ସିବିଆଇ ଏତଲାରେ ମହୁଆ ମୈତ୍ର ଓ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ନାମ ରହିଛି

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ଦାୟର ହୋଇଥିବା ଏତଲାରେ ତୃଣମୂଳ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ମହୁଆ ମୈତ୍ର ଏବଂ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ନାମ ରହିଛି। ମାର୍ଚ୍ଚ ୨୧ ତାରିଖରେ ରୁଜୁ ହୋଇଥିବା ଏତଲାରେ ମୈତ୍ର ଓ ହିରାନନ୍ଦାନୀଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର, ସରକାରୀ କର୍ମଚାରୀଙ୍କୁ ଲାଞ୍ଚ ଦେବା ସମ୍ବନ୍ଧୀୟ ଅପରାଧ, ସରକାରୀ କର୍ମଚାରୀଙ୍କୁ ଲାଞ୍ଚ ଦେବା ଏବଂ ପ୍ରୋତ୍ସାହନ ଦେବା ଅଭିଯୋଗ ରହିଛି।

ଦୁବାଇର ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ଠାରୁ ନଗଦ ଟଙ୍କା ଏବଂ ଉପହାର ବଦଳରେ ଲୋକସଭାରେ ପ୍ରଶ୍ନ ପଚାରିଥିବା ଅଭିଯୋଗ ହୋଇଥିଲା, ବିଶେଷ କରି ଶିଳ୍ପପତି ଗୌତମ ଆଦାନୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିବା ପାଇଁ ପଚରାଯାଇଥିବା ପ୍ରଶ୍ନ ଉଦ୍ଦଷ୍ଟ ଥିଲା। ବିଜେପି ଲୋକସଭା ସଦସ୍ୟ ନିଶିକାନ୍ତ ଦୁବେଙ୍କ ଅଭିଯୋଗ କ୍ରମେ ପ୍ରାଥମିକ ତଦନ୍ତରୁ ମିଳିଥିବା ରିପୋର୍ଟ ପାଇବା ପରେ ଲୋକପାଳ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ଦେଇଥିବା ନିର୍ଦ୍ଦେଶ ଆଧାରରେ ସିବିଆଇ ଏହି ଏଫ୍‌ଆଇଆର୍‌ ଦାଖଲ କରିଛି।

ଶୁକ୍ରବାର ସିବିଆଇ ଟିମ୍‌ କୋଲକାତାର କୃଷ୍ଣନଗର ଏବଂ ପଶ୍ଚିମବଙ୍ଗର କରିମପୁରରେ ମୈତ୍ରଙ୍କ ସହ ଜଡ଼ିତ ଏକାଧିକ ସ୍ଥାନରେ ଚଢ଼ଉ କରିଥିଲା। ଲୋକପାଳ ସିବିଆଇକୁ ଏହି ମାମଲାରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ସମସ୍ତ ଦିଗର ତଦନ୍ତ କରି ୬ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଅଭିଯୋଗର ସଂସଦୀୟ କମିଟି ତଦନ୍ତ ପରେ ଗତ ଡିସେମ୍ବର ମାସରେ ଅନୈତିକ ଆଚରଣ ପାଇଁ ମୈତ୍ରଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଥିଲା। ଅନ୍ୟପକ୍ଷରେ ତୃଣମୂଳ ନେତ୍ରୀ ଏହି ସବୁ ଅଭିଯୋଗକୁ ଖଣ୍ଡନ କରି ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। ସିବିଆଇ ତାଙ୍କୁ ହଇରାଣ କରୁଛି ଏବଂ ତାଙ୍କ ନିର୍ବାଚନ ପ୍ରଚାର ପ୍ରୟାସକୁ ବାଧା ଦେଉଛି ବୋଲି ସେ ରବିବାର ନିର୍ବାଚନ କମିଶନଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ ସିବିଆଇ ଚଢ଼ାଉ କେବଳ ମୋର ପ୍ରଚାର ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ଏବଂ ନିର୍ବାଚନ ପୂର୍ବରୁ ମୋ ବିଷୟରେ ନକାରାତ୍ମକ ଧାରଣା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏସବୁ କରାଯାଇଛି।

ସମ୍ବନ୍ଧିତ ଖବର