ଜୀବନ ବଞ୍ଚାଉ ବଞ୍ଚାଉ ଜୀବିକା ବୁଡ଼ି ନଯାଉ, ଅର୍ଥନୈତିକ କାର୍ଯ୍ୟକ୍ରମକୁ ସାଧାରଣ କରିବାକୁ ସରକାର ପଦକ୍ଷେପ ନେଇଛନ୍ତି : ଏସ୍‌ଆରସି

ଭୁବନେଶ୍ୱର: ଲକ୍‌ଡାଉନକୁ ୬ ସପ୍ତାହ ପୂରିଛି । ପ୍ରଥମ ପର୍ଯ୍ୟାୟରେ ଦେଶରେ କୌଣସି ପ୍ରକାରର ଅର୍ଥନୈତିକ କାର୍ଯ୍ୟକ୍ରମ କରାଯାଇ ନଥିଲା । କିନ୍ତୁ ତୃତୀୟ ପର୍ଯ୍ୟାୟରେ ଏହାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଆଜି ଜୀବନ ଓ ଜୀବିକା ୨ଟା ଜିନିଷ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏଥିରେ ସନ୍ତୁଳନ ରହିବା ଦରକାର । ଜୀବନ ବଞ୍ଚାଉ ବଞ୍ଚାଉ ଜୀବିକା ବୁଡ଼ି ନଯିବା ଦରକାର । ଜୀବନ ଯୁଦ୍ଧରେ ଯେପରି ଜୀବିକା ବିପଦଆଡ଼କୁ ଠେଲି ନହୁଏ, ସେଥିପାଇଁ ପଦକ୍ଷେପ ନିଆଯିବା ଆବଶ୍ୟକ । ଅର୍ଥନୈତିକ କାର୍ଯ୍ୟକ୍ରମ ସାଧାରଣ ଅବସ୍ଥାକୁ ଆଣିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ଆଜି ରାଜ୍ୟ ସରକାରଙ୍କ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି।

ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସଆରସି ଶ୍ରୀ ଜେନା କହିଛନ୍ତି, ଅର୍ଥନୀତି ଓ ଜୀବିକା ମଧ୍ୟରେ ସନ୍ତୁଳନ ପ୍ରତି ଗୁରୁତ୍ୱ ଦିଆଯିବାର ଦରକାର । ଜୀବନ ଯୁଦ୍ଧ ଲଢ଼ୁଲଢ଼ୁ  ଯେପରି ଜୀବିକା ନ ହାରିଯାଏ ସେଥିପାଇଁ କାମ କରିବାକୁ ପଡ଼ିବ । ସରକାର ଏ ନେଇ ୨୬ଟି ନିର୍ଦ୍ଦେଶାବଳୀ ଦେଇଛନ୍ତି । କଣ୍ଟେନମେଣ୍ଟ ଜୋନକୁ ଛାଡ଼ିଦେଲେ ଅନ୍ୟ ସ୍ଥାନରେ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ କରିବା ପାଇଁ ଅନୁମତି ଦିଆଯାଇଛି । ସହରାଞ୍ଚଳରେ ଶିଳ୍ପାନୁଷ୍ଠାନରେ ସାମାନ୍ୟ କଟକଣା କରାଯାଇଛି । କିନ୍ତୁ ଅରେଞ୍ଜ ଓ ଗ୍ରୀନ ଜୋନରେ ସବୁ ପ୍ରକାରର ଆର୍ଥିକ କାର୍ଯ୍ୟକୁ ଅନୁମତି ମିଳିଛି । କୃଷି, ଶିଳ୍ପ ଓ ନିର୍ମାଣ କାମ କରିବାରେ କୌଣସି ଅସୁବିଧା ନାହିଁ ବୋଲି ଶ୍ରୀ ଜେନା କହିଛନ୍ତି ।

ଶ୍ରୀ ଜେନା କହିଛନ୍ତି, ରେଡ ଜୋନର ସହରାଞ୍ଚଳରେ ନିର୍ମାଣ କାମ ଉପରେ କିଛି କଟକଣା ରହିଛି । ଜୀବୀକାକୁ ପୁଣି ଥରେ ସ୍ୱାଭାବିକ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଗ୍ରୀନ ଜୋନରେ ବସ ଚଳାଚଳ କରିବା ପାଇଁ ସରକାର ଅନୁମତି ଦେଇଛନ୍ତି । ଶ୍ରମିକମାନଙ୍କ ଯାତାୟତ ସୁବିଧା ପାଇଁ ବସ ଚଳାଚଳକୁ ଅନୁମତି ଦିଆଯାଇଛି । ସେହିଭଳି ଗାଁ ଗାଁରେ ଲାଗିଥିବା ବେରିକେଡକୁ ସିଆରସି ଶ୍ରୀ ଜେନା ବେଆଇନ କହିଛନ୍ତି । ବେରିକେଡ ଲଗାଇ ଶ୍ରମିକଙ୍କ ଗତିପଥ ଉପରେ କଟକଣା ଲଗାଇବା ଉଚିତ ନୁହେଁ ।

ଶ୍ରମିକମାନେ ନିଜ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯାଇପାରିବେ । ଠିକାଦାରମାନେ ନିଦ୍ଦିଷ୍ଟ ଗାଡ଼ିରେ ଶ୍ରମିକମାନଙ୍କୁ ନେଇପାରିବେ । ସେହିଭଳି ଆବଶ୍ୟକ ପଡ଼ିଲେ ଜିଲ୍ଲାପାଳମାନେ ଶ୍ରମିକଙ୍କ ପାଇଁ ଗାଡ଼ି ଯୋଗାଇ ଦେବେ । ଶ୍ରମିକମାନଙ୍କ ଯିବାଆସିବାରେ ବାଧା ସୃଷ୍ଟି କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଦୁଇ ରାଜ୍ୟର ସହମତିରେ ବାହାର ରାଜ୍ୟରୁ କୁଶଳୀ ଶ୍ରମିକ ଆମ ରାଜ୍ୟକୁ ଅଣାଯାଇପାରିବ । ମନେରଗା ଅଧିକରେ  ଦୈନିକ ୭.୫ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଉଛି । ଆଗାମୀ ଦିନରେ ଏହାକୁ ବଢ଼ାଇବା ପାଇଁ ନିର୍ଦ୍ଦେଶ ହୋଇଛି ବୋଲି କହିଛନ୍ତି ଏସଆରସି ଶ୍ରୀ ଜେନା ।

ଏସଆରସି ଶ୍ରୀ ଜେନା କହିଛନ୍ତି, କୃଷି କାର୍ଯ୍ୟ ପାଇଁ ଶ୍ରମିକମାନେ ନିଜ ଜିଲ୍ଲାର ଅନ୍ୟ ଜିଲ୍ଲାକୁ ଯାଇପାରିବେ । ଖରିଫ ଫସଲ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଯଥେଷ୍ଟ ପରିମାଣରେ ସାର, ଔଷଧ, ବିହନ ଓ ମଞ୍ଜି ମହଜୁଦ ଅଛି । ଶ୍ରମିକମାନେ ଗୋଟିଏ ସ୍ଥାନରୁ ଅନ୍ୟତ୍ର ଯିବା ପାଇଁ ଅନୁମତି ଦରକାର ନାହିଁ ।

କୃଷି, ଶିଳ୍ପ ଓ ନିର୍ମାଣ କାମ କରାଯାଇପାରିବ । କିନ୍ତୁ ଏପର୍ଯ୍ୟନ୍ତ ଏହା ସାଧାରଣ ଅବସ୍ଥାକୁ ଆସିପାରି ନାହିଁ । କାରଣ ଶ୍ରମିକମାନେ କାର୍ଯ୍ୟସ୍ଥଳକୁ ଯାଇପାରି ନାହାନ୍ତି । ରାଜ୍ୟ ସରକାର ଗ୍ରୀନ ଜୋନରେ ବସ ଚଳାଚଳକୁ ଅନୁମତି ଦେଇଛନ୍ତି । ଏହା ଦ୍ୱାରା ଶ୍ରମିକମାନେ ଯାତାୟତ କରିପାରିବେ । କୃଷି କାମ ପାଇଁ ଟୋଲଫ୍ରି ନମ୍ବର ୧୮୦୦୧୦୨୫୧୬୬କୁ ଫୋନ କଲେ ଚାଷୀମାନେ ବିଭିନ୍ନ ପ୍ରକାରର ପରାମର୍ଶ ଓ ଉପଦେଶ ପାଇପାରିବେ । ମୁଗ, ବିରି, ଚିନାବାଦମ ଓ ସୂର୍ଯ୍ୟମୁଖୀ ମଞ୍ଜି କିଣିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ନାଫେଡ ଓ ଲ୍ୟାମ୍ପ ଜରିଆରେ ଏହା କିଣାଯିବ ।

ସମ୍ବନ୍ଧିତ ଖବର