ମୃତ୍ୟୁ ଦଣ୍ଡାଦେଶ ରୋକିବା ପାଇଁ ଭାରତୀୟ ନର୍ସଙ୍କ ଆବେଦନକୁ ଖାରଜ କଲେ ୟେମେନ୍‌ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ମୃତ୍ୟୁ ଦଣ୍ଡାଦେଶ ରୋକିବା ପାଇଁ ନିଶିମା ପ୍ରିୟା ନାମ୍ନୀ କେରଳନିବାସୀ ଭାରତୀୟ ନର୍ସଙ୍କ ଆବେଦନକୁ ୟେମେନ୍‌ର ସୁପ୍ରିମ୍‌ କୋର୍ଟ ଖାରଜ କରି ଦେଇଥିବା କଥା ‘ଏନ୍‌ଡିଟିଭି’ ‌ରିପୋର୍ଟ କରିଛି।

ୟେମେନ୍‌ର ଜଣେ ନାଗରିକଙ୍କୁ ହତ୍ୟା କରିଥିବା ଅପରାଧରେ ୨୦୧୭ ମସିହାରୁ ପ୍ରିୟା ୟେମେନ୍‌ ଜେଲ୍‌ରେ ଅଛନ୍ତି। ତଲାଲ୍‌ ଆବ୍‌ଦୋ ମହଦି ନାମକ  ୟେମେନ୍‌ ନାଗରିକଙ୍କଠାରୁ ନିଜ ପାସ୍‌ପୋର୍ଟ ଉଦ୍ଧାର କରିବାକୁ ଉଦ୍ୟମ କରିବାକୁ ଯାଇ ପ୍ରିୟା ନିଶାଦ୍ରବ୍ୟ ମିଶ୍ରିତ ଇଞ୍ଜେକ୍‌ସନ୍‌ ଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏଥିପାଇଁ ଅଦାଲତ ପ୍ରିୟାଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ।

୨୦୧୫ରେ ତଲାଲ୍‌ ଆବ୍‌ଦୋ ମହଦିଙ୍କ ସହଯୋଗରେ ପ୍ରିୟା ୟେମେନ୍‌ରେ ଗୋଟାଏ କ୍ଲିନିକ୍‌ ଖୋଲିଥି‌ଲେ। ପରେ କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ ବିବାଦ ହୋଇଥିଲା। ପ୍ରିୟାଙ୍କୁ ଭାରତକୁ ନ ଛାଡ଼ିବା ଲାଗି ମହଦି ତାଙ୍କ ପାସ୍‌ପୋର୍ଟ ନେଇ ଯାଇଥିଲେ।

କେବଳ ୟେମେନ୍‌ ରାଷ୍ଟ୍ରପତି ଚାହିଁଲେ ନିଶିମା ପ୍ରିୟାଙ୍କ ଉପରୁ ମୃତ୍ୟୁ ଦଣ୍ଡାଦେଶ ଉଠାଇ ପାରିବେ। ଏଥିପାଇଁ ତାଙ୍କ ମାଆ ପ୍ରେମା ମେରିଏବେ ୟେମେନ୍‌ ଯିବାକୁ ଚାହୁଁଛନ୍ତି।

Yemen Supreme Court nixes plea of nurse on death row

ତେଣୁ, ସେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ତାଙ୍କ ଅନୁରୋଧ ରକ୍ଷା କରି ଦିଲ୍ଲୀ ହାଇକୋର୍ଟ ଗୁରୁବାର ଦିନ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ, ଏକ ସପ୍ତାହ ମଧ୍ୟରେ ସେମାନେ ଏ ବିଷୟରେ ନିଷ୍ପତ୍ତି ଗ୍ରହଣ କରନ୍ତୁ।

ସୂଚନାଯୋଗ୍ୟ, ୨୦୧୭ରୁ ୟେମେନ୍‌ରେ ଗୃହଯୁଦ୍ଧ ଲାଗିଥିବାରୁ ସେଠାକୁ ଯିବା ଲାଗି ଭାରତୀୟ ନାଗରିକଙ୍କ ଉପରେ ନିଷେଧାଜ୍ଞା ଜାରି କରାଯାଇଛି। ତା’ ସତ୍ତ୍ବେ ପ୍ରିୟାଙ୍କ ମାଆ ପ୍ରେମା ମେରି ୟେମେନ୍‌ ଗସ୍ତ ଲାଗି ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ମଧ୍ୟ ଦିଲ୍ଲୀ ହାଇକୋର୍ଟରେ ନିବେଦନ କରିଥିଲେ।

ସୂଚନାଯୋଗ୍ୟ, ବୁଝାମଣା କରି ମହଦିଙ୍କ ପରିବାର ଲୋକଙ୍କୁ ଅନୁକମ୍ପାମୂଳକ ଅର୍ଥରାଶି ଦେଇ ଝିଅ ପ୍ରିୟାକୁ (ନର୍ସ) ଜେଲ୍‌ରୁ ମୁକ୍ତ କରିବା ଲାଗି ତାଙ୍କ ମାଆ ୟେମେନ୍‌ ଯିବାକୁ ଚାହୁଁଛନ୍ତି ତାଙ୍କ ଓକିଲ ପୂର୍ବରୁ ଅଦାଲତଙ୍କୁ କହିଥିଲେ।

ଗୁରୁବାର ଦିନ କେନ୍ଦ୍ର ସରକାରଙ୍କ ଓକିଲ ହାଇକୋର୍ଟଙ୍କୁ ଜଣାଇଛନ୍ତି ଯେ, ସମ୍ପ୍ରତି ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ, ୟେମେନ୍‌ ଯାତ୍ରା ଉପରେ ଲାଗୁ ହୋଇଥିବା ନିଷେଧାଜ୍ଞା କୋହଳ କରାଯାଇ ପାରେ। ନିର୍ଦ୍ଦିଷ୍ଟ କୌଣସି କାରଣ ପାଇଁ ଭାରତୀୟମାନେ ସ୍ବଳ୍ପ ସମୟ ଲାଗି ୟେମେନ୍‌ ଗସ୍ତ କରିପାରିବେ।

କେନ୍ଦ୍ର ସରକାରଙ୍କ ଓକିଲଙ୍କ କଥାକୁ ଆଧାର କରି ବିଚାରପତି ସୁବ୍ରମଣିୟମ୍‌ ପ୍ରସାଦ ଏହି ମାମଲା ସଂକ୍ରାନ୍ତରେ ସପ୍ତାହେ ମଧ୍ୟରେ ନିଷ୍ପତ୍ତି ନେବା ଲାଗି କେନ୍ଦ୍ର ସରକାରଙ୍କୁ ଆଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର