ଭାରତରେ ଆକ୍ରମଣ ପାଇଁ ଆଇଏସ୍‌ଆଇ ଯୋଜନା ପଣ୍ଡ

ହାଇଦ୍ରାବାଦରୁ ଧରାପଡ଼ିଲା ଟେଲିଫୋନ୍ ଏକ୍ସଚେଞ୍ଜ୍‌

ହାଇଦ୍ରାବାଦ: ଜମ୍ମୁ କଶ୍ମୀରରୁ ସାମରିକ ଗୁଇନ୍ଦା ବିଭାଗର ତଥ୍ୟ ଆଧାରରେ ତେଲେଙ୍ଗାନା ପୁଲିସ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ଏକ ବଡ଼ ଷଡ଼୍‌ଯନ୍ତ୍ରକୁ ପଣ୍ଡ କରିଦେଇଛି। ସେନା ଉପରେ ଆକ୍ରମଣ ପାଇଁ ଆଇଏସ୍‌ଆଇ ନେଟ୍‌ୱର୍କ ମାଧ୍ୟମରେ ସଞ୍ଚାଳିତ ଏକ ଟେଲିଫୋନ୍ ଏକ୍ସଚେଞ୍ଜ୍‌କୁ ପୁଲିସ ଠାବ କରିବାରେ ସକ୍ଷମ ହୋଇଛି। ବିପୁଳ ସଂଖ୍ୟାରେ ସିମ୍‌ କାର୍ଡ ଏବଂ ସିମ୍‌ ବକ୍ସ ଯନ୍ତ୍ରପାତି ମଧ୍ୟ ଜବତ କରାଯାଇଛି। ଭାରତ ବିରୋଧରେ ଚାଲିଥିବା ଏହି ଷଡ଼୍‌ଯନ୍ତ୍ରର ମୁଖ୍ୟ ସଞ୍ଚାଳକକୁ ଗିରଫ କରାଯାଇଛି ଏବଂ ଏଥିରେ ସମ୍ପୃକ୍ତ ଅନ୍ୟମାନଙ୍କୁ ମଧ୍ୟ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ତଦନ୍ତକାରୀ ପୁଲିସ ଅଧିକ‌ାରୀ କହିଛନ୍ତି। ଏହି ଟେଲିଫୋନ୍ ଏକ୍ସଚେଞ୍ଜ୍ ମାଧ୍ୟମରେ ଜମ୍ମୁ କଶ୍ମୀରରେ ସେନା ଅଧିକାରୀଙ୍କ ପାଖକୁ ଫୋନ୍‌ ଯାଉଥିଲା ଏବଂ ନିଜକୁ ସେନାର ବରିଷ୍ଠ ଅଧିକାରୀ ଭାବେ ଦର୍ଶାଇ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିବାକୁ ପ୍ରୟାସ ହେଉଥିଲା। ବାହାର ଦେଶରୁ ମଧ୍ୟ ଏହି ଟେଲିଫୋନ୍‌ ଏକ୍ସଚେଞ୍ଜ୍ ମାଧ୍ୟମରେ ସେନା ଅଧିକାରୀଙ୍କୁ ଫୋନ୍‌ କରାଯାଉଥିଲା ଏବଂ ଏହା ବିଦେଶୀ ନମ୍ବର ବୋଲି ଆଦୌ ଜଣାପଡୁନଥିଲା। ଭିଓଆଇପି ଟେକ୍ନୋଲୋଜି ବ୍ୟବହାର ଦ୍ବାରା ଏହାକୁ ଭାରତୀୟ କଲ୍‌ରେ ପରିଣତ କରିବା ପାଇଁ ବ୍ୟବସ୍ଥା ଥିଲା।

ସମ୍ବନ୍ଧିତ ଖବର