ଗୋଆରୁ ‘ଜ୍ୟାକ୍‌ ରସେଲ୍‌ ଟେରିୟର୍‌’ କୁକୁରଛୁଆ ଆଣିଲେ ରାହୁଲ୍‌ ଗାନ୍ଧୀ

ନୂଆଦିଲ୍ଲୀ: ଗୋଆରୁ ଦିଲ୍ଲୀ ଫେରିଥିବା ରାହୁଲ୍‌ ଗାନ୍ଧୀ ସାଥିରେ ଗୋଟାଏ ୩ ମାସର ‘ଜ୍ୟାକ୍‌ ରସେଲ୍‌ ଟେରିୟର୍‌’ କୁକୁରଛୁଆ ଆଣିଥିବା କଥା ‘ପିଟିଆଇ’ ରିପୋର୍ଟ କରିଛି।

କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ବୁଧବାର ରାତିରେ ଗୋଆରେ ପହଞ୍ଚି ଗୁରୁବାର ସକାଳେ ଦିଲ୍ଲୀ ଫେରି ଆସିଥିଲେ।

ସ୍ବାମୀ ଷ୍ଟେନ୍‌ଲି ବ୍ରାଗାଞ୍ଚାଙ୍କ ସହିତ ମିଶି ଉତ୍ତର ଗୋଆ ଅନ୍ତର୍ଗତ ମାପୁସା ସହରରେ କୁକୁର ପାଳନ କରୁଥିବା ଶିବାନୀ ପିତ୍ରେ  ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’କୁ କହିଛନ୍ତି ଯେ, ଗାନ୍ଧୀ ଦୁଇଟି କୁକୁରଛୁଆ ପସନ୍ଦ କରିଥିଲେ, ଗୋଟାଏ ସାଥିରେ ନେଇ ଯାଇଛନ୍ତି। ଆର କୁକୁରଛୁଆଟିକୁ ପରେ ତାଙ୍କ ପାଖକୁ ପଠାଇ ଦିଆଯିବ।

ପିତ୍ରେ କହିଛନ୍ତି, କୁକୁରଛୁଆ ବିଷୟରେ ବୁଝାବୁଝି କରିବା ଲାଗି ଆଗରୁ ଗାନ୍ଧୀ ଲୋକ ପଠାଇଥିଲେ। କିନ୍ତୁ, ନିଆଯିବା ପୂର୍ବରୁ ନିଜେ ଆସି କୁକୁରଛୁଆଗୁଡ଼ିକୁ ଦେଖିବାକୁ ଇଚ୍ଛା କରିଥିଲେ।

Image Courtesy of India Today

ଉତ୍ତର ଗୋଆ ଅନ୍ତର୍ଗତ ‘ମନୋହର ଆନ୍ତର୍ଜାତିକ ବିମାନ ବନ୍ଦର’ ଯିବା ବାଟରେ ଗୁରୁବାର ସକାଳ ପ୍ରାୟ ୯ଟା ବେଳେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ମାପୁସାସ୍ଥିତ ‘ସେଲ୍‌ଟର୍‌’ରେ ପହଞ୍ଚିଥିଲେ।

ପିତ୍ରେ କହିଛନ୍ତି, ବିମାନ ବନ୍ଦରକୁ ଯିବାର ପୂର୍ବରୁ ଗାନ୍ଧୀ ଅଳ୍ପ ସମୟ ପାଇଁ କୁକୁର ପାଳନ କେନ୍ଦ୍ରକୁ ଆସିଥିଲେ। ସେ ଖୁବ୍‌ ବିନୟୀ ଓ ସାଧାରଣ। ଏଠାକୁ ଆସି ସେ କୁକୁରମାନଙ୍କ ସହିତ ଖେଳରେ ମଜ୍ଜି ଯାଇଥିଲେ।

ପ୍ରାପ୍ତ ସୂଚନା ଅନୁସାରେ, ବୁଧବାର ରାତିରେ ଏକ ହୋଟେଲ୍‌ରେ ରାହୁଲ୍‌ ଗାନ୍ଧୀ ଗୋଆର କଂଗ୍ରେସ ବିଧାୟକ ଓ ଗୋଆ ପ୍ରଦେଶ କଂଗ୍ରେସ କମିଟି ସଭାପତି ଅମିତ ପାଟକର୍‌ଙ୍କୁ ଭେଟିଥିଲେ।

ସମ୍ବନ୍ଧିତ ଖବର