ସିଗାରେଟ୍ ଟଣାକୁ କେନ୍ଦ୍ର କରି ହଣାହଣି, ବାପ-ପୁଅ ଗୁରୁତର

ଭୁବନେଶ୍ୱର: ଏୟାରପୋର୍ଟ ଥାନା ଅଧୀନ ଗଙ୍ଗନଗରଠାରେ ସିଗାରେଟ୍ ଟଣାକୁ କେନ୍ଦ୍ର କରି ବାପ-ପୁଅଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଆହତଦ୍ୱୟ ହେଲେ, ବାଲିଅନ୍ତା ଥାନା ଅଧୀନ ସତ୍ୟଭାମାପୁର ଅଞ୍ଚଳର ଅଭିମନ୍ୟୁ ସାହୁ (୫୦) ଓ ତାଙ୍କ ପୁଅ ଅନିଶ କୁମାର ସାହୁ। ଆଜି ରାତି ପ୍ରାୟ ୯ଟା ବେଳେ ଏହି ଘଟଣା ଘଟିଛି। ଖବର ପାଇ ପିସିଆର୍‌ ବାପ-ପୁଅଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଛି। ଗଙ୍ଗନଗର ଦୁର୍ଗାମଣ୍ଡପ ସମ୍ମୁଖରେ ଅଭିମନ୍ୟୁଙ୍କ ଏକ ଦୋକାନ ରହିଛି। ଆଜି ରାତି ପ୍ରାୟ ୯ଟା ବେଳେ ୨ଜଣ ଯୁବକ ତାଙ୍କ ଦୋକାନରୁ ସ୍ନାକ୍ସ ଖାଇବା‌ ପରେ ସିଗାରେଟ୍ ଟାଣିଥିଲେ। ତେବେ ଅଭିମନ୍ୟୁଙ୍କ ପୁଅ ଅନିଶ କୁମାର ସେମାନଙ୍କୁ ଦୋକାନ ବାହାରେ ସିଗାରେଟ୍ ଟାଣିବାକୁ କହିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ୧୦ରୁ ୧୨ଜଣ ଦୁର୍ବୃତ୍ତ ୪ଟା ବାଇକ୍‌ରେ ସେଠାରେ ପହଞ୍ଚିଥିଲେ। ସେମାନେ ଅଭିମନ୍ୟୁ ଓ ତାଙ୍କ ପୁଅ ଅନିଶକୁ ନିସ୍ତୁକ ମାଡ଼ ମାରିବା ସହ ଅଭିମନ୍ୟୁଙ୍କ ଦୁଇ ହାତକୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଏୟାରପୋର୍ଟ ଥାନା ପିସିଆର୍‌ ଆସିବା ବେଳକୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ।

ସମ୍ବନ୍ଧିତ ଖବର