କଂଗ୍ରେସ ନେତା ପବନ ଖେରାଙ୍କୁ ଗିରଫ କଲା ଆସାମ ପୁଲିସ; ଦିଲ୍ଲୀ ବିମାନ ବନ୍ଦରରେ କଂଗ୍ରେସର ପ୍ରତିବାଦ ପ୍ରଦର୍ଶନ

ନୂଆଦିଲ୍ଲୀ: ଆଜି ଦଳୀୟ ଅଧିବେଶନରେ ଯୋଗ ଦେବା ଲାଗି ଛତିଶଗଡ଼ର ରାୟପୁର ଯାଉଥିବା ବରିଷ୍ଠ କଂଗ୍ରେସ ନେତା ପବନ ଖେରାଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ବିମାନରୁ ଓହ୍ଲାଇ ଦିଆଯିବା ପରେ ଆସାମ ପୁଲିସ ଆସି ତାଙ୍କୁ ଗିରଫ କରିଛି।

ପବନ ଖେରାଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଦିଲ୍ଲୀ ବିମାନ ବନ୍ଦରର ୧ ନମ୍ବର ଟର୍ମିନାଲ୍‌ରେ ସାଂସଦଙ୍କ ସମେତ ପ୍ରାୟ ୫୦ଜଣ କଂଗ୍ରେସ ନେତା ଧାରଣାରେ ବସି ବିମାନଟିକୁ ରାୟପୁର ଛାଡୁ ନାହାନ୍ତି।

ସଂଗୃହୀତ ସୂଚନା ଅନୁସାରେ, ଆସାମ ପୁଲିସର  ସୂଚନାକ୍ରମେ ବରିଷ୍ଠ କଂଗ୍ରେସ ମୁଖପାତ୍ର ଖେରାଙ୍କୁ ଜବରଦସ୍ତ ଇଣ୍ଡିଗୋ ବିମାନରୁ ଓହ୍ଲାଇ ଦିଆଯାଇଥିଲା। ପରେ ପରେ ଆସାମ ପୁଲିସ ପୂର୍ବରୁ ଜାରି ଏକ ‘ଏଫ୍‌ଆଇଆର୍‌’ ଆଧାରରେ ବିମାନ ବନ୍ଦରରେ ପହଞ୍ଚି ଖେରାଙ୍କୁ ଗିରଫ କରିଛି। ଖେରା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅପମାନିତ କରିଛନ୍ତି ବୋଲି ଜଣେ ‘ବିଜେପି’ ନେତାଙ୍କ ଅଭିଯୋଗକୁ ଆଧାର କରି ଏହି ମାମଲା କରାଯାଇଥିଲା।

Image Courtesy of India Today

ଏହି ଘଟଣାରେ ବହୁସଂଖ୍ୟକ କଂଗ୍ରେସ ନେତା ବିମାନରୁ ଅବତରଣ କରି ସ୍ଲୋଗାନ୍‌ ଦେବା ସହିତ ବିମାନ ପାଖରେ ଧାରଣା ଦେଇଛନ୍ତି।

ଖେରା କହିଛନ୍ତି, ମୋ ପାଖରେ ମାତ୍ର ଗୋଟିଏ ହ୍ୟାଣ୍ଡ୍‌ବ୍ୟାଗ୍‌ ଥିଲେ ବି ସେଥିରେ ଅସୁବିଧା ଅଛି ବୋଲି ପ୍ରଥମେ ମତେ କୁହାଗଲା। ତା’ପରେ କୁହାଗଲା କି, ମୁଁ ବିମାନ ଯାତ୍ରା କରିପାରିବି ନାହିଁ। ତା’ପରେ କୁହାଗଲା ‘ଡିସିପି’ ଆପଣଙ୍କୁ ଭେଟିବେ। ସେଥିପାଇଁ ମୁଁ ଦୀର୍ଘ ସମୟ ଧରି ଅପେକ୍ଷା କଲି।

ଉଲ୍ଲେଖଯୋଗ୍ୟ, ‘ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି’ ସଭାରେ ଯୋଗ ଦେବା ପାଇଁ ବହୁସଂଖ୍ୟକ କଂଗ୍ରେସ ନେତାଙ୍କ ସହିତ ଖେରା ରାୟପୁର ଯାଉଥିଲେ।

ସମ୍ବନ୍ଧିତ ଖବର