‘୪୦୦ ପାର’ ସମ୍ଭବ କି? ତାମିଲନାଡ଼ୁ ଏବେ ବିଜେପିର ପ୍ରମୁଖ ରଣକ୍ଷେତ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ସ୍ଲୋଗାନ ଦେଇ ଆସୁଛନ୍ତି ‘ଅବ୍ କି ବାର, ଏନ୍‌ଡିଏ ସରକାର, ୪୦୦ ପାର…’। କିନ୍ତୁ ଏକ ସର୍ଭେରୁ ଜଣାପଡିଛି ଯେ ଯଦିଓ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ମେଣ୍ଟ ବିପୁଳ ବିଜୟ ହାସଲ କରିବ, ତଥାପି ଏହା ୪୦୦ ଲକ୍ଷ୍ୟଠାରୁ କିଛି ଆସନ ପଛରେ ପଡ଼ିବା ସମ୍ଭାବନା ରହିଛି। ଟିଏନ୍-ଇଟିଜି ରିସର୍ଚ୍ଚ ସର୍ଭେ ଅନୁଯାୟୀ ଏନ୍‌ଡିଏକୁ ୩୫୮ରୁ ୩୯୮ଟି ଆସନ ମିଳିବାର ସମ୍ଭାବନା ଥିବା ବେଳେ ଇଣ୍ଡି-ମେଣ୍ଟକୁ ୧୧୦ରୁ ୧୩୦ଟି ଆସନ ମିଳିପାରେ। ୱାଇଏସ୍‌ଆର୍‌ସିପି ୨୧-୨୨, ବିଜେଡି ୧୦-୧୧ ଏବଂ ଅନ୍ୟାନ୍ୟ ୧୧-୧୫ ଭିତରେ ଆସନ ପାଇବେ ବୋଲି ରିପୋର୍ଟରେ ଦର୍ଶାଯାଇଛି।

ଅନ୍ୟ ଏକ ସର୍ଭେରୁ ଜଣାପଡିଛି ଯେ ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସ, ଟିଏମ୍‌ସି, ଆପ୍ ଓ ଅନ୍ୟମାନଙ୍କୁ ବିଜେପି ପରାସ୍ତ କରିବାର ସମ୍ଭାବନା ରହିଛି। ସର୍ଭେ ଅନୁଯାୟୀ, ବିଜେପି ଏକାକୀ ୩୩୩ରୁ ୩୬୩ ଆସନରେ ବିଜୟୀ ହେବାର ସମ୍ଭାବନା ଥିବା ବେଳେ କଂଗ୍ରେସ ପ୍ରାୟ ୨୮ରୁ ୪୮ ଆସନରେ ଜିତିବ। ସେହିପରି ୱାଇଏସ୍‌ଆର୍‌ସିପି ୨୧-୨୨, ଡିଏମ୍‌କେ ୨୪-୨୮, ଟିଏମ୍‌ସି ୧୭-୨୧, ବିଜେଡି ୧୦-୧୧, ଆପ୍ ୫-୭ ଓ ଅନ୍ୟମାନେ ୬୪-୮୪ଟି ଆସନ ପାଇବେ। ହିନ୍ଦୀ ହାର୍ଟଲ୍ୟାଣ୍ଡରେ ଏନ୍‌ଡିଏ ଓ ବିଜେପିର ଏକ ପ୍ରମୁଖ ଭୋଟ୍ ବ୍ୟାଙ୍କ ଅଛି, କିନ୍ତୁ କର୍ଣ୍ଣାଟକ, କେରଳ, ପଶ୍ଚିମବଙ୍ଗ ଓ ଓଡ଼ିଶାରେ ସେଭଳି ସ୍ଥିତି ନାହିଁ। ବର୍ତ୍ତମାନ ବିଜେପି ଏକାକୀ ୧୨ଟି ରାଜ୍ୟରେ କ୍ଷମତାରେ ଥିବା ବେଳେ ଦ୍ୱିତୀୟ ବୃହତ୍ତମ ଜାତୀୟ ଦଳ କଂଗ୍ରେସର ମାତ୍ର ୩ଟି ରାଜ୍ୟରେ ସରକାର ରହିଛି। ଦିଲ୍ଲୀ ଓ ପଞ୍ଜାବରେ ସରକାର ସହ ଆମ୍ ଆଦମୀ ପାର୍ଟି ଜାତୀୟ ଦଳମାନଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରହିଛି। କେନ୍ଦ୍ରରେ ଶାସନ କରୁଥିବା ବିଜେପି ରାଜସ୍ଥାନ, ଛତିଶଗଡ଼, ଉତ୍ତରାଖଣ୍ଡ, ହରିୟାଣା, ଉତ୍ତରପ୍ରଦେଶ, ଗୁଜରାଟ, ଗୋଆ, ଆସାମ, ତ୍ରିପୁରା, ମଣିପୁର, ଅରୁଣାଚଳ ପ୍ରଦେଶ ଓ ମଧ୍ୟପ୍ରଦେଶରେ କ୍ଷମତାରେ ରହିଛି। ଆସନ୍ତା ଏପ୍ରିଲ୍-ମେ ମାସରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ଅଦ୍ୟାବଧି କୌଣସି ଆନୁଷ୍ଠାନିକ ତାରିଖ ଘୋଷଣା କରାଯାଇନାହିଁ।

ନୂଆଦିଲ୍ଲୀ: ଏପ୍ରିଲ୍-ମେ ମାସରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ୩୭୦ଟି ଆସନ ହାସଲ କରିବାକୁ ଲକ୍ଷ୍ୟ ରଖିଛି, ଯାହା କି ପୂର୍ବର ୩୦୩ ଆସନ ତୁଳନାରେ ଯଥେଷ୍ଟ ଅଧିକ। ୨୦୧୯ ସାଧାରଣ ନିର୍ବାଚନରେ ପ୍ରଭାବଶାଳୀ ପ୍ରଦର୍ଶନ କରି ପ୍ରାୟ ୯୦ରୁ ୧୦୦ ପ୍ରତିଶତ ସଫଳତା ହାରରେ ଉତ୍ତର ଓ ପଶ୍ଚିମ ଭାରତର ଅଧିକାଂଶ ରାଜ୍ୟରେ ବିଜୟ ହାସଲ କରିଛି। କିନ୍ତୁ ଯେଉଁସବୁ ଅଞ୍ଚଳରେ ଆସନ ବୃଦ୍ଧିର ସୁଯୋଗ ସୀମିତ ରହିଛି, ସେଠାରେ ବିଜେପି ନିଜର ଆସନ ସଂଖ୍ୟା ବଢ଼ାଇବାର ଚ୍ୟାଲେଞ୍ଜ ନେଇଛି। ଫଳରେ ଅନ୍ୟ ନିର୍ବାଚନୀ ରଣକ୍ଷେତ୍ରକୁ ନେଇ ଚର୍ଚ୍ଚା ଜୋର ଧରିଛି, ଯେଉଁଠି ବିଜେପି ଅଧିକ ଲାଭ ହାସଲ କରିବାକୁ ଲକ୍ଷ୍ୟ ରଖିଛି।

ସାମ୍ପ୍ରତିକ ରାଜନୈତିକ ଦୃଶ୍ୟପଟ ମଧ୍ୟରେ ତାମିଲନାଡ଼ୁ ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ପାଇଁ ଏକ ପ୍ରମୁଖ ରଣକ୍ଷେତ୍ର ଭାବେ ଉଭା ହୋଇଛି। ୩୯ଟି ଲୋକସଭା ଆସନ ବିଶିଷ୍ଟ ତାମିଲନାଡ଼ୁ ବିଜେପି ପାଇଁ ଏକ ବଡ଼ ଆହ୍ବାନ। ବର୍ତ୍ତମାନ ରାଜ୍ୟରେ ବିଜେପି ପାଖରେ କୌଣସି ଆସନ ନାହିଁ। ରାଜ୍ୟରେ ବିଜେପିର ଭୋଟ୍ ୨୦୧୪ରେ ୫.୫ ପ୍ରତିଶତ ଥିବାବେଳେ ୨୦୧୯ରେ ଏହା ୩.୬୭ ପ୍ରତିଶତକୁ ଖସି ଆସିଥିଲା। ପୂର୍ବତନ ଆଇପିଏସ୍ ଅଫିସରରୁ ରାଜନେତା ପାଲଟିଥିବା କେ ଆନ୍ନାମଲାଇଙ୍କଙ୍କ ନେତୃତ୍ବରେ ରାଜ୍ୟରେ ବିଜେପି ଏକ ରଣନୈତିକ ପରିବର୍ତ୍ତନର ସମ୍ଭାବନା ଦେଖୁଛି। ୩୯ ବର୍ଷୀୟ ଆନ୍ନାମଲାଇ ଦୁର୍ନୀତି ବିରୋଧୀ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରନ୍ତି ଏବଂ ପ୍ରଚଳିତ ବଂଶବାଦ ଶାସନକୁ ଚ୍ୟାଲେଞ୍ଜ କରନ୍ତି। ତାମିଲନାଡୁର ରାଜନୈତିକ କ୍ଷେତ୍ରରେ ସେ ନିଜକୁ ପ୍ରତିଷ୍ଠିତ କରିବା ଉଦ୍ୟମ କରୁଛନ୍ତି। ନିକଟରେ ସଂପନ୍ନ ହୋଇଥିବା ଆନ୍ନାମଲାଇଙ୍କ ୧୦୦ ଦିନର ଜନସଂପର୍କ ଯାତ୍ରା ବିଜେପିର ବଢ଼ିଚାଲିଥିବା ପ୍ରଭାବକୁ ସ୍ପଷ୍ଟ କରିଛି। ବିଶେଷ କରି ପ୍ରମୁଖ ବିରୋଧୀ ଦଳ ଅଲ୍ ଇଣ୍ଡିଆ ଆନ୍ନା ଦ୍ରାବିଡ଼ ମୁନେତ୍ରା କାଜଗମ (ଏଆଇଏଡିଏମ୍‌କେ) ଅନ୍ତଃକନ୍ଦଳ ବିଜେପିକୁ ଏହି ସୁଯୋଗ ଦେଉଛି।

ଏକ ସକାରାତ୍ମକ ଦୃଷ୍ଟିକୋଣ ସହ ଆନ୍ନାମଲାଇଙ୍କ ତୃଣମୂଳ ସ୍ତରର ଅଭିଯାନ ଏବଂ ଡିଏମ୍‌କେ ବିରୋଧରେ ସକ୍ରିୟ ପ୍ରତିରୋଧ ବିଜେପିକୁ ନୂତନ ଆତ୍ମବିଶ୍ୱାସରେ ଭରି ଦେଇଛି। ଜନସାଧାରଣଙ୍କ ସହ ଯୋଗାଯୋଗ କରିବାରେ ତାଙ୍କର ଦକ୍ଷତା ଏବଂ ଶାସକ ଡିଏମ୍‌କେର ମୁକାବିଲା ପାଇଁ ତାଙ୍କର ପ୍ରସ୍ତୁତି ନିଶ୍ଚିତ ଭାବରେ ବିଜେପିର ସ୍ଥିତିରେ ଉନ୍ନତି ଆଣିଛି। ତେବେ ଭୋଟ୍‌ ଓ ଆସନ ଦୃଷ୍ଟିରୁ ଏହି ପ୍ରୟାସ କେତେ ମାତ୍ରାରେ ନିର୍ବାଚନୀ ଫାଇଦାରେ ପରିଣତ ହେବ ତାହା ଏବେ ଅନିଶ୍ଚିତତା ଭିତରେ ରହିଛି। ଏହାବ୍ୟତୀତ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ୍ ମୁରୁଗାନଙ୍କ ଭଳି ପ୍ରମୁଖ ନେତା ନୀଳଗିରି ନିର୍ବାଚନ ମଣ୍ଡଳୀରେ କ୍ୟାମ୍ପ ଅଫିସ୍ ସ୍ଥାପନ କରିବା ସହ କେତେକ ବିଶେଷ ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେପିର ଭିତ୍ତିଭୂମି ଦୃଢ଼ କରିବା ଲାଗି ପ୍ରୟାସ ଆରମ୍ଭ କରିଛନ୍ତି। ବିଜେପି ବିରୁଧୁନଗର, ରାମନାଥପୁରମ୍, ଶିବଗଙ୍ଗା ଏବଂ ତେନକାସି ସମେତ ପ୍ରାୟ ଏକ ଡଜନ ନିର୍ବାଚନ ମଣ୍ଡଳୀ ଚିହ୍ନଟ କରିଛି, ଯାହା ବିଜେପି ପାଇଁ ଅନୁକୂଳ ବୋଲି ବିବେଚନା କରାଯାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡ଼ୁ ଏବଂ କାଶୀ ମଧ୍ୟରେ ସ୍ଥାୟୀ ସମ୍ପର୍କ ଉପରେ ଆଲୋକପାତ କରିବା ପାଇଁ ଗତବର୍ଷ ତାଙ୍କ ନିର୍ବାଚନମଣ୍ଡଳୀରେ ‘ତାମିଲ କାଶୀ ସଙ୍ଗମମ୍’ ନାମକ ଏକ ମାସ ବ୍ୟାପୀ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ତଥାପି ଭାଷାଗତ ପ୍ରତିବନ୍ଧକ ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚମତ୍କାର ନେତୃତ୍ୱ ସାଧାରଣ ଲୋକଙ୍କ ମଧ୍ୟରେ ସେତେଟା ପ୍ରଭାବ ପକାଇ ନ ପାରେ। ଡିଏମ୍‌କେ-କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ମେଣ୍ଟର ମିଳିତ ଭୋଟ୍ ପ୍ରତିଶତ ପ୍ରାୟ ୬୦ ପ୍ରତିଶତ ରହିଛି। ଭୋଟ୍ ପ୍ରତିଶତରେ ଏତେ ବ୍ୟବଧାନ ଥିବାରୁ ଆଗାମୀ ନିର୍ବାଚନରେ ଅଧିକ ଆସନ ହାସଲ କରିବା ପାଇଁ ବିଜେପି ସାମ୍ନାରେ ବଡ଼ ଚ୍ୟାଲେଞ୍ଜ ହେବ।

ସମ୍ବନ୍ଧିତ ଖବର