ଭବାନୀପୁରରୁ ମମତାଙ୍କ ଦମଦାର୍ ବିଜୟ, ୫୮ ହଜାରରୁ ଅଧିକ ଭୋଟରେ ଜିତିଲେ

କୋଲକାତା: ଉପନିର୍ବାଚନରେ ବିଜୟୀ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଭବାନୀପୁର ବିଧାନସଭା ଆସନରୁ ବଡ ବିଜୟ ହାସଲ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା । ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ୫୮,୮୩୨ ଭୋଟରେ ପରାଜୟ ଦେଇଛନ୍ତି ମମତା । ଭବାନୀପୁରବାସୀଙ୍କ ଭରସାର ଭୋଟ ପାଇଁ ମମତା କେବଳ ଏହି ନିର୍ବାଚନ ଜିତିନାହାନ୍ତି ବରଂ ନିଜ ରେକର୍ଡ ଭାଙ୍ଗିଛନ୍ତି । ୨୧ ରାଉଣ୍ଡର ଗଣତି ପରେ ମମତା ବିଜୟୀ ହୋଇଥିବା ଜଣାପଡ଼ିଛି । ଆନୁଷ୍ଠାନିକ ଭାବେ କୌଣସି ଘୋଷଣା ହୋଇ ନଥିଲେ ମଧ୍ୟ ମମତାଙ୍କ ବିଜୟୀ ହୋଇଥିବା ସ୍ପଷ୍ଟ ହୋଇଛି ।

ଏହି ବିଜୟ ସହ ମମତା ନିଜ ଦଳର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ୨୦୧୧ ମସିହା ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତାଙ୍କର ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀଙ୍କୁ ୪୯,୯୩୬ ଭୋଟରେ ପରାଜିତ କରିଥିଲେ। ଆଜି ମମତା ଦଳୀୟ ପ୍ରାର୍ଥୀ ଭାବେ ୫୮ ହଜାରରୁ ଅଧିକ ଭୋଟରେ ଜିତି ୧୦ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି।

ଗତ ୩୦ ତାରିଖରେ ଭବାନୀପୁର ଉପ-ନିର୍ବାଚନ ପାଇଁ ମତଦାନ ହୋଇଥିଲା । ଆଉ ଏହି ଉପ-ନିର୍ବାଚନରେ ମମତା ନିଜର ରାଜନୈତିକ ଭାଗ୍ୟ ପରୀକ୍ଷା କରିଥିଲେ । ମମତାଙ୍କ ପାଇଁ ଏହି ନିର୍ବାଚନ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । କାରଣ ନିର୍ବାଚନର ଫଳାଫଳ ମମତାଙ୍କ ସପକ୍ଷରେ ନ ଯାଇଥିଲେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଥାନ୍ତା । କାରଣ ନିୟମ ଅନୁଯାୟୀ, କୌଣସି ବ୍ୟକ୍ତି ବିଧାନସଭାର ସଦସ୍ୟ ନଥାଇ ଯଦି ମୁଖ୍ୟମନ୍ତ୍ରୀ ହୋଇଥାନ୍ତି ତେବେ ତାଙ୍କୁ ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହେବାକୁ ପଡିଥାଏ । ନଚେତ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଥାଏ । ଯେହେତୁ ମମତା ନନ୍ଦୀଗ୍ରାମ ଆସନରୁ ପରାଜିତ ହେବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ରହିଛନ୍ତି ତେଣୁ ଭବାନୀପୁର ଆସନରେ ବିଜୟୀ ହେବା ତାଙ୍କ ପାଇଁ ଜରୁରୀ ହୋଇ ପଡିଥିଲା।

ସମ୍ବନ୍ଧିତ ଖବର