ସୈନ୍ୟ ଅପସାରଣ ପରେ ପ୍ରଥମ ଥର ପାଇଁ ତାଲିବାନ୍‌ ସହ ପ୍ରତ୍ୟକ୍ଷ ଆଲୋଚନା କରିବ ଯୁକ୍ତରାଷ୍ଟ୍ର ଆମେରିକା

ଓ୍ଵାସିଂଟନ୍‌: ଆଫଗାନିସ୍ତାନରୁ ବିଦେଶୀ ନାଗରିକ ଓ ସମ୍ଭାବ୍ୟ ବିପଦ ଆଶଙ୍କାରେ ଥିବା ଆଫଗାନମାନଙ୍କ ସ୍ଥାନାନ୍ତରଣ ସୁଗମ କରିବା ଉଦ୍ଦେଶ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାର ସରକାରୀ ଅଧିକାରୀମାନେ ଶନିବାର କିଂବା ରବିବାର ଦିନ ବରିଷ୍ଠ ତାଲିବାନ୍‌ ଅଧିକାରୀମାନଙ୍କୁ ଭେଟିବେ ବୋଲି ଜଣେ ବରିଷ୍ଠ ଆମେରିକୀୟ ସରକାରୀ ଅଧିକାରୀ କହିଛନ୍ତି।

ଶୁକ୍ରବାର ଦିନ ଉକ୍ତ ଅଧିକାରୀଜଣକ କହିଛନ୍ତି, ଦୋହା ଓ କତାରରେ ଆଫଗାନିସ୍ତାନର ତାଲିବାନ୍‌ ନେତାମାଙ୍କ ସହ ଆଲୋଚନା ଆୟୋଜନ କରାଯାଇଛି। ଆମେରିକୀୟ ଏବଂ ଅନ୍ୟ ବିଦେଶୀ ନାଗରିକ ତଥା ଏକଦା ଯୁକ୍ତରାଷ୍ଟ୍ର ଆମେରିକା ସେନା କିଂବା ସରକାରରେ କାର୍ଯ୍ୟ କରୁଥିବା ଆଫଗାନମାନଙ୍କୁ ଏବଂ ଅନ୍ୟାନ୍ୟ ଆଫଗାନ ମିତ୍ରମାନଙ୍କୁ ଆଫଗାନିସ୍ତାନ ଛାଡ଼ିବାକୁ ତାଲିବାନ୍‌ ଦେଇଥିବା ପ୍ରତିଶ୍ରୁତି ସଂକ୍ରାନ୍ତରେ ଉକ୍ତ ବୈଠକରେ ଆଲୋଚନା କରାଯିବ।

ଅଗଷ୍ଟ ଶେଷ ସୁଦ୍ଧା ଆଫଗାନିସ୍ତାନରୁ ଯୁକ୍ତରାଷ୍ଟ୍ର ଆମେରିକାର ଶେଷ ସୈନିକ ଦଳ ଏବଂ କୂଟନୀତିଜ୍ଞମାନଙ୍କୁ ସ୍ଥାନାନ୍ତରଣ କରାଯିବା ପର ଠାରୁ ତାଲିବାନ୍‌ ଶାସିତ ଆଫଗାନିସ୍ତାନରୁ ଆମେରିକା ପ୍ରାୟୋଜିତ ସ୍ଥାନାନ୍ତରଣ ବେଗ ମନ୍ଥର ହୋଇଯାଇଛି ବୋଲି ବାଇଡେନ୍‌ ପ୍ରଶାସନ ନିକଟରେ ଅଭିଯୋଗ ହେଉଛି।

Image Courtesy of Times of India

ଗୁରୁବାର ଦିନ ବୈଦେଶିକ ବ୍ୟାପାର ମୁଖପାତ୍ର ନେଡ୍‌ ପ୍ରାଇସ୍‌ କହିଥିଲେ ଯେ, ଯୁକ୍ତରାଷ୍ଟ୍ର ଆମେରିକା ବିମାନ ଚଳାଚଳ ବ୍ୟବସ୍ଥା ଆରମ୍ଭ କରିବା ପରଠାରୁ ୧୦୫ଜଣ ଆମେରିକୀୟ ନାଗରିକ ଏବଂ ୯୫ ‘ଗ୍ରିନ୍‌-କାର୍ଡଧାରୀ’ ଆଫଗାନିସ୍ତାନ ପରିତ୍ୟାଗ କରିଛନ୍ତି। ଏକ ସପ୍ତାହରୁ ଅଧିକ କାଳ ହେବ ଉପରୋକ୍ତ ସଂଖ୍ୟା ଅପରିବର୍ତ୍ତିତ ରହିଛି।

Image Courtesy of Zee News

ବୈଦେଶିକ ବ୍ୟାପାର ବିଭାଗ କହିବା ଅନୁସାରେ, ଏବେ ମଧ୍ୟ ଆଫଗାନିସ୍ତାନ ପରିତ୍ୟାଗ କରିବା ଲାଗି ଅନେକ ଆମେରିକୀୟ ନାଗରିକ, ‘ଗ୍ରିନ୍‌-କାର୍ଡଧାରୀ’, ଆଫଗାନବାସୀ ଏବଂ ପରିବାରର ସଦସ୍ୟମାନେ ‘ୟୁଏସ୍‌ ଭିସା’ ପାଇଁ ହକଦାର ଥିବା କଥା କୁହାଯାଉଛି। କ୍ଷେତ୍ର ବିଶେଷରେ କୌଣସି ଆମେରିକୀୟ ସରକାରୀ ଅଧିକାରୀ ନ ଥିବାରୁ ସେ ସବୁକୁ ଯାଞ୍ଚ କରିବା ଲାଗି ଅସୁବିଧା ହେଉଛି।

ଏହାଛଡ଼ା, ନାରୀ ଓ ଝିଅମାନଙ୍କର ଅଧିକାର ପ୍ରସଙ୍ଗରେ ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକା ତାଲିବାନ୍‌ ସହ ଆଲୋଚନା କରିବ।

ସମ୍ବନ୍ଧିତ ଖବର