ଦେଶବ୍ୟାପୀ ଯାଞ୍ଚ ହେବ ଦୁଗ୍ଧ, ଦୁଗ୍ଧଜାତୀୟ ସାମଗ୍ରୀ

ଏଫ୍‌ଏସ୍‌ଏସ୍‌ଏଆଇ ନିର୍ଦେଶାବଳୀ ଜାରି ପରେ ଆରମ୍ଭ ହେବ ଯାଞ୍ଚ

ଭୁବନେଶ୍ବର : ଦେଶବ୍ୟାପୀ ଦୁଗ୍ଧର ମାନ ଯାଞ୍ଚ ହେବ। ଦୁଗ୍ଧ ସହିତ ଦୁଗ୍ଧଜାତୀୟ ସାମଗ୍ରୀର ଯାଞ୍ଚ କରିବା ଲାଗି ନିଷ୍ପତ୍ତି ନେଇଛି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ(ଏଫ୍‌ଏସ୍‌ଏସ୍‌ଏଆଇ)। ସବୁ ଜିଲ୍ଲାରୁ ସଂଗଠିତ ଓ ଅଣ ସଂଗଠିତ କ୍ଷେତ୍ରରେ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି।

ଗୁରୁବାର ଦିନ ନୂଆଦିଲ୍ଲୀଠାରେ ଏଫ୍‌ଏସ୍‌ଏସ୍‌ଏଆଇର କେନ୍ଦ୍ରୀୟ ଉପଦେଷ୍ଟା କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସବୁ ରାଜ୍ୟର ଖାଦ୍ୟ ସୁରକ୍ଷା କମିସନରମାନେ ସାମିଲ ହୋଇଛନ୍ତି। ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ କୁହାଯାଇଛି ଯେ ମହାମାରୀ ପରେ ଲୋକମାନେ ଖାଦ୍ୟପଦାର୍ଥକୁ ନେଇ ବେଶ୍ ସଚେତନ ହୋଇଛନ୍ତି। କ୍ଷୀର, ଦହି ପରି ଦୁଗ୍ଧଜାତୀୟ ସାମଗ୍ରୀ ଲୋକଙ୍କ ପ୍ରତିଦିନ ଖାଦ୍ୟରେ ସାମିଲ ହୋଇଛି। ତେଣୁ ଦୁଗ୍ଧଜାତୀୟ ସାମଗ୍ରୀ ବିଶୁଦ୍ଧ ହେବା ଜରୁରୀ ହୋଇପଡ଼ିଛି। ଏହାକୁ ନଜରରେ ରଖି ଏଫ୍‌ଏସ୍‌ଏସ୍‌ଏଆଇ ଯାଞ୍ଚ କରିବା ପାଇଁ ନିଷ୍ପତ୍ତି ହୋଇଛି।

ଅପରପକ୍ଷରେ ରାଜ୍ୟ ଖାଦ୍ୟ ନିରାପତ୍ତା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ଏ ସଂକ୍ରାନ୍ତୀୟ କୌଣସି ନିର୍ଦେଶାବଳୀ ଆସିନାହିଁ। କ୍ଷୀରର କେଉଁ ମାନ ଯାଞ୍ଚ ହେବ ତାହା ସଂପର୍କରେ ନିର୍ଦେଶାବଳୀ ଆସିବା ପରେ ହିଁ ନମୁନା ସଂଗ୍ରହ କରାଯିବ। କାରଣ ସବୁ ପରୀକ୍ଷା ରାଜ୍ୟରେ ହୋଇପାରିବ ନାହିଁ। ତେଣୁ ସେହି ଅନୁଯାୟୀ ସଂଗୃହୀତ ନମୁନା ରାଜ୍ୟରେ ଥିବା ପରୀକ୍ଷାଗାରରେ କରାଯିବ କି ରାଜ୍ୟ ବାହାରକୁ ପଠାଯିବ ତାହା ସଂପର୍କରେ ନିଷ୍ପତ୍ତି ନିଆଯିବ। ଏହାସହ ରାଜ୍ୟରେ ମଧ୍ୟ କ୍ଷୀରର ମାନ ଯାଞ୍ଚ କରାଯାଉଛି। ଜୁନ୍‌ଠାରୁ ଅଗଷ୍ଟ ପର୍ଯ୍ୟନ୍ତ ୩ମାସ ଓ ଅକ୍ଟୋବର ମାସରେ ପାର୍ବଣ ସମୟରେ କ୍ଷୀର ସହିତ ମିଠା ଇତ୍ୟାଦିର ମାନ ପରୀକ୍ଷା କରାଯାଉଛି। ତେବେ ନିର୍ଦେଶାବଳୀ ଆସିବା ପରେ ହିଁ ଏହା ସଂପର୍କରେ ଅଧିକ ସୂଚନା ଦିଆଯାଇପାରିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର