ଜି-୨୦ ବୈଠକ ପାଇଁ କାଶ୍ମୀରରେ ସୁରକ୍ଷା କଡ଼ାକଡ଼ି

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଜି-୨୦ ସମ୍ମିଳନୀ ଚଳିତ ମାସରେ ଆୟୋଜିତ ହେଉଥିବାରୁ ସମଗ୍ର ଉତ୍ତର କାଶ୍ମୀର ଅଞ୍ଚଳର ସୁରକ୍ଷା କଡ଼ାକଡ଼ି କରାଯାଇଛି। ସମ୍ବେଦନଶୀଳ ଅଞ୍ଚଳରେ ଅତିରିକ୍ତ ଯବାନ ମୁତୟନ ହୋଇଥିବା ବେଳେ କାର୍ଯ୍ୟକ୍ରମସ୍ଥଳଗୁଡ଼ିକର ସୁରକ୍ଷା ଦାୟିତ୍ବରେ ଏସ୍‌ପିଜି ରହିଛି। ଚଳିତ ମାସରେ ଦୁଇଟି ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ମିଳିତ ସୁରକ୍ଷା ବାହିନୀର ତଲାସୀ ଅଭିଯାନକୁ ବ୍ୟାପକ କରାଯାଇଛି। ଡ୍ରୋନ୍‌ ମାଧ୍ୟମରେ ଆକାଶ ମାର୍ଗରୁ ଅହରହ ନଜର ରଖାଯାଉଛି। ଚେକ୍‌ ପଏଣ୍ଟଗୁଡ଼ିକରେ ସନ୍ଧାନୀ କୁକୁର ସହାୟତାରେ ତଲାସୀ ଅଭିଯାନ ଜାରି ରହିଛି। ଜି-୨୦ ଟୁରିଜମ୍‌ ୱାର୍କିଂ ଗ୍ରୁପ୍‌ର ସମ୍ମିଳନୀ ଆଗାମୀ ୨୨ରୁ ୨୪ ତାରିଖ ପଯ୍ୟନ୍ତ ଶ୍ରୀନଗରରେ ଅନୁଷ୍ଠିତ ହେବ।

ଏହି ସମ୍ମିଳନୀକୁ ଚୀନ୍‌ ଓ ପାକିସ୍ତାନ ଦୃଢ଼ ବିରୋଧ କରିଆସୁଥିବା ବେଳେ ଭାରତ କୌଣସି ଚାପ୍‌କୁ ଖାତିର ନକରି ସମ୍ମିଳନୀର ସଫଳ ଆୟୋଜନ ପାଇଁ ପ୍ରସ୍ତୁତି ଚଳାଇଛି। ପାକିସ୍ତାନୀ ଆତଙ୍କବାଦୀ ସଂଗଠନଗୁଡ଼ିକ ସମ୍ମିଳନୀକୁ ଭଣ୍ଡୁର କରିବା ନିମନ୍ତେ ବିଭିନ୍ନ ସ୍ଥାନରେ ଆକ୍ରମଣ ମସୁଧା କରୁଥିବା ନେଇ ଗୁଇନ୍ଦା ରିପୋର୍ଟ ମିଳିଛି। ସୀମାରେ ମଧ୍ୟ ପାକ୍‌ ସେନା ସହାୟତାରେ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଛକି ରହିଛନ୍ତି। ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ସେନା ହାଇଆଲର୍ଟରେ ରହିଛି ଏବଂ ପୁଲିସ-ସେନା-ସିଆର୍‌ପିଏଫ୍‌ ପକ୍ଷରୁ ମିଳିତ କମ୍ବିଂ ଚାଲିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କାଶ୍ମୀର ଗସ୍ତ କରି ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି। ଅନ୍ୟପକ୍ଷରେ ପଶ୍ଚିମ ସୀମାରେ ମଧ୍ୟ ସୁରକ୍ଷା ସ୍ଥିତି ସୁଦୃଢ଼ କରିବା ପାଇଁ ସେନା ବାହିନୀ ଚଳିତ ମାସରୁ ବିଶାଳ ସମରାଭ୍ୟାସ ଆରମ୍ଭ କରିବାକୁ ଯାଉଛି।

ସମ୍ବନ୍ଧିତ ଖବର