ସିଏଏ ବିଜ୍ଞପ୍ତି ଜାରି ହେବାପରେ ନିଷେଧାଦେଶ ଦାବି କରି ସୁପ୍ରିମକୋର୍ଟରେ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗର ଆବେଦନ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଅଳ୍ପ କିଛିଦିନ ପୂର୍ବରୁ କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଆଇନ (ସିଏଏ) ବିଜ୍ଞପ୍ତି ଜାରି କରିବାପରେ ସୁପ୍ରିମକୋର୍ଟରେ ଏହି ଆଇନ ବିରୋଧରେ ଏକ ପିଟିସନ ଦାଖଲ କରାଯାଇଛି। ଏଥିଲାଗି ନିଷେଧାଦେଶ ଦାବି କରି ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ ପକ୍ଷରୁ ଏହି ଆବେଦନ କରାଯାଇଛି। ଦେଶରେ ନାଗରିକତ୍ୱ ସଂଶୋଧନ ଅଧିନିୟମ ୨୦୧୯ର ନିୟମାବଳୀକୁ କାର୍ଯ୍ୟକାରୀ କରିବାକୁ ବାରଣ କରାଯାଇଛି। ଆବେଦନରେ କୁହାଯାଇଛି ଯେ ନାଗରିକତ୍ୱ ଅଧିନିୟମ ଅନୁଯାୟୀ କେବଳ କେତେକ ଧର୍ମର ଲୋକଙ୍କୁ ନାଗରିକତ୍ୱ ଦିଆଯିବ, ଯାହା ସମ୍ବିଧାନ ବିରୁଦ୍ଧ ଅଟେ।

ସୂଚନାଯୋଗ୍ୟ, ସଂସଦରେ ପ୍ରବଳ ବିରୋଧ ମଧ୍ୟରେ ଉକ୍ତ ବିଲ୍ ୨୦୧୯ ମସିହା ଡିସେମ୍ବର ମାସରେ ଗୃହୀତ ହୋଇଥିଲା। ପ୍ରଥମ ଥର ପାଇଁ ଧର୍ମ ଆଧାରରେ ନାଗରିକତା ପ୍ରଦାନ ବ୍ୟବସ୍ଥା ଏହି ଆଇନରେ ରହିଛି। ସିଏଏକୁ ବିରୋଧ କରି ଦୀର୍ଘଦିନ ଧରି ଆନ୍ଦୋଳନ ଚାଲିଥିଲା। ଆନ୍ଦୋଳନ ଏବଂ ପୁଲିସ କାର୍ଯ୍ୟାନୁଷ୍ଠାନ ଯୋଗୁ ୧୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। ବିରୋଧୀ ଦଳ ସମେତ ଅଣ ବିଜେପି ରାଜ୍ୟଗୁଡ଼ିକ ଏହି ଆଇନକୁ ଦୃଢ଼ ବିରୋଧ କରିଥିଲେ। ସିଏଏ ବିଜ୍ଞପ୍ତି ଜାରି ହେବା ପରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥିଲା।

ଏଣେ କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଆଇନ (ସିଏଏ) ବିଜ୍ଞପ୍ତି ଜାରି କରିବାପରେ ଏହାକୁ କଂଗ୍ରେସ ଓ ଡିଏମକେ ଭଳି କେତେକ ବିରୋଧୀ ଦଳ ବି ବିରୋଧ କରିଛନ୍ତି।  ଲୋକସଭା ନିର୍ବାଚନ ପୂର୍ବରୁ ଭୋଟର ଧ୍ରୁବୀକରଣ ପାଇଁ ଏହା କରାଯାଇଛି ବୋଲି କଂଗ୍ରେସ କହିଛି। ସିଏଏ ବିଜ୍ଞପ୍ତି ପାଇଁ ୯ ଥର ସମୟ ନେବା ପରେ ଏବେ ଏହାକୁ କାର୍ଯ୍ୟକାରୀ କରାଯାଇଛି ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି। ସବୁ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାବି କରୁଛନ୍ତି। କିନ୍ତୁ ସିଏଏ କ୍ଷେତ୍ରରେ ୯ ଥର ସମୟ ନେବା ତାଙ୍କର ଡାହା ମିଛକୁ ପଦାରେ ପକାଇଛି ବୋଲି ରମେଶ କହିଛନ୍ତି।

ସମ୍ବନ୍ଧିତ ଖବର