୬ ମାସରେ ଅମରାବତୀକୁ ଆନ୍ଧ୍ରର ରାଜଧାନୀ କରିବା ପାଇଁ ହାଇକୋର୍ଟଙ୍କ ଆଦେଶ ଉପରେ ରହିତାଦେଶ ଜାରିକଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ୬ ମାସରେ ଅମରାବତୀକୁ ରାଜଧାନୀ ନଗରୀରେ ବିକଶିତ କରିବା ପାଇଁ ମାର୍ଚ ମାସରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ରାଜ୍ୟ ସରକାରଙ୍କ ପ୍ରତି ଜାରି କରିଥିବା ଆଦେଶ ଉପରେ ଆଜି ସୁପ୍ରିମ୍‌ କୋର୍ଟ ରହିତାଦେଶ ଜାରି କରିଛନ୍ତି।

ବିଚାରପତି କେ. ଏମ୍‌. ଜୋସେଫ ଏବଂ ବି. ଭି. ନାଗରତ୍ନାଙ୍କ ଖଣ୍ଡପୀଠ କହିଛନ୍ତି, ଅଦାଲତମାନେ ‘ଟାଉନ୍‌ପ୍ଲାନର୍‌’ ଓ ‘ଚିଫ୍‌ ଇଞ୍ଜିନିୟର୍‌’ ନୁହନ୍ତି।

ଏଭଳି ଆଦେଶ ଜାରି କରି ହାଇକୋର୍ଟ କ୍ଷମତା ପୃଥକିରଣ ନୀତି ଉଲ୍ଲଘଂନ କରିଥିବା କଥା ସୁପ୍ରିମ୍‌ କୋର୍ଟ କହିଛନ୍ତି।

ଖଣ୍ଡପୀଠ ଅମରାବତୀ ମାମଲାରେ ୱାଇ.ଏସ୍‌. ଜଗନ ମୋହନ ରେଡ୍ଡୀ ସରକାର ଦାଏର କରିଥିବା ଆବେଦନର ଶୁଣାଣି କରିବା ବେଳେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।

ଏହି ମାମଲାରେ ବିଜଡ଼ିତ ଥିବା ଆଇନଗତ କ୍ଷେତ୍ରଗୁଡ଼ିକୁ ଜାନୁଆରି ୩୧ ତାରିଖରେ ସୁପ୍ରିମ୍‌ କୋର୍ଟ ବିଶ୍ଳେଷଣ କରିବେ ବୋଲି ଖଣ୍ଡପୀଠ କହିଛନ୍ତି।

Image Courtesy of The Hindu

ସୂଚନାଯୋଗ୍ୟ, ରାଜ୍ୟ ପାଇଁ ୩ଟି ରାଜଧାନୀ ନିର୍ମାଣ କରିବା ଲାଗି ପ୍ରସ୍ତାବିତ ଯୋଜନା ବିପକ୍ଷରେ ହାଇକୋର୍ଟ ରାୟ ଦେବାରୁ ରାଜ୍ୟ ସରକାର ସୁପ୍ରିମ୍‌ କ‌ୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ରାଜଧାନୀ ବିଷୟରେ ନିଷ୍ପତ୍ତି ଗ୍ରହଣ କରିବା ଲାଗି ରାଜ୍ୟର କ୍ଷମତା ନାହିଁ କହିବା ଅର୍ଥ ସମ୍ବିଧାନର ମୌଳିକ ଢାଞ୍ଚାର ଉଲ୍ଲଂଘନ କରିବା ବୋଲି ଆଡ୍‌ଭୋକେଟ୍‌ ମହଫୁଜ୍‌ ଏ ନାଜ୍‌କିଙ୍କଦ୍ବାରା ଫାଇଲ୍‌ କରିଥିବା ଆବେଦନରେ ରାଜ୍ୟ ସରକାର ଉଲ୍ଲେଖ କରିଥିଲେ।

ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ, ତିନୋଟି ରାଜଧାନୀ କରି ଶାସନର ବିକେନ୍ଦ୍ରୀକରଣ କରିବା ଲାଗି ସରକାର ବଦ୍ଧପରିକର। ରାଜ୍ୟର କାର୍ଯ୍ୟପାଳିକା ରାଜଧାନୀ ବିଶାଖାପାଟଣା, ବୈଧାନିକ ରାଜଧାନୀ ଅମରାବତୀ ଓ ନ୍ୟାୟିକ ରାଜଧାନୀ କୁର୍ଣ୍ଣୂଲ୍‌ କରାଯିବ ବୋଲି ରାଜ୍ୟ ସରକାରଙ୍କର ପ୍ରସ୍ତାବ ରହିଛି। ରାଜଧାନୀକୁ ପୁନଃସଙ୍ଗଠିତ କରିବା ପାଇଁ ସମସ୍ତ କ୍ଷମତା ଅଛି ବୋଲି ରାଜ୍ୟ ସରକାର ଗୁରୁତ୍ବାରୋପ କରି କହିଥିଲେ।

ସମ୍ବନ୍ଧିତ ଖବର