ମମତା ବାନାର୍ଜୀ ଆହତ, ନିଜ ବାସଭବନରେ ଖସିପଡ଼ିଲେ

କୋଲକାତା:  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁତର ଆହତ ହୋଇଛନ୍ତି।  ନିଜ ବାସଭବନରେ ଖସିପଡ଼ିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା କୁହାଯାଉଛି। ଏନେଇ ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସ ଟୁଇଟ୍ କରି ସୂଚନା ଦେଇଛି। ଦଳ ଟ୍ୱିଟ୍ କରି କହିଛି ଯେ “ସେ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ପାଇଁ ସମସ୍ତେ ପ୍ରାର୍ଥନା କରନ୍ତୁ ।“

ଏସଏସକେଏମ ହସ୍ପିଟାଲର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଦକ୍ଷିଣ କୋଲକାତାର ବାଲିଗଞ୍ଜ ଜିଲ୍ଲାରେ ଏକ କାର୍ଯ୍ୟକ୍ରମରୁ ନିଜ ବାସଭବନକୁ ଫେରିବାର କିଛି ସମୟ ପରେ ଏହି ଦୁର୍ଘଟଣା ହୋଇଥିଲା । ସେ ନିଜ ବାସଭବନରେ କୌଣସି କାରଣରୁ ଖସିପଡ଼ିଥିଲେ ଓ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ଏହା ପରେ ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଟିଏମସି ନେତା ଅଭିଷେକ ବାନାର୍ଜୀ ତାଙ୍କୁ ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ଏହା ପୂର୍ବରୁ ଜାନୁଆରୀ ୨୪ରେ ମମତା ବାନାର୍ଜୀ ମଧ୍ୟ ଆହତ ହୋଇଥିଲେ। ଅନ୍ୟ ଏକ ଗାଡ଼ି ସହ ଧକ୍କା ହେବାରୁ ବର୍ତ୍ତିବା ପାଇଁ ତାଙ୍କ କାର୍କୁ ହଠାତ୍ ଅଟକାଇବାକୁ ପଡ଼ିଥିଲା। ଏହି କାରଣରୁ ଡ୍ରାଇଭରଙ୍କ ପାଖରେ ବସିଥିବା ମମତା ବାନାର୍ଜୀଙ୍କ ମୁଣ୍ଡ ୱିଣ୍ଡସ୍କ୍ରିନରେ ବାଜିବା ସହ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ସେହିପରି ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ତାଙ୍କ ଗୋଡ଼ ଭାଙ୍ଗିଯାଇଥିଲା ।

ସମ୍ବନ୍ଧିତ ଖବର