ତତକ୍ଷଣ ତିନ୍ ତଲାକ୍‌ ଦେଲେ ୩ ବର୍ଷ ଜେଲ୍‌ : ଚିଠା ଆଇନ

ନୂଆଦିଲ୍ଲୀ : ଦେଶରେ ତିନ୍ ତଲାକ୍‌କୁ ମାନ୍ୟବର ସୁପ୍ରିମକୋର୍ଟ ବେଆଇନ ଘୋଷଣା କରିଥିବା ସତ୍ତ୍ୱେ ଏହି ପ୍ରଥା ଏବେ ବି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ସରକାର ଏବେ ଏକ ଆଇନ ପ୍ରସ୍ତୁତ କରୁଛନ୍ତି । ଏହି ଆଇନର ଚିଠା ପ୍ରସ୍ତାବ ଅନୁସାରେ ତତକ୍ଷଣାତ୍ ତିନ ତଲାକ୍‌ ଦେବା ଏକ ଜାମିନ ବିହୀନ ଅପରାଧ ହେବ ଓ ଏଥିଲାଗି ପୀଡିତା ମହିଳାଙ୍କ ସ୍ୱାମୀଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରିବ ।

ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ “ଚିଠା ମୁସଲିମ ମହିଳା ସୁରକ୍ଷା ଓ ବିବାହ ବିଲ୍‌”କୁ ଏବେ ରାଜ୍ୟମାନଙ୍କ ମତାମତ ପାଇଁ ପଠାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଙ୍କ ଅଧ୍ୟକ୍ଷତାରେ ଥିବା ଏକ ମନ୍ତ୍ରୀ ସ୍ତରୀୟ କମିଟି ଏହି ଚିଠା ବିଲ୍‌ ପ୍ରସ୍ତୁତ କରୁଛନ୍ତି । କମିଟିରେ ବିଦେଶମନ୍ତ୍ରୀ ସୁଷମା ସ୍ୱରାଜ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ଆଇନ ରାଜ୍ୟମନ୍ତ୍ରୀ ପିପି ଚୌଧୁରୀ ସଦସ୍ୟ ଅଛନ୍ତି ।

ଏହି ପ୍ରସ୍ତାବିତ ଆଇନଟି କେବଳ ଏକାଥରକେ ଦିଆଯାଉଥିବା ବା ଇନଷ୍ଟାଣ୍ଟ୍ ଟ୍ରିପିଲ ତଲାକ ଉପରେ ଲାଗୁ ହେବ । ଏପରି ହେଲେ ପୀଡିତା ମହିଳା ନିଜର ସ୍ୱାର୍ଥରକ୍ଷା ଓ ସନ୍ତାନ ମାନଙ୍କ ଭରଣପୋଷଣ ପାଇଁ ଆଇନର ଆଶ୍ରୟ ନେଇପାରିବେ । ପୁଣି ଏହା ଅନୁଯାୟୀ ଇମେଲ, ଏସଏମଏସ ଓ ହ୍ଵାଟ୍ସଆପ ପରି ଇଲେକ୍ଟ୍ରୋନିକ ମାଧ୍ୟମରେ ଇନସ୍ଟାଣ୍ଟ ଟ୍ରିପିଲ୍‌ ତଲାକ ଦେବା ବେଆଇନ ହେବ ।
ଏହି ବିଲ୍‌ ଯଦି ଆଇନରେ ପରିଣତ ହୁଏ ତାହା କେବଳ ଜମ୍ମୁ ଓ କାଶ୍ମୀରକୁ ଛାଡି ସାରା ଦେଶରେ ଲାଗୁ ହେବ ।

ସମ୍ବନ୍ଧିତ ଖବର