ଗୁଜୁରାଟ: ୨୦୦ ମୁସ୍‌ଲମାନ ଦମ୍ପତି କଲେ ଗଣ ବିବାହ

ଅହମ୍ମଦାବାଦ୍‌: ଗୁଜୁରାଟର ଅହମ୍ମଦାବାଦ୍‌ରେ ଆୟୋଜନ ହୋଇଥିବା ଗଣ ବିବାହରେ ୨୦୦ ସୁସ୍‌ଲମାନ ଦମ୍ପତି ରବିବାର ବିବାହ କରିଛନ୍ତି। ଟ୍ରଷ୍ଟ୍‍ ଜମିଆ ଫୈଜନୁଲ୍‌ କୋରାନ ଏବଂ ଆଇଏସ୍‌ଏସ୍‌ଏ ଫାଉଣ୍ଡେସନ୍‌ର ମିଳିତ ଉଦ୍ୟମରେ ଏହି ଗଣ ବିବାହ ଆୟୋଜନ ହୋଇଥିଲା। ଅହମ୍ମଦାବାଦ୍‌ର ସରସପୁରରେ ହୋଇଥିବା ଏହି ଗଣ ବିବାହ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।

ସଂଗଠକ ନବ ବିବାହିତମାନଙ୍କୁ ଖଟ, ଫ୍ରିଜ୍‌ ଆଦି ଉପହାର ଭାବେ ପ୍ରଦାନ କରିଛନ୍ତି। ସମାଜରେ ଥିବା ମୁସ୍‌ଲମାନମାନଙ୍କୁ ସହଯୋଗ କରିବା ଉଦ୍ଦେଶ୍ୟରେ ଏହି ଗଣ ବିବାହ ଆୟୋଜନ କରାଯାଇଥିଲା। ଏ ସଂପର୍କରେ ଫଇଜାନ୍‌ ଇଂରାଜୀ ମାଧ୍ୟମିକ ସ୍କୁଲ୍‌ର ଶିକ୍ଷକ କହନ୍ତି କି ଅନେକ ଲୋକଙ୍କ ବିବାହ ସଫଳ କରାଇବା ପାଇଁ ସେମାନେ ଏକତ୍ର ହୋଇ ଏହି ନିଷ୍ପତ୍ତି ନେଇଥିଲେ। ଏହା ଜରିଆରେ ଲୋକଙ୍କ ଭିତରେ ସମାନତାର ବାର୍ତ୍ତା ବଣ୍ଟା ଯାଇଛି। ଜାତି, ଧର୍ମ କିମ୍ବା ଆର୍ଥିକ ଅବସ୍ଥାକୁ ବାଦ୍‌ ଦେଇ ସାମିଲ୍‌ ହୋଇଥିବା ସବୁ ପ୍ରାର୍ଥୀଙ୍କୁ ସମାନ ବ୍ୟବହାର ପ୍ରଦର୍ଶନ କରାଯାଇଛି।

ଏ ସଂପର୍କରେ ଜଣେ ମୁସ୍‌ଲାମାନ କନ୍ୟା କହନ୍ତି, ‘ଏହା ଆମ ପାଇଁ ଏକ ଅତ୍ୟନ୍ତ ଭଲ ସୁଯୋଗ। ଏମିତି ଅନେକ ମୁସଲମାନ ଅଛନ୍ତି ଯେଉଁମାନେ ଆର୍ଥିକ ଅସ୍ୱଚ୍ଛଳତା ହେତୁ ବିବାହ କରିପାରୁ ନାହାନ୍ତି। ସେହି ପରି ପରିବାର ପାଇଁ ଏହା ଏକ ଆଶୀର୍ବାଦ ପରି।’

ସମ୍ବନ୍ଧିତ ଖବର