ଯୌତୁକ ଦାବି ଯୋଗୁଁ ଜୀବନ ହାରିଲେ ୨୬ ବର୍ଷୀୟ ଡାକ୍ତରାଣୀ; ତଦନ୍ତ ଆଦେଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ତିରୁଅନନ୍ତପୁରମ୍‌: ‘ତିରୁଅନନ୍ତପୁରମ୍‌ ମେଡିକାଲ୍‌ କଲେଜ୍‌’ରେ ଜଣେ ସ୍ନାତକତ୍ତୋର ପଢୁଆ ଡାକ୍ତରାଣୀ ଆତ୍ମହତ୍ୟା କରିଥିବା ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ କରିବା ଲାଗି ବୁଧବାର ଦିନ କେରଳର ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ‘ମହିଳା ଓ ଶିଶୁ ବିକାଶ ବିଭାଗ’କୁ ନିର୍ଦେଶ ଦେଇଛନ୍ତି।

ଯୌତୁକ ଦାବି କାରଣରୁ ଉକ୍ତ ଡାକ୍ତରାଣୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଛି।

ପ୍ରାପ୍ତ ସୂଚନା ଅନୁସାରେ, ‘ତିରୁଅନନ୍ତପୁରମ ମେଡିକାଲ୍‌ କଲେଜ୍‌’ର ‘ସର୍ଜରି’ ବିଭାଗରେ ସ୍ନାତକତ୍ତୋର କରୁଥିବା ଛାତ୍ରୀ ଶାହାନାଙ୍କୁ ମଙ୍ଗଳବାର ସକାଳେ କଲେଜ ନିକଟରେ ଥିବା ଗୋଟାଏ ଆପାର୍ଟମେଣ୍ଟ୍‌ରୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିଲା। ସେ ମାତ୍ରାଧିକ ‘ଆନାସ୍ଥେସିଆ’ ନେଇ ଜୀବନ ହରାଇଥିଲେ। ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ଶାହାନାଙ୍କ ପୁରୁଷ-ବନ୍ଧୁ, (ସେ ମଧ୍ୟ ସ୍ନାତକତ୍ତୋର ପଢୁଛନ୍ତି) ବିବାହ ପ୍ରସ୍ତାବ ପ୍ରତ୍ୟାହାର କରିନେବାରୁ ସେ ଆତ୍ମହତ୍ୟା କରିଛି।

ruwais-dr-shahana-suicide
Image Courtesy of ONmanorama

ସେମାନେ କହିଛନ୍ତି, ଡାକ୍ତର ଇ. ଏ. ରୁୱାଇସ୍‌ ନାମରେ ଶାହାନାଙ୍କର ସେ ପୁରୁଷ-ବନ୍ଧୁଙ୍କ ପରିବାର ଲୋକେ ଯୌତୁକ ବାବଦରେ ସୁନା, ଜମି ଓ ‘ବିଏମ୍‌ଡବ୍ଲୁ’ କାର୍‌ ଦାବି କରୁଥିଲେ।

କିନ୍ତୁ, ଶାହାନାଙ୍କ ପରିବାର ଲୋକେ ଏସବୁ ଦାବି ପୂରଣ କରିବାକୁ ଅସମର୍ଥ ଥିଲେ। ଫଳରେ ‘ମେଡିକାଲ୍‌ ପି. ଜି. ଡକ୍ଟର୍ସ ଆସୋସିଏସନ୍‌’ର ପ୍ରତିନିଧି ଥିବା ଶାହାନାଙ୍କ ସେ ପୁରୁଷ-ବନ୍ଧୁ ସମ୍ପର୍କ ବିଚ୍ଛିନ୍ନ କରିଦେଲେ।

ଏହି ଘଟଣାରେ ମେଡିକାଲ୍ କଲେଜ ପୁଲିସ ଅପ୍ରାକୃତିକ ମୃତ୍ୟୁ ମାମଲା ରୁଜୁ କରିଛି। ଶାହାନଙ୍କ ଘରକୁ ଯାଇଥିବା କେରଳ ମହିଳା କମିସନ୍‌ ଅଧ୍ୟକ୍ଷା ଆଡ୍‌ଭୋକେଟ୍‌ ସତୀଦେବୀ ମଧ୍ୟ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରି ପୁଲିସକୁ ରିପୋର୍ଟ ମାଗିଛନ୍ତି। ସଦ୍ୟତମ ସୂଚନା ଅନୁସାରେ, ପୁଲିସ ଡାକ୍ତର ରୁୱାଇସ୍‌ଙ୍କୁ ହାଜତକୁ ନେଇଛି।

ସୂଚନାଯୋଗ୍ୟ, ମଧ୍ୟପ୍ରାଚ୍ୟରେ କାର୍ଯ୍ୟ କରୁଥିବା ଶାହାନାଙ୍କ ବାପାଙ୍କର ଅଳ୍ପ ଦିନ ହେବ ମୃତ୍ୟୁ ହୋଇଯାଇଛି।

ସମ୍ବନ୍ଧିତ ଖବର