ ବି କୌଣସି ସଫଳ ଟୀକା  ବାହାରି ପାରିବ ସେ ନେଇ କିଛି ସ୍ପଷ୍ଟ କରି କହିହେବନି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କୋଭିଡ୍ ୧୯ ସ୍ପେଶାଲ ଏନଭୟ ଡକ୍ଟର ଡେଭିଡ୍ ନାବାରୋ ଏପରି ମତ ରଖିଛନ୍ତି । ଗତ ୪ ଦଶନ୍ଧୀରେ ବିଶ୍ୱରେ ଏଚଆଇଭିରେ ୩୨ ମିଲିୟନ ଲୋକଙ୍କ ଜୀବନ ଗଲାଣି ।

PNGWave

ସାରାବିଶ୍ୱ ଏବେ ବି ଏଚଆଇଭି ନିରାକରଣ ଲାଗି ଟୀକା ପ୍ରସ୍ତୁତିକୁ ଅପେକ୍ଷା କରି ରହିଛି । ସମାନ ଅବସ୍ଥା ଡେଙ୍ଗୁ କ୍ଷେତ୍ରରେ ବି ଦେଖାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ ଏବେ ବି ବାର୍ଷିକ ପ୍ରାୟ ୪ ଲକ୍ଷ ଲୋକ ଡେଙ୍ଗୁର ଶିକାର ହେଉଛନ୍ତି । ଏହି ରୋଗ ଆସିବାର ଦଶନ୍ଧି ପରେ ବି ବୈଜ୍ଞାନିକ ଏହାକୁ ରୋକିବାକୁ ଟୀକା ଉଦ୍ଭାବନରେ ଲାଗିଛନ୍ତି । ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁସାରେ ବର୍ତମାନ ବିଶ୍ୱରେ ୧୦୨ଟି ଟୀକା  ପ୍ରସ୍ତୁତି ଚାଲିଛି  । ଏହା ମଧ୍ୟରୁ ମାତ୍ର ୮ଟିକୁ ମନୁଷ୍ୟ ଦେହରେ ବ୍ୟବହାର କରାଯାଇଛି । ଏହା ପରୀକ୍ଷଣ ଅବସ୍ଥାରେ ରହିଛି । ଏହା ଯଦି ସଫଳ ହୁଏ ତେବେ ମାନବ ସମାଜ ବଡ ଧରଣର ଉପକୃତ ହେବ ।

ସମ୍ବନ୍ଧିତ ଖବର